ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବକପରେ ଭାରତୀୟ ହକି ଦଳର ବିପର୍ଯ୍ୟୟ ପରେ ମୁଖ୍ୟ କୋଚ୍ ପଦରୁ ଗ୍ରାହାମ ରିଡଙ୍କ ଇସ୍ତଫା

ନୂଆଦିଲ୍ଲୀ : ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ଖେଳାଯାଉଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍‌ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଏବଂ ଅନ୍ୟ ଦୁଇଜଣ ସପୋର୍ଟ ଷ୍ଟାଫ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ସେ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ସେମାନଙ୍କ ଇସ୍ତଫା ଗ୍ରହଣ କରିଛି ।

ପୁରୁଷ ହକି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ ଭଲ ନଥିଲା ଏବଂ ଏହି କାରଣରୁ ଭାରତ କ୍ୱାର୍ଟର ଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା। ଏବେ ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଇସ୍ତଫା ଦେଇଛନ୍ତି। ୫୮ବର୍ଷିୟ ରିଡ ଭୁବନେଶ୍ୱରରେ ବିଶ୍ୱକପ ସମାପ୍ତ ହେବାର ଗୋଟିଏ ଦିନ ପରେ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।

ରିଡଙ୍କ ତତ୍ତ୍ଵାବଧାନରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳ ଓଡିଶାରେ ଅନୁଷ୍ଠିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡିଥିଲା । ଦଳ ନବମ ସ୍ଥାନରେ ରହିଥିଲା । ରିଡଙ୍କ ବ୍ୟତୀତ ବିଶ୍ଳେଷଣ କୋଚ୍ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ୍ ପେମ୍ବରଟନ୍ ମଧ୍ୟ ଇସ୍ତଫା ଦେଇଛନ୍ତି।

ହକି ଇଣ୍ଡିଆ ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ବିଶ୍ୱକପ ଶେଷ ହେବାର ଦିନକ ପରେ ରିଡ୍ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତିର୍କି ଏବଂ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଲାନାଥ ସିଂହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବା ପାଇଁ ରିଡ୍ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ଭେଟିଥିଲେ।

ରିଡଙ୍କ ବ୍ୟତୀତ କ୍ଲାର୍କ ଏବଂ ଡେଭିଡ ମଧ୍ୟ ସୋମବାର ସକାଳେ ଇସ୍ତଫା ଦେଇଛନ୍ତି। ଏହି ତିନିଜଣ ଆଗାମୀ ମାସ ଯାଏ ନୋଟିସ୍ ପିରିୟଡରେ ରହିବେ । ରିଡ୍ କହିଛନ୍ତି, ମୋର ସମୟ ଶେଷ ହୋଇଛି ଏବଂ ନୂଆ ମ୍ୟାନେଜମେଣ୍ଟକୁ ଦାୟିତ୍ବ ହସ୍ତାନ୍ତର କରିବାର ସମୟ ଆସିଛି। ଏହି ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ଅନୁଭତି ବେଶ୍ ସୁଖଦ ଥିଲା । ମୁଁ ଏହି ଅଦ୍ଭୁତ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଥିଲି । ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା। ”

ରିଡ୍ ଏବଂ ତାଙ୍କ କୋଚିଂ ଟିମ୍ ତତ୍ତ୍ଵାବଧାନରେ ଭାରତ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲା ​​। ଏହା ବ୍ୟତୀତ ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନରେ ତୃତୀୟ ସ୍ଥାନ ହାସଲ କରିଥିଲା । ରିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୧୯ରେ ଏଫ୍ଆଇଏଚ୍ ୱାର୍ଲ୍ଡ ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ । ଏହା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଖେଳି ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ରିଡ୍ ଅନ୍ୟ ଦୁଇ କୋଚିଂ ଷ୍ଟାଫଙ୍କ ଇସ୍ତଫା ଗ୍ରହଣ କରି ହକି ଇଣ୍ଡିଆର ସଭାପତି ତିର୍କି କହିଛନ୍ତି, “ଆମକୁ ଭଲ ଫଳାଫଳ ଦେଇଥିବାରୁ ଗ୍ରାହାମ ରିଡ୍ ଏବଂ ତାଙ୍କ ଦଳ ପାଖରେ ଭାରତ ସର୍ବଦା ଋଣୀ ରହିବ। ବିଶେଷକରି ଅଲିମ୍ପିକ୍ ସଫଳତା ପାଇଁ । ପ୍ରତ୍ୟେକ ଯାତ୍ରାରେ ନୂଆ ପର୍ଯ୍ୟାୟ ଅଛି ଏବଂ ବର୍ତ୍ତମାନ ଆମକୁ ମଧ୍ୟ ଦଳ ପାଇଁ ଏକ ନୂଆ ବିଚାର ସହ ଆଗକୁ ବଢିବାକୁ ପଡିବ ।”

Leave A Reply

Your email address will not be published.