ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍ ଡ୍ୟୁଟିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପହାର, ନିଯୁକ୍ତି ପରୀକ୍ଷାରେ ମିଳିବ ଅତିରିକ୍ତ ୫% ମାର୍କ

ଭୁବନେଶ୍ୱର : କୋଭିଡ୍ ଡ୍ୟୁଟି କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଖୁସି ଖବର। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କୁ ଅତିରିକ୍ତ ୫% ମାର୍କ ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସରକାର ପାରିତୋଷିକ, ଦୈନିକ ମଜୁରୀ, ପ୍ରୋତ୍ସାହନ ଭତ୍ତା ଆଧାରରେ ନିଯୁକ୍ତି ଦେଇଥିଲେ। ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଅବା ଏମ୍ପିଏଚ୍ଡବ୍ଲୁ (ପୁରୁଷ/ମହିଳା) ଆଦି ପଦବୀରେ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ତଥା ମେଡିକାଲ କଲେଜରେ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଅସ୍ଥାୟୀ ରହିଥିଲା। ପରବର୍ତ୍ତି ସମୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବାରୁ ସେମାନଙ୍କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟରୁ ଅନ୍ତର କରାଯାଇ ଥିଲା।

ତେବେ ମହାମାରୀ ସମୟରେ ସେମାନଙ୍କର ମହତ କାର୍ଯ୍ୟ ପାଇଁ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ସରକାର ନେଇଛନ୍ତି। ଯେଉଁ ସ୍ୱାସ୍ଥ୍ୟକର୍ମୀ ଅତିକମ୍ରେ ୩ ମାସ କିମ୍ବା ତଦୁର୍ଦ୍ଧ କୋଭିଡ୍ ଡ୍ୟୁଟି କରିଥିବେ ସେମାନଙ୍କୁ ନିଯୁକ୍ତି ପରୀକ୍ଷାର ସମୁଦାୟ ମାର୍କର ୫% ଅତିରିକ୍ତ ଭାବେ ପ୍ରଦାନ କରାଯିବ। ଏହି ସୁବିଧା ଏକକାଳୀନ ମିଳିବ। ସେମାନେ ନିଯୁକ୍ତି ପରୀକ୍ଷାରେ ପାଇଥିବା ମାର୍କରେ ଅତିରିକ୍ତ ମାର୍କ ସଂଯୋଗ କରାଯିବ ଯାହା ପରୀକ୍ଷାର ସର୍ବାଧିକ ମାର୍କ ଠାରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥା କେବଳ ଷ୍ଟାର୍ଫନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଅବା ଏମ୍ପିଏଚ୍ଡବ୍ଲୁ (ପୁରୁଷ/ମହିଳା) ନିଯୁକ୍ତି ପରୀକ୍ଷା ପାଇଁ ଲାଗୁ କରାଯିବ। ତେଣୁ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ସ୍ୱଳ୍ପକାଳୀନ କୋଭିଡ୍-୧୯ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଅତିରିକ୍ତ ମାର୍କ ପ୍ରଦାନ ନିୟମାବଳୀ-୨୦୨୨ର ପ୍ରଣୟନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

Leave A Reply

Your email address will not be published.