ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋପାଳପୁରଠୁ ୯୫ କିମି ଦୂରରେ ‘ଗୁଲାବ’, ଘଣ୍ଟାପ୍ରତି ୨୫ କିମି ବେଗରେ ହେଉଛି ସ୍ଥଳଭାଗ ମୁହାଁ

ଭୁବନେଶ୍ବର : ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁସାରେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୯୫ କିଲୋମିଟର ଦୂରରେ ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୮୫ କିମି ଦୂରରେ ରହିଛି। ଗତ ୩ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି।


ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ୨ରୁ ୩ ଘଣ୍ଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ଓ ଏହାର ପ୍ରଭାବ ୬ଘଣ୍ଟା ଯାଏଁ ରହିବ ।ବିଶେଷ କରି ଗଜପତି ଓ ଗଞ୍ଜାମ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ୍‌ ସମୟରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ।


ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।ଅନ୍ୟପଟେ ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.