ବଦଳିବ କାଶ୍ମୀର ବିବାଦର ଦିଗ ! ଭାରତ ସହ ମିଶିବାକୁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନବାସୀଙ୍କ ଜୋର୍‌ଦାର ଦାବି

ନୂଆଦିଲ୍ଲୀ: କଥାରେ ଅଛି ଯେତେବେଳେ ବିପଦ ଆସେ ଏକା ଆସେ ନାହିଁ, ବରଂ ସାଙ୍ଗସାଥୀଙ୍କୁ ନେଇ ଆସେ। ଏ କଥାର ତାତ୍ପର୍ଯ୍ୟ ଏବେ ପାକିସ୍ତାନରେ ଦେଖିବାକୁ ମିଳିଛି। ନିଜକୁ ଏକମାତ୍ର ଆଣବିକ ଇସଲାମିକ ରାଷ୍ଟ୍ର ଭାବେ ଗର୍ବ କରିଆସିଥିବା ପାକିସ୍ତାନର ମେରୁଦଣ୍ଡ ଏକପ୍ରକାର ଭାଙ୍ଗିବାକୁ ବସିଛି। କାଙ୍ଗାଳ ପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଏହି ରାଷ୍ଟ୍ରରେ ଲୋକମାନେ ଦିନକୁ ଦୁଇ ବେଳେ ଠିକ୍‌ ଭାବେ ଖାଇବାକୁ ଅସମର୍ଥ ହୋଇପଡ଼ିଥଲା ବେଳେ ଆଗକୁ ପାକିସ୍ତାନ ଏକ ବିଫଳ ରାଷ୍ଟ୍ର ଭାବେ ଆନ୍ତର୍ଜାତିକ ସମୁଦାୟ ଦ୍ବାରା ଘୋଷିତ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରୁ ନାହିଁ। ରାଜନୈତିକ କନ୍ଦଳ ଠାରୁ ଆରମ୍ଭ କରି ଆର୍ଥିକ ଦୁର୍ଗତି ଏବଂ ଆତଙ୍କବାଦର ଘୋର ସମସ୍ୟା ଭିତରେ ପାକିସ୍ତାନ ଏବେ ପେସି ହୋଇଯାଇଛି। କିନ୍ତୁ ଏସବୁ ବାଦ୍‌ ଆଉ ଏକ ସମସ୍ୟା ମଧ୍ୟ ପାକିସ୍ତାନ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତାହା ହେଉଛି ଗିଲଗିଟ୍‌ ବଲ୍ଟିସ୍ତାନ। ପାକ୍‌ ଅଧିକୃତ କାଶ୍ମୀର ବ୍ୟତୀତ ଗିଲଗିଟ୍‌ ବଲ୍ଟିସ୍ତାନକୁ ଭାରତ ନିଜର ଅଂଶ ଭାବେ ଦାବି କରିଆସୁଛି। ଏପରିକି ପିଓକେ ଏବଂ ଗିଲଗିଟ୍‌ ବଲ୍ଟିସ୍ତାନକୁ ଭାରତରେ ମିଶ୍ରଣ କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ପାକିସ୍ତାନ ଏହାକୁ ନିଜର ପ୍ରଦେଶ ଭାବେ ମାନ୍ୟତା ଦେଇ ନଥିଲେ ହେଁ ଏକ ସ୍ବତନ୍ତ୍ର ଅଞ୍ଚଳ ଭାବେ ଦଖଲ କରିଛି। ହେଲେ ସଂପ୍ରତି ଆର୍ଥିକ ଅନଟନକୁ ନେଇ ପାକିସ୍ତାନର ମୂଳ ଭୂଖଣ୍ଡରେ ହାହାକାର ପଡ଼ିଥିଲା ବେଳେ ଗିଲଗିଟ୍‌ ବଲ୍ଟିସ୍ତାନ ଭଳି ସ୍ବତନ୍ତ୍ର ଅଞ୍ଚଳକୁ ସରକାର ସୁବିଧା ଦେବାକୁ ଅକ୍ଷମ। ଯାହାକୁ ନେଇ ଏହି ଅଞ୍ଚଳରେ ବିଗତ କିଛି ଦିନ ହେଲା ବିକ୍ଷୋଭ ଜାରି ରହିଛି। ପାକିସ୍ତାନ ସରକାର ଏହି ଅଞ୍ଚଳକୁ କୌଣସି ସୁବିଧା ଯୋଗାଇ ଦେଉ ନାହାନ୍ତି ବରଂ ଏଠାରେ ଲୋକଙ୍କ ଉପରେ ଅତ୍ୟାଚାର ଚାଲିଛି ବୋଲି ଗିଲଗିଟ୍‌ ବଲ୍ଟିସ୍ତାନ ନେତାମାନେ ଦାବି କରିଛନ୍ତି। ଯାହାକୁ ନେଇ ଭାରତ ସହ ମିଶିବାକୁ ଏହି ନେତାମାନେ ଆହ୍ବାନ ଦେଇଛନ୍ତି।

ପୂର୍ବରୁ କେବଳ ପଞ୍ଜାବ ବ୍ୟତୀତ ପାକିସ୍ତାନର ଅନ୍ୟ ପ୍ରଦେଶ ପାକିସ୍ତାନ ଠାରୁ ଅଲଗା ହେବାକୁ ଦାବି କରିଆସିଥିଲା ବେଳେ ଭାରତ ସହ ମିଶିବାକୁ କୌଣସି ପ୍ରଦେଶ ଇଛା ପ୍ରକାଶ କରିନଥିଲେ। ହେଲେ ପ୍ରଥମ ଥର ପାଇଁ ଗିଲଗିଟ୍‌ ବଲ୍ଟିସ୍ତାନ ଭାରତ ସହ ମିଶିବାକୁ ଖୋଲାଖୋଲି ଭାବେ ଦାବି କରିଛି। ଏହି ଅଞ୍ଚଳର ଲୋକମାନେ ତୁରନ୍ତ ଲଦାଖର କାରଗିଲ ରାସ୍ତାକୁ ଗିଲଗିଟ୍‌ ସହ ଯୋଡି ଦେବାକୁ ଦାବି କରିଛନ୍ତି। ଦିନକୁ ଦିନ ଏହି ଦାବି ଜୋର ଧରିଥିଲା ବେେଳ ବିଦେଶରେ ରହୁଥିବା ବଲ୍ଟିସ୍ତାନ ନେତା ମଧ୍ୟ ଏଥିପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି।

କିନ୍ତୁ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ଏଯାବତ୍‌ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ହେଲେ ବିଭିନ୍ନ ସମୟରେ ଆନ୍ତର୍ଜାତିକ ମଞ୍ଚରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଭାରତ ବିରୋଧରେ ଅଭିଯୋଗ ରଖିଆସିଥିଲା ବେଳେ ଏବେ ପାକିସ୍ତାନର ମିଥ୍ୟା ବିଶ୍ବସ୍ତରରେ ପ୍ରମାଣିତ ହେବାକୁ ଯାଉଛି। କାରଣ ଗିଲଗିଟ୍‌ ବଲ୍ଟିସ୍ତାନ ହେଉଛି ଲଦାଖର ଏକ ଅଂଶ। ଜମ୍ମୁ କାଶ୍ମୀରରେ ଭାରତ ସରକାର ବର୍ଷ ବର୍ଷ ଧରି ଲୋକଙ୍କୁ ଅତ୍ୟାଚାର କରି ଆସିବା ସହିତ ଏଠାରେ ମାନବାଧିକାର ଉଲ୍ଲଂଘନ କରାଯାଉଛି ବୋଲି ପାକିସ୍ତାନ କହି ଆସିଛି। କିନ୍ତୁ ଏବେ ଭାରତରେ ମିଶିବାକୁ ଆଗ୍ରହ ପ୍ରକାଶ କରି ଗିଲଗିଟ୍‌ ବଲ୍ଟିସ୍ତାନ ବାସିନ୍ଦା ପାକିସ୍ତାନ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ପାକିସ୍ତାନର ମୁଖା ଖୋଲିଦେବ ବୋଲି କୁହାଯାଉଛି। ଏହାଦ୍ବାରା ଜମ୍ମୁ କାଶ୍ମୀରକୁ ନେଇ ଚାଲିଥିବା ବିବାଦର ଦିଗ ବଦଳଯିବ ବୋଲି ମଧ୍ୟ ରାଜନୀତିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

Leave a comment