‘ବନ୍ଧୁକ’ର ଗନ୍ତାଘର ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର: ବନ୍ଧୁକ କଥା ଶୁଣିଲେ ସମସ୍ତଙ୍କ ଛାତିରେ ଛନକା ପଶେ। ଦାଦାବଟି, ଟେଣ୍ଡ୍‍ର ଫିକ୍ସିଂ, ଡକାୟତି ଓ ଲୁଟ୍‍ପାଟ୍‍ ଭଳି ଅପରାଧିକ ଘଟଣାରେ ବନ୍ଧୁକ ବ୍ୟବହାର କରାଯାଉଛି। ତେବେ ବିଦେଶୀ ବନ୍ଧୁକ ହେଉ କି ଦେଶୀ ବନ୍ଧୁକ ହାତରେ ଧରିଲେ ପ୍ରତିପକ୍ଷ ମନରେ ଭୟ ଜାତ ହୁଏ। ଏମିତିକି ରାଜଧାନୀ ବନ୍ଧୁକ କାରବାରର ଗନ୍ତାଘର ପାଲଟିଛି। ସହରରୁ ଉପକଣ୍ଠ ଯାଏଁ ବନ୍ଧୁକ କାରବାର ଜାରି ରହିଛି। କିଏ ବିକ୍ରି କରି ଧରାପଡ଼ିଛି ତ ଆଉ କିଏ ଅପରାଧ ଘଟାଇ ପୁଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛି।
୨୦୨୧ରେ ରାଜଧାନୀରୁ ୧୬ଟି ମାମଲା ରୁଜୁ କରାଯାଇ ୧୨ଟି ବନ୍ଧୁକ ଜବତ କରାଯାଇଥିଲା। ଏଥିରେ ୩ଟି ରିଭଲଭର, ୩ଟି ବିଦେଶୀ ବନ୍ଧୁ ଓ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ସେହିପରି ୧୮ଟି ଅଫୁଟା ଗୁଳି ଜବତ ମଧ୍ୟ କରାଯାଇଥିଲା। ତେବେ ଭରତପୁର ଥାନା ଅଞ୍ଚଳରୁ ସର୍ବାଧିକ ବନ୍ଧୁକ ଜବତ କରାଯାଇଛି। ଅନ୍ୟପଟେ ଖେଳନା ବନ୍ଧୁକ ଦେଖାଇ ଆତଙ୍କରାଜ କରୁଥିବା କିଛି ଅଭିଯୁକ୍ତଙ୍କୁ ଠାବ ହୋଇଛି। ସେମାନେ ଖେଳନା ବନ୍ଧୁକ ଦେଖାଇ ଲୁଟ୍‍ପାଟ୍‍ କରି ଧରାପଡ଼ିଛନ୍ତି। ଏଭଳି ଭାବେ ସହରରୁ ୪ଟି ଖେଳନା ବନ୍ଧୁକ ଓ ଗୋଟିଏ ଖୋକା ଜବତ ହୋଇଥିଲା। ଅନ୍ୟପଟେ ୨୦୨୦ ତୁଳନାରେ ବଢ଼଼ିଲା ବନ୍ଧୁକ ଜବତ ସଂଖ୍ୟା। ୨୦୨୦ରେ ୯ଟି ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୧ରେ ୧୨ଟି ବନ୍ଧୁକ ଜବତ ହୋଇଛି।

ସେହିପରି ସହରରେ ବିଦେଶୀ ବନ୍ଧୁକ ଅପେକ୍ଷା ଦେଶୀ ବନ୍ଧୁକର ଅଧିକ ଚାହିଦା ରହିଛି। ସହରର ଉପକଣ୍ଠଗୁଡିକ ଛୋଟ ଛୋଟ କମାରଶାଳାରେ ବନ୍ଧୁକ ତିଆରି କରାଯାଉଛି। ୩ରୁ ୪ହଜାର ଦେଲେ ଦେଶୀ ବନ୍ଧୁକ ମିଳିଯାଉଛି। ସେପରି ବିହାରର ମୁଙ୍ଗେର ଓ ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଓଡ଼ିଶାକୁ ଆସୁଛି। ସେଗୁଡିକୁ ଅପରାଧୀ ଅଣ୍ଟାରେ ଖୋସି ସହରରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ସେପଟେ ବନ୍ଧୁକ କାରବାର ପାଇଁ ମାଫିଆମାନେ କୋର୍ଡୱାଡ୍‍ ବ୍ୟବହାର କରାଯାଉଛି। କେଉଁଠି ଗୁଳି ତ ଆଉ କିଏ ତୀର କହିଲେ ମିଳୁଛି ବନ୍ଧୁକ। ତେଣୁ ବନ୍ଧୁକ କାରବାର ରୋକିବା ଲାଗି ସ୍ୱତନ୍ତ୍ର ଧରପଗଡ଼଼ କରାଯାଉଛି ବୋଲି ପୁଲିସ କହିଛି।

୭ବର୍ଷରେ ୨୦୬ ଦେଶୀ ବନ୍ଧୁକ ଜବତ
ମୁଣ୍ଡରେ ବନ୍ଧୁକ ଲଗାଇ ଅପରାଧୀ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଦେଶୀ ବନ୍ଧୁକ ହେଉ କିମ୍ବା ବିଦେଶୀ ବନ୍ଧୁକ ଧରି ଦୁର୍ବୃତ୍ତ ସହରରେ ଲୁଟ୍‍ପାଟ୍‍ କରୁଛନ୍ତି। ମିଳିଥିବା ଏକ ତଥ୍ୟ ଅନୁଯାୟୀ ରାଜଧାନୀରୁ ଗତ ୭ବର୍ଷ ମଧ୍ୟରେ ୨୦୬ଟି ବନ୍ଧୁକ ଜବତ ହୋଇଛି। ୨୦୧୪ରେ ୫୬, ୨୦୧୫ରେ ୨୩ଟି, ୨୦୧୬ରେ ୩୪, ୨୦୧୭ରେ ୧୯ଟି, ୨୦୧୮ରେ ୨୩ଟି, ୨୦୧୯ରେ ୩୨, ୨୦୨୦ରେ ୯ଟି ବନ୍ଧୁକ ଜବତ ହୋଇଛି। ସେହିପରି ୪୧୫ଟି ଅଫୁଟା ଗୁଳି ଜବତ କରାଯାଇଛି।

୬୪ ବନ୍ଧୁକ ଓ ୯୮ଗୁଳି ଜବତ
ରାଜ୍ୟରେ ବନ୍ଧୁକ କାରବାର ଉପରେ ରୋକ୍‍ ଲାଗୁନି। ଉପାନ୍ତ ଜିଲ୍ଲାଠୁ ଉପକୂଳ ଯାଏଁ ବନ୍ଧୁକ କାରବାର ଚାଲୁଛି। ତେବେ ରାଜ୍ୟରୁ ବନ୍ଧୁକ ମାଫିଆଙ୍କୁ ସାବାଡ କରିବା ଲାଗି ଅଣ୍ଟା ଭିଡ଼ିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‍ଟିଏଫ୍‍)। ଜାରି ରହିଥିବା ସ୍ୱତନ୍ତ୍ର ଧରପଗଡ଼଼ ଅଭିଯାନରେ ସାରା ରାଜ୍ୟରୁ ୬୪ଟି ବନ୍ଧୁକ ଓ ୯୮ଟି ଅଫୁଟା ଗୁଳି ଜବତ ହୋଇଛି। ଦ୍ୱୈତନଗରୀ, ନୟାଗଡ଼଼, ବରଗଡ଼଼, ଢେଙ୍କାନାଳ, ଖୋର୍ଦ୍ଧାର ଜଙ୍କିଆ, ଅନୁଗୁଳ ଭଳି ଜିଲ୍ଲାରୁ ଅଧିକ ବନ୍ଧୁକ ଜବତ କରାଯାଇଛି।

ବନ୍ଧୁକରେ ବନ୍ୟଜନ୍ତୁ ଶିକାର
ରାଜ୍ୟରେ ବନ୍ୟଜନ୍ତୁ ଶିକାର କମୁନି। ବାଘ, ହାତୀ, ହରିଣ ଆଦି ବନ୍ୟଜନ୍ତୁ ରାଜ୍ୟରୁ ଲୋପ ପାଇବାକୁ ବସିଲାଣି। ରାଜ୍ୟର ସଂରକ୍ଷିତ ଜଙ୍ଗଲଗୁଡ଼ିକରୁ ବନ୍ୟଜନ୍ତୁ ଶିକାର କରି ଶିକାରୀମାନେ ବାଘ ଛାଲ, ନଖ, ଦାନ୍ତ ଆଦି ବିକ୍ରି କରୁଛନ୍ତି। ଗୋଟିଏ ବର୍ଷରେ ଏସ୍‍ଟିଏଫ୍‍ ଓ ବନବିଭାଗ ୨୦ରୁ ଅଧିକ ବାଘଛାଲ ଜବତ କରିଛି। ବାଘଛାଲ ଜବତ ପରେ ଏହାକୁ ଯାଞ୍ଚ୍‍ କରିବା ପରେ ବାଘକୁ ଗୁଳି କରି ମରାଯାଉଥିବା ସ୍ପଷ୍ଟ ହେଉଛି। ତେବେ ଏଭଳି ହିଂସ୍ର ଜନ୍ତୁଗୁଡ଼ିକୁ ବନ୍ଧୁକ ଦ୍ୱାରା ହତ୍ୟା କରାଯାଉଛି। ତେବେ ବନ୍ୟଜନ୍ତୁଙ୍କୁ ବିଶେଷକରି ଦେଶୀ ବନ୍ଧୁକରେ ହତ୍ୟା କରାଯାଉଛି। କାରଖାନାରୁ ଶିକାରୀ ଦେଶୀ ବନ୍ଧୁକ କିଣି ସେଥିରେ ଶିକାର କରୁଛନ୍ତି। ଖାଲି ବାଘ ନୁହଁ ବରଂ ସମ୍ବର, କୁଟୁରା ସହ ଆଉ କିଛି ବନ୍ୟଜନ୍ତୁକୁ ଦେଶୀ ବନ୍ଧୁକରେ ହତ୍ୟା କରାଯାଉଛି। ସେହିପରି ବନବିଭାଗ ବର୍ଷେ ଭିତରେ ୩୦ରୁ ଅଧିକ ଶିକାରୀଙ୍କୁ ଗିରଫ କରିବା ସହ ୫୦ଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି।

Leave a comment