ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରାଧୀଙ୍କ କବ୍‌ଜାରେ ସରକାରୀ ଜମି, ଉଚ୍ଛେଦ କରିବାକୁ ଡରୁଛି ଏନଫୋର୍ସମେଣ୍ଟ ଟିମ୍‍

ଭୁବନେଶ୍ୱର: ବେଆଇନ୍‍ କାର୍ଯ୍ୟରେ ଲିପ୍ତ ରହୁଥିବା ଓ ସହରରେ ନିଶା କାରବାର କରୁଥିବା ମାଫିଆଙ୍କ ଘରଭଙ୍ଗା ଅଭିଯାନକୁ କମିସରେଟ୍‍ ପୁଲିସ ଜୋର୍‍ଦାର୍‍ କରିଛି। ଗତ କିଛିଦିନ ମଧ୍ୟରେ ସହରର ୫ରୁ ଊର୍ଦ୍ଧ୍ବ ମାଫିଆଙ୍କ ଘରେ ବୁଲ୍‍ଡୁଜର ମଡ଼ାଇ ସେମାନଙ୍କୁ ବେଘର କରିବାରେ ପୁଲିସ ସଫଳ ହୋଇଛି। ସରକାରୀ ଜମିକୁ ଜବରଦଖଲ କରି ନିଜର ଅାଡ୍ଡା ବନାଇ କ୍ରାଇମ ସିଣ୍ଡିକେଟ ଚଳାଉଥିବା ଅପରାଧୀମାନଙ୍କୁ ଦମନ କରିବା ପାଇଁ କମିସନରେଟ୍‍ ପୁଲିସ ଏହି ପନ୍ଥା ଆପଣାଇଛି। ଯାହାଦ୍ୱାରା ଅନେକ ଅପରାଧୀ ଛତ୍ରଭଙ୍ଗ ଦେଉଥିବା ବେଳେ ମୂଲ୍ୟବାନ ସରକାରୀ ଜମି ମଧ୍ୟ ସରକାରଙ୍କ ଖାତାକୁ ଫେରୁଛି। ଅନ୍ୟପଟେ ଅତି କମ୍‍ ସମୟ ମଧ୍ୟରେ କମିସନରେଟ୍‍ ପୁଲିସ ଏମିତି ଜବରଦଖଲକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଘର ଭାଙ୍ଗୁଥିବା ବେଳେ ସରକାରୀ ଜମି ସୁରକ୍ଷାର ଉତ୍ତରଦାୟୀ ରହିଥିବା ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜଧାନୀରେ ପାଖାପାଖି ୨ ହଜାର ଏକର ସରକାରୀ ଜମି ଜବରଦଖଲରେ ରହିଛି। ଭୁବନେଶ୍ୱରରେ ଉଚ୍ଛେଦ ଅଭିଯାନ ଏବଂ ଜମିର ରକ୍ଷଣାବେକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଏମ୍‍ସି ପରିସରରେ ସରକାରୀ ଜମିର ଜବରଦଖଲ ଓ ଅନଧିକୃତ ନିର୍ମାଣ ସମ୍ପର୍କରେ ଜାଣିବା ପାଇଁ ‘ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ ଇଣ୍ଟେଲିଜେନ୍ସ ସିଷ୍ଟମ’ (ବ୍ଲୁଇସ୍‍) ପ୍ରଚଳନ କରାଯାଇଛି। ଉପଗ୍ରହ ମାଧ୍ୟମରେ ବ୍ଲୁଇସ୍‍ ସୂଚନା ଦେଉଛି। ଏହା ବ୍ୟତୀତ ମୋବାଇଲ ବ୍ଲୁଇସ୍‍ ଆପ୍‍ ବ୍ୟବହାର କରି ସାଧାରଣ ନାଗରିକ ମଧ୍ୟ ସରକାରୀ ଓ ସର୍ବସାଧାରଣ ଜମିର ଅପବ୍ୟବହାର ଓ ନିର୍ମାଣ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସତର୍କ ପାଇଁ ବ୍ୟବସ୍ଥା ରହିଛି। ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଏହି ବିଭାଗ ଓପିପି(ଇୟୁଓ) ଆକ୍ଟର ଧାରା ଅନୁଯାୟୀ ଅବିରତ ପ୍ରୟାସ କରୁଛି ବୋଲି କୁହାଯାଉଛି। ମିଳିତ ଉଚ୍ଛେଦ ଅଭିଯାନ ନିମନ୍ତେ ଏକ କେନ୍ଦ୍ରୀୟ ପ୍ରବର୍ତ୍ତନ ତଦାରଖ କମିଟି ଗଠନ ହୋଇଛି। ଏଥିରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର କ୍ଷେତ୍ର କର୍ମଚାରୀ ରହିଛନ୍ତି। ମାତ୍ର ଏହା ସତ୍ତ୍ବେ ମଧ୍ୟ ସରକାରୀ ଜମିର ସୁରକ୍ଷାରେ ଏମାନେ ବିଫଳ ହେଉଛନ୍ତି। କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିରେ ଅପରାଧୀମାନେ ବିରାଟକାୟ ଅଟ୍ଟାଳିକାମାନ ନିର୍ମାଣ କରି ନିଜର ସାମ୍ରାଜ୍ୟ ଚଳାଉଛନ୍ତି।

କମିସନରେଟ୍‍ ପୁଲିସର ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁରର କିରଣ କୁମାର ପଟ୍ଟନାୟକ, ମଞ୍ଚେଶ୍ୱରର ନିଶା ବେପାରୀ କୃଷ୍ଣଚନ୍ଦ୍ର ନାଥ ଓରଫ କାହ୍ନା, ନୂଆପଲ୍ଲୀ ସାଲିଆସାହିରର ଦମ୍ପତି ଦିଲ୍ଲୀପ ବରାଳ ଓ ପୂର୍ଣ୍ଣିମା ବରାଳଙ୍କ ଘର ଭାଙ୍ଗାଯାଇଛି। ସେହିପରି ରାଜଧାନୀରେ ଭାଇଗିରି ଦେଖାଉଥିବା କେବିଏନ୍‍ ଗ୍ୟାଙ୍ଗର ଘର ବି ଭାଙ୍ଗିଥିଲା ପୁଲିସ। ଏଥିରେ ଗ୍ୟାଙ୍ଗ୍‍ ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ, ରାଜେଶ ବେହେରା ଓରଫ ଚେଙ୍ଗ, ସନାତନ ବେହେରା, ସଞ୍ଜୟ ଖୁଣ୍ଟିଆ, ରାଜେଶ ମହାପାତ୍ରଙ୍କ ଘର ରହିଥିଲା। ସେଭଳି ଡେଲ୍‍ଟା ଛକରେ ସ୍କୋର୍ପିଓ ପୋଡ଼ିରେ ସମ୍ପୃକ୍ତି ରହିଥିବା ୪ଯୁବକଙ୍କ ଦୋକାନ ଓ ଘର ବି ଭାଙ୍ଗି ଦେଇଥିଲା କମିସନରେଟ୍‍ ପୁଲିସ। ଏଭଳିଭାବେ ଆହୁରି ୩୦ରୁ ଊର୍ଦ୍ଧ୍ବ ନିଶା ବେପାରୀଙ୍କ ଘର ଭାଙ୍ଗିବା ଲାଗି ପୁଲିସ ଏକ ତାଲିକା ମଧ୍ୟ କରିଛି। ୨୦୧୯ ମସିହାରେ ୭ଜଣ ନିଶା ବେପାରୀଙ୍କ ଘର ମାଟିରେ ମିଶିଥିଲା। ବ୍ରାଉନ୍‍ସୁଗର କାରବାରର ପେଣ୍ଠସ୍ଥଳ କୁହାଯାଉଥିବା ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆର ବସ୍ତିର ନିଶା ମାଫିଆଙ୍କ ଘରେ ବୁଲ୍‍ଡୋଜର ବୁଲିଥିଲା। ସଞ୍ଜୟ ମହାନ୍ତି, ସରିଫ୍‍ ଖାନ୍‍, ତୁଳସୀ ଦାଶ, ଅଜୟ ପରିଡ଼ା, ଦିଲ୍ଲୀପ ସିଂ, ଆଏସା ବିବି, ପ୍ରଦୀପ ପ୍ରଧାନ ଆଦିଙ୍କ ଘର ଉପରେ ବୁଲ୍‍ଡୋଜର ଚୋଟ ବାଜିଥିଲା।

Leave A Reply

Your email address will not be published.