ଅକ୍ଷୟ ପରିଜାଙ୍କୁ ଦୁବାଇ ସରକାରଙ୍କ ପକ୍ଷରୁ ଗୋଲ୍ଡେନ୍ ଭିସା

ଭୁବନେଶ୍ୱର : ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେଲିବ୍ରିଟି ଆର୍ଟିଷ୍ଟ ବିଭାଗରେ ଦୁବାଇ (ୟୁଏଇ) ସରକାରଙ୍କ ଦ୍ୱାରା ଗୋଲ୍ଡେନ୍ ଭିସା ପ୍ରଦାନ କରାଯାଇଛି। ଓଡ଼ିଆ, ବଙ୍ଗଳା, ହିନ୍ଦୀ ଏବଂ ମାଲାୟଲମ ଭାଷାରେ ୩୩ଟି ଚଳଚ୍ଚିତ୍ରର ସେ ଜଣେ ସଫଳ ପ୍ରଯୋଜକ। ଓଡ଼ିଶାର ନିଜର ସବୁଠାରୁ ବଡ଼ ଘରୋଇ ଷ୍ଟୁଡିଓରେ ଏକ ଦଶନ୍ଧି ଧରି ୭ହଜାରରୁ ଅଧିକ ଟେଲିଭିଜନ ଏପିସୋଡ୍ କରିବା ସହ ୩୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପରିଜାଙ୍କୁ ଶାହାରୁଖ ଖାନ୍, ମୋହନଲାଲ, ମାମୁଟି, ସୁନୀଲ ସେଟ୍ଟି, ସୋନୁ ନିଗମ ପରି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ସମକକ୍ଷ ଏହି ଭିସା ପ୍ରଦାନ କରାଯାଇଛି।
ଦୁବାଇରେ ଏକ ବିଶ୍ୱସ୍ତରୀୟ କଳାକାର ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ ସେ ଦୁବାଇ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଦୁବାଇର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କ ପ୍ରଗତିଶୀଳ ନୀତିକୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭାବରେ ସେ ଅଭିହିତ ହୋଇଥିବାରୁ ଖୁସି ଏବଂ ଗର୍ବିତ ବୋଲି ଶ୍ରୀ ପରିଜା ପ୍ରତିକ୍ରିୟା ଦେଇଛନ୍ତି। ସେ ଓଡ଼ିଶାରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧି ପାଇଁ ତାଙ୍କର ଅବଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରକଶ କରିଛନ୍ତି।
ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍କୁ ଧନ୍ୟବାଦ ଦେଇ ଶ୍ରୀ ପରିଜା କହିଛନ୍ତି ଯେ ଖୁବ୍ଶୀଘ୍ର ଭୁବନେଶ୍ୱର ଏବଂ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ହେବ। ଦୁବାଇ ଏବଂ ଓଡ଼ିଶା ମଧ୍ୟରେ ସମୟ ସମାନ ଭାବରେ ବାଣ୍ଟିବାକୁ ପ୍ରସ୍ତାବ ରହିଛି ବୋଲି ସେ କହିଛନ୍ତି। ଦୁଇଟି ଜାତୀୟ ପୁରସ୍କାର, ୪୩ଟି ରାଜ୍ୟ ପୁରସ୍କାର ଏବଂ ୧୬ଟି ଅନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ଶ୍ରୀ ପରିଜା ଓଡ଼ିଶା ସିନେ ଏବଂ ଟେଲିଭିଜନ ଜଗତ ସହିତ ଏକ ଭାବପ୍ରବଣତାର ସମ୍ପର୍କ ରଖି ଆସିଛନ୍ତି ଏବଂ କଳାକାର ସମାଜ ପାଇଁ ଭଲ ବିଷୟବସ୍ତୁ ଏବଂ ନିଯୁକ୍ତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଆଗାମୀ ଦିନରେ ଓଡ଼ିଶା ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍ଥାନ ହେବ ବୋଲି ଶ୍ରୀ ପରିଜା ମତବ୍ୟକ୍ତ କରିଛନ୍ତି।