ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇନର ପରିସର ମଧ୍ୟରେ ହେବ ଗର୍ଭପାତ, ଡାକ୍ତରଙ୍କ ପାଇଁ ଆସିଲା ଗାଇଡ୍‌‌ଲାଇନ୍‌‌

ଭୁବନେଶ୍ୱର : ଶିଶୁ ଓ ମାତୃମୃତ୍ୟୁ ହାର ରୋକିବାରେ ଅପୂର୍ବ ସଫଳତା ପାଇଥିବା ଓଡ଼ିଶା ଏବେ ସୁରକ୍ଷିତ ତଥା ଆଇନଗତ ଗର୍ଭପାତ ପାଇଁ ରଣନୀତି ପ୍ରସ୍ତୁତ କରିଛି। ଗର୍ଭପାତ ପାଇଁ ଆଇନ୍‌‌ରେ ସଂଶୋଧନ କରିବା ପରେ ନୂଆ ମେଡିକାଲ ବୋର୍ଡ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଗର୍ଭପାତ କାର୍ଯ୍ୟରେ ସମ୍ପୃକ୍ତ ଡାକ୍ତରଙ୍କ ପାଇଁ ନୂଆ ଫର୍ମାଟ୍‌‌ରେ ଫର୍ମ ଜାରି କରାଯାଇଛି। ମେଡିକାଲ ଟର୍ମିନେସନ୍‌‌ ଅଫ୍‌‌ ପ୍ରେଗନାନ୍ସି (ଏମ୍‌‌ଟିପି) ଆଇନ୍‌‌ ଅଧୀନରେ ଆଉ ୧୧ଟି ମେଡିକାଲ ବୋର୍ଡ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଡାକ୍ତର ସରକାରଙ୍କୁ ଯେଉଁ ରିପୋର୍ଟ ଦେବେ ସେଥିରେ ନିଜର ଏବଂ ରୋଗୀଙ୍କର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ରହିବ।

ଗର୍ଭବତୀଙ୍କ ଜୀବନ ରକ୍ଷା, ସ୍ୱାସ୍ଥ୍ୟ ଉପରେ କୁପ୍ରଭାବରୁ ରକ୍ଷା କରିବା, ଗର୍ଭସ୍ଥ ଶିଶୁ ବିକଳାଙ୍ଗ ଅବା ମାନସିକ ବିକାରଗ୍ରସ୍ତ ହେବାର ପ୍ରମାଣ ଥିଲେ, ବଳାତ୍କାରର ଶିକାର ହୋଇଥିଲେ, ଗର୍ଭନିରୋଧ ବ୍ୟବସ୍ଥା ବିଫଳ ହୋଇଥିଲେ ଆଦି କାରଣ ପାଇଁ ଗର୍ଭପାତ କରିବା ପାଇଁ ଅନୁମତି ମିଳିବ। ଏଥିରୁ ଗୋଟିଏ କାରଣ ଫର୍ମରେ ଡାକ୍ତର ସ୍ପଷ୍ଟ କରିବେ। ସେହିପରି ଗର୍ଭଧାରଣ ସମୟ, ଗର୍ଭବତୀଙ୍କ ଧର୍ମ, ଗର୍ଭସଞ୍ଚାର ଓ ଗର୍ଭପାତ କରିବା ମଧ୍ୟରେ ଦେଖା ଦେଇଥିବା ସମସ୍ୟା ଅବା ଘଟଣା ଆଦି ସମ୍ପର୍କରେ ଉଲ୍ଲେଖ କରିବା ଜରୁରୀ ହେବ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମେଡିକାଲ ବୋର୍ଡ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରଙ୍କ ଗାଇଡ୍‌‌ଲାଇନ୍‌‌ ଅନୁସାରେ ବୋର୍ଡ ଗଠନ କରିବା ପାଇଁ ସମ୍ପୃକ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Leave A Reply

Your email address will not be published.