‘ସ୍କୁଲ୍‍ଯିବା, ସତର୍କ ହେବା; କରୋନାକୁ ଆମେ ଡରିବା ନାହିଁ’

ନୂଆବର୍ଷରୁ ଖୋଲିବ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ। ଦୀର୍ଘଦିନର ପ୍ରତୀକ୍ଷା ଅନ୍ତ ହୋଇଛି। କରୋନା କୋପରୁ ସାମାନ୍ୟ ଆଶ୍ୱସ୍ତି ପରେ ପିଲାଙ୍କ ପାଇଁ ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଜାନୁଆରୀ ୩ରୁ ଶ୍ରେଣୀ ଗୃହରେ ବସି ପାଠ ପଢ଼଼ିବେ। ସକାଳ ୯ ଘଟିକାରୁ ମଧ୍ୟାହ୍ନ ୧୨ଟା ଯାଏଁ ପିଲାଙ୍କର ପାଠପଢ଼଼ା ହେବ। ସ୍ଥିତିରେ ସୁଧାର ପରେ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଶେଷରେ ସୋମବାରରୁ ପ୍ରାଥମିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାନୁଷ୍ଠାନ ଖୋଲିଲେ କେଜିରୁ ପିଜି(ପ୍ରଥମରୁ ସ୍ନାତକୋତ୍ତର) ସମସ୍ତ ଶିକ୍ଷାନୁଷ୍ଠାନ ପୂର୍ଣ୍ଣକ୍ଷମତାରେ ଚାଲିବ।

ଅପରପକ୍ଷେ ରାଜ୍ୟରେ କୋଭିଡ-୧୯ର ନୂଆ ଭେରିଆଣ୍ଟ ‘ଓମିକ୍ରନ୍‍’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି। ପିଲାଙ୍କୁ ଟିକାକରଣ ପାଇଁ ଏଯାଏଁ ନିଷ୍ପତ୍ତି ହୋଇନି। ସେହିପରି ଫେବୃୟାରୀ ଶେଷରେ ରାଜ୍ୟର କରୋନା ସ୍ଥିତି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଉଛନ୍ତି। ଏପରି ସ୍ଥିତିରେ ଜାନୁଆରୀ ୩ରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା କେତେ ହିତକର ସେ ନେଇ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା…

ପିଲାଙ୍କ ସୁରକ୍ଷାକୁ ଧ୍ୟାନଦେବୁ

(ବ୍ରହ୍ମାନନ୍ଦ ମହାରଣା, ସଭାପତି, ପ୍ରାଥମିକ ଶିକ୍ଷକ ସଂଘ)
  • ରାଜ୍ୟ ସରକାରଙ୍କ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏନେଇ ଆମେ ବହୁ ପୂର୍ବରୁ ସରକାରଙ୍କୁ ଦାବି ଜଣାଇଥିଲୁ। ଦୁଇ ବର୍ଷହେଲା ପିଲାଙ୍କର ପାଠପଢ଼଼ା ଗୁରୁତର ପ୍ରଭାବିତ ହୋଇଛି। ପିଲାମାନେ ପାଠ ପଢ଼଼ିନାହାନ୍ତି। ଶିକ୍ଷକ ସଂଘ କେବଳ ଶିକ୍ଷକଙ୍କ କଥା ନୁହଁ, ଛାତ୍ରଛାତ୍ରୀଙ୍କ ହିତକୁ ମଧ୍ୟ ଦୃଷ୍ଟିରେ ରଖେ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୋମଳମତି ଛାତ୍ରଛାତ୍ରୀଙ୍କ ବ୍ୟାହତ ଥିବା ପାଠପଢ଼଼ା ପୁଣି ମୁଖ୍ୟସ୍ରୋତକୁ ଫେରିବ। ଆମେମାନେ ମଧ୍ୟ ଶିକ୍ଷାନୁଷ୍ଠାନରେ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବୁ।

ଅଭିଭାବକ ସଚେତନ ହୁଅନ୍ତୁ

(ରୀନା ରାଉତରାୟ, ସାମାଜିକ କର୍ମୀ )
  • ଦୁଇବର୍ଷ ହେବ କରୋନା କାରଣରୁ ଅନେକ ପିଲାଙ୍କ ପାଠପଢ଼଼ାରେ ସମସ୍ୟା ଦେଖାଦେଇଛି। ଯଦିଓ ଅନଲାଇନ୍‍ ଯୋଗେ ପାଠପଢ଼଼ା ଯାଉଛି ତଥାପି ଗାଁ ଗହଳିର ପିଲାମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଗରିବ ଶ୍ରେଣୀର ପିଲାମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ବିଦ୍ୟାଳୟରେ ବସି ପାଠ ପଢ଼଼ିବା ଏବଂ ଅନଲାଇନ୍‍ ମାଧ୍ୟମରେ ପଢ଼଼ିବା ମଧ୍ୟରେ ନିଶ୍ଚିତ ପାର୍ଥକ୍ୟ ରହିଛି। ତେଣୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ସୁରକ୍ଷା ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର, ସାନିଟାଇଜର ସଚେତନତା ପ୍ରତି ଉଭୟ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକ ଗୁରୁତ୍ୱ ଦେବା ଉଚିତ୍‍।

କଟକଣା କଡ଼ାକଡ଼ି ହେଉ

(ପ୍ରୀତିଛନ୍ଦା ଧଳ, ଅଭିଭାବିକା ତଥା ସାମାଜିକ କର୍ମୀ)
  • ଆସନ୍ତା ୩ତାରିଖରୁ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ଖୋଲିବା ଘୋଷଣା ନିହାତି ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଆଶା ଆଉ ଆଶଙ୍କା ଭିତରେ ଆମେ ରହିବା ସ୍ୱାଭାବିକ। ଆଶଙ୍କାକୁ ଏଡ଼ାଇ ଆମେ ଯଦି ସବୁ ବର୍ଗରେ ସଚେତନତା ଆଉ ସତର୍କତାକୁ ପ୍ରାଧାନ୍ୟ ଦେବା, ତାହେଲେ ଆମେ କିଛି ପରିମାଣରେ ବିପଦକୁ ଏଡ଼ାଇ ପାରିବା। ଏବେ ଆମେ ଏମିତି ପରିସ୍ଥିତିରେ ପହଞ୍ଚିଯାଇଛେ ଯେ, ପିଲାଙ୍କୁ ଆମେ ସବୁ ଜାଗାକୁ ଯିବାକୁ ଅନୁମତି ଦେଉଛେ, କିନ୍ତୁ ସ୍କୁଲ ଖୋଲିବା ପାଇଁ ନାନା ଚିନ୍ତାରେ ପଡ଼ି ଯାଉଛେ। ତେଣୁ ସରକାର ମଧ୍ୟ ଧ୍ୟାନ ଦେବା ଦରକାର ଯେ, ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଯେମିତି ଗାଇଡ୍‍ଲାଇନ୍‍ ଅନୁପାଳନ କରିବେ ଏବଂ ପିଲାଙ୍କ ନିମେନ୍ତ ଯଥେଷ୍ଟ ଯତ୍ନବାନ ହେବେ।

ଅଭିଭାବକଙ୍କ ସହ ବିଚାରବିମର୍ଶ କରିବା ଦରକାର ଥିଲା

(ବାସୁଦେବ ଭଟ୍ଟ, ଅଭିଭାବକ ମହାସଂଘ, ସଭାପତscho)
  • ଓମିକ୍ରନକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବାବେଳେ ସ୍କୁଲ ଖୋଲିବା ପୂର୍ବରୁ ସରକାର ଅଭିଭାବକଙ୍କ ସହ ବିଚାରବିମର୍ଶ କରିବା ଦରକାର ଥିଲା। ଘରୋଇ ସ୍କୁଲ ସପକ୍ଷରେ ଏପରି ନିଷ୍ପତ୍ତି ବିଭାଗ ଗ୍ରହଣ କରିଛି। ସମ୍ଭାବ୍ୟ ତୃତୀୟ ଲହର ସ୍ଥିତିରେ କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ କିଏ ନେବ? ଏଯାଏଁ ସେମାନଙ୍କ ଟିକାକରଣ ପାଇଁ କୌଣସି ନିଷ୍ପତ୍ତି ହୋଇନି। ଫେବୃଆରୀ ମାସରେ କରୋନା ସ୍ଥିତି ଆହୁରି ଗମ୍ଭୀର ସାଜିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। କୋମଳମତି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟ ନ ଖୋଲିଥିଲେ ଭଲ ହୋଇଥା’ନ୍ତା। -ବାସୁଦେବ ଭଟ୍ଟ, ଅଭିଭାବକ ମହାସଂଘ, ସଭାପତି
Leave a comment