ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ୩ ମାସର ଜେଲ୍ଦଣ୍ଡ

ନୂଆଦିଲ୍ଲୀ : ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ତିନି ମାସ ଜେଲ ଦଣ୍ଡାଦେଶ ହୋଇଛି।ମହେସାଣା କୋର୍ଟ ତାଙ୍କୁ ତିନିମାସ ପାଇଁ ଦଣ୍ଡିତ କରିଥିବା ବେଳେ ୧ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ କହିଛନ୍ତି। ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମହେସାଣା କୋର୍ଟ।
୨୦୧୭ ମସିହାରେ ପୁଲିସର ବିନା ଅନୁମତିରେ ରାଲି କରିବା ବେଆଇନ ଭାବେ ଲୋକଙ୍କୁ ରୁଣ୍ଡ କରିବା ଭଳି ଏକ ମାମଲାରେ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ କୋର୍ଟରେ ସମୁଦାୟ ୧୨ ଜଣଙ୍କୁ ଦଣ୍ଡିତ କରିଛନ୍ତି। ଦଣ୍ଡିତ ହୋଇଥିବା ୧୨ଜଣ ଦୋଷୀ ୨୦୧୭ରେ ଆଜାଦୀ କୁଚ୍ ରାଲି କରିଥିଲେ। ଉନାରେ ଦଳିତଙ୍କୁ ମାଡ଼ ମରାଯିବା ମାମଲା ସାମ୍ନାକୁ ଆସିବା ପରେ, ଜୁଲାଇ ୧୨, ୨୦୧୭ରେ ‘ଆଜାଦୁ କୁଚ’ ନାମକ ଆନ୍ଦୋଳନ କରାଯାଇଥିଲା। ଏହି ରାଲି ପରେ ଆରୋପ ଲାଗିଥିଲା ଯେ, ବିନା ଅନୁମତିରେ ଏହି ରାଲି କରାଯାଇଥିଲା।
ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଜେଏ ପରମାର ମାମଲାର ଶୁଣାଣି କରି କହିଛନ୍ତି, ରାଲି କରିବା ଅପରାଧ ନୁହେଁ, କିନ୍ତୁ ବିନା ଅନୁମତିରେ ରାଲି କରିବା ଅପରାଧ। ଏହାସହ ଅବମାନନାକୁ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥି ପାଇଁ କୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ୩ ମାସ ଲେଖାଏଁ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଅନ୍ୟପଟେ ଏହି ରାଲିରେ ଏବେର କଂଗ୍ରେସ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ବି ସାମିଲ ଥିଲେ । ହେଲେ ଏହି ମାମଲାର ପୂର୍ବ ଶୁଣାଣି ବେଳେ ସେ କୋର୍ଟରେ ହାଜର ହୋଇ ନଥିବାରୁ ତାଙ୍କ ବିରୋଧରେ ଅଲଗା ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।