ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉପକଣ୍ଠରେ ଉତ୍ପାତ କଲେଣି ସୁନାଚେନ୍‌‌ ଲୁଟେରା

ଖଣ୍ଡଗିରି: ରାଜଧାନୀ ସହର ମଧ୍ୟରେ ଆତଙ୍କ ଖେଳାଉଥିବା ଅପରାଧୀ ଧୀରେ ଧୀରେ ଉପକଣ୍ଠମୁହାଁ ହେଉଛନ୍ତି। ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। କେତେବେଳେ ଘର ଆଗରୁ ମଟରସାଇକଲ ଚୋରି କରୁଛନ୍ତି ତ ଆଉ କେତେବେଳେ ବିଚ୍‌‌ ରାସ୍ତାରେ ସୁନାଚେନ ଛଡ଼ାଇ ନେଉଛନ୍ତି। ଗତ କିଛିଦିନ ହେବ ରାଜଧାନୀ ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଚୋରି, ଲୁଟ୍‌‌ ଓ ଛିନତାଇ ବଢ଼଼ିବାରେ ଲାଗିଛି। ଏଭଳି ଅପରାଧ ଏବେ ନିତିଦିନିଆ ଘଟଣାରେ ପରିଣତ ହେଇଗଲାଣି। ଜନଗହଳିପୂର୍ଣ୍ଣ ଓ ପ୍ରମୁଖ ଛକଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ହେଲେ କେତୋଟି ହାତଗଣତି ମାମଲାରେ ପୁଲିସ ଚୋରଙ୍କୁ ଧରୁଛି। ବାକି ଲୁଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ ପୁଲିସ।

ମିଳିଥିବା ସୂଚନା ଅନୁସାରେ, ଗତମାସ ୨୬ ତାରିଖରେ ଶୈଳବାଳା ନାୟକ ତାଙ୍କ ସ୍ୱାମୀଙ୍କ ସହିତ ବାଇକ୍‌‌ ଯୋଗେ ଖଣ୍ଡଗିରିରୁ ସିଆରପି ଛକ ଆଡ଼କୁ ଯାଉଥିଲେ। ବରମୁଣ୍ଡା କାଳୀ ମନ୍ଦିର ସମ୍ମୁଖରେ ପହଞ୍ଚିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌‌ରେ ଆସି ତାଙ୍କ ବେକରୁ ସୁନାଚେନ୍‌‌ ଛଡ଼ାଇ ନେଇଥିଲେ। ସେହିପରି ଗତ ରବିବାର ଦିନ ଦ୍ୱିପହରରେ ଶୁଭ୍ରା ପ୍ରିୟଦର୍ଶିନୀ ଓ ତାଙ୍କ ବନ୍ଧୁ କିରଣ ପରୀକ୍ଷା ଦେଇ ସାରି ଶ୍ୟାମପୁରରୁ ଘରକୁ ଫେରୁଥିଲେ। ହଠାତ୍‌‌ ଏକ କଳା ରଙ୍ଗର ବାଇକ୍‌‌ରେ ୨ଜଣ ହେଲମେଟ୍‌‌ ପିନ୍ଧିଥିବା ଦୁର୍ବୃତ୍ତ ଆସି ତାଙ୍କ ସୁନାଚେନ୍‌‌ ଛଡ଼ାଇ ନେଇଥିଲେ। ଶୈଳବାଳା ଓ ଶୁଭ୍ରା ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୨ ତାରିଖରେ ଡେଲ୍‌‌ଟା କଲୋନୀ ଅଞ୍ଚଳର ଲିଙ୍ଗରାଜ ବିଷୋୟୀ ତାଙ୍କ ପତ୍ନୀଙ୍କ ସହ ବାଇକ୍‌‌ରେ ଘରକୁ ଫେରୁଥିବାବେଳେ ରାଜଧାନୀ କଲେଜ ଅଣ୍ଡରପାସ୍‌‌ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କ ବେକରୁ ସୁନାଚେନ୍‌‌ ଓ ଲକେଟ୍‌‌ ଛଡ଼ାଇ ନେଇ ଖଣ୍ଡଗିରି ଆଡ଼କୁ ପଳାଇଥିଲା।

ସେହିପରି ଜଗମୋହନ ନଗରର ପ୍ରଜ୍ଞା ପରମିତା ବିଶ୍ୱାଳ ତାଙ୍କ ମା’ଙ୍କ ସହିତ ସ୍କୁଟିରେ ଘରକୁ ଫେରୁଥିଲେ। କସ୍‌‌ମୋପଲିସ ଆପାର୍ଟମେଣ୍ଟ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌‌ରେ ପଛପଟରୁ ଆସି ତାଙ୍କ ବେକରୁ ସୁନାଚେନ୍‌‌ ଓ ଲକେଟ୍‌‌ ଛଡ଼ାଇ ନେଇଥିଲେ। ଲିଙ୍ଗରାଜ ଓ ପ୍ରଜ୍ଞା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ଚନ୍ଦ୍ରଶେଖରପୁର ଅଞ୍ଚଳର ପୁଷ୍ପଲତା ନାୟକ ଗତ ୧୬ ତାରିଖ ଦିନ ତାଙ୍କ ସ୍ୱାମୀଙ୍କ ସହିତ ହରିରାଜପୁର ଯାଉଥିଲେ। ତମାଣ୍ଡୋ ଫାର୍ମାସୀ କଲେଜ ସାମ୍ନାରେ ଜଣେ ଦୁର୍ବୃତ୍ତ ପଲସର୍‌‌ ବାଇକ୍‌‌ରେ ଆସି ତାଙ୍କ ବେକରୁ ସୁନାଚେନ୍‌‌ ଲୁଟି ନେଇଥିଲା। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। କେବଳ ସୁନାଚେନ୍‌‌ ଲୁଟେରା ନୁହେଁ ବାଇକ୍‌‌ ଚୋରି ଗ୍ୟାଙ୍ଗ ମଧ୍ୟ କମିସନରେଟ୍‌‌ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଶିବ ପ୍ରସାଦ ପରିଡ଼ା ଉଦୟଗିରି ଟିକଟ କାଉଣ୍ଟର ନିକଟରେ ଗାଡ଼ି ରଖି ପାହାଡ଼ ଉପରକୁ ଯାଇଥିଲେ।

ଫେରିବା ବେଳକୁ ତାଙ୍କ ଗାଡ଼ିକୁ କେହି ଚୋରି କରି ନେଇଯାଇଥିଲା। ଅନ୍ଧାରୁଆର ସନ୍ତୋଷ ଦାଶଙ୍କର ଗାଡ଼ିକୁ ଭରତପୁର ସନ୍ତୋଷୀ ନଗର ଅଞ୍ଚଳରୁ ଦୁର୍ବୃତ୍ତମାନେ ଚୋରିକରି ନେଇଯାଇଛନ୍ତି। ସେହିପରି ଭରତପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସୋନାଲି ପାତ୍ର ଷ୍ଟୁଡିଓ ଛକ ନିକଟରେ ସ୍କୁଟି ରଖି ପରିବା କିଣୁଥିଲେ। ୧୦ ମିନିଟ୍‌‌ ପରେ ଫେରି ଦେଖନ୍ତି ତ ତାଙ୍କ ସ୍କୁଟିକୁ କେହି ଚୋରିକରି ନେଇଥିଲା। ଜାଗମରା ବରବାରି ଅଞ୍ଚଳର ସନ୍ତୋଷ କୁମାର ଦାସ ତାଙ୍କ ଘର ଆଗରେ ସ୍କୁଟି ରଖିଥିଲେ। କିଛି ସମୟ ପରେ ତାଙ୍କ ସ୍କୁଟିକୁ ଚୋରିକରି ନେଇଥିଲା। ଖଣ୍ଡଗିରି, ଭରତପୁର ଓ ତମାଣ୍ଡୋ ଥାନା ଅଞ୍ଚଳରୁ ଗତ ମାସକ ମଧ୍ୟରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଗାଡ଼ି ଚୋରି ହୋଇଥିବାବେଳେ ୧୦ରୁ ଅଧିକ ସୁନାଚେନ ଲୁଟ୍‌‌ ହେଲାଣି। ପୁଲିସ କେତେକ ହାତ ଗଣତି ମାମଲାରେ ସଫଳତା ପାଇଥିଲେ ମଧ୍ୟ ବାକି ଲୁଟେରାଙ୍କ ପାଖରେ ପହଞ୍ଚି ପାରିନାହିଁ।

Leave A Reply

Your email address will not be published.