ଜର୍ମାନୀ ଝିଅ ଏବେ ବଲାଙ୍ଗିର ବୋହୂ, ବିବାହ ବନ୍ଧନରେ ବାନ୍ଧି ହେଲେ ଏମା- ସୌରଭ

ବଲାଙ୍ଗିର : ପ୍ରେମ ଚୀରସ୍ଥାୟୀ। ଜାତି, ଧର୍ମ, ବର୍ଣ୍ଣ ନାଁ ରେ ସାମଜ ଟାଣିଥିବା ଲକ୍ଷ୍ମଣରେଖା କୁ ପ୍ରେମ କେବେ ଖାତିର କରେନି। ରୋମିଓ -ଜୁଲିଏଟ, ହୀର-ରାଞ୍ଝା ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ନିଜ ପ୍ରେମକୁ ସାବ୍ୟସ୍ତ କରିବା ପାଇଁ ନିୟମ ନିତୀର ସୀମାରେଖା ପାର କରି ସେମାନେ ଏକ ହୋଇଛନ୍ତି। ଠିକ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ଦେଢଗାଁ ଠାରେ। ମନର ମିଳନ ସହିତ ଗଢିଉଠିଥିବା ପବିତ୍ର ସର୍ମ୍ପକ ସାତ ଦରିଆ ପାର କରି ଟାଣି ଆଣିଛି। ସ୍ୱପ୍ନର ରାଜକୁମାର କୁ ପାଇବା ପାଇଁ ସୁଦୂର ଜର୍ମାନୀ ର ଝିଅ ବଲାଙ୍ଗିର ର ବୋହୂ ସାଜିଛନ୍ତି।

ଜର୍ମାନୀର ମ୍ୟୁନିମ ସହରରେ ରହୁଥିବା ଝିଅ ଏମା ଦେଢଗାଁର ସୌରଭ ସେନାପତିଙ୍କୁ ବୈଦିକ ରିତୀନିତୀ ଅନୁସାରେ ବିବାହ କରିଛନ୍ତି। ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ରବିବାର ଦୁହିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସର୍ମ୍ପକରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଥିରେ ଉଭୟ ପରିବାର ଲୋକେ ଖୁସି ଥିବା ଜଣାପଡିଛି। ସୂଚନା ଅନୁସାରେ ପ୍ରେମଲାଲ ସେନାପତି ଙ୍କ ପୁଅ ସୌରଭ ଜର୍ମାନୀର ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି। ସ୍ଲୋଭେନିଆ ସହରର ଏମା ବିଧମ ଶେଖ ମଧ୍ୟ ସେହି କମ୍ପାନୀରେ କାମ କରନ୍ତି। ସହକର୍ମୀ ହୋଇଥିବାରୁ ପ୍ରଥମେ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା। ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଉଭୟେ ଉଭୟଙ୍କ ବିଷୟରେ ଜାଣିବା ଆରମ୍ଭ କରିଥିଲେ। ଏଥିରୁ ସେମାନଙ୍କ ମନରେ ପରସ୍ପର ପାଇଁ ପ୍ରେମ ଗଢିଉଠିଥିଲା। ସୌରଭଙ୍କ ଠାରୁ ଭାରତୀୟ ସଂସ୍କୃତି, ପରମ୍ପରା, ଖାଦ୍ୟପେୟ , ଭାଷା, ଚାଲିଚଲଣୀ ବିଷୟରେ ସେ ଜାଣିବାକୁ ପାଇଥିଲେ। ଏଥିରୁ ସେ ଭାରତ ପ୍ରତି ଆକର୍ଷିତ ହୋଇଥିବା ପ୍ରକାଶ କରିଥିଲେ। ଦୀର୍ଘ ତିନି ବର୍ଷ ଯାଏଁ ପ୍ରେମ ସର୍ମ୍ପକରେ ରହିବା ପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ତାଙ୍କର ପସନ୍ଦକୁ ପରିବାର ଲୋକେ ମଧ୍ୟ ଖୁସିରେ ଗ୍ରହଣ କରିଥିଲେ।

ଏନେଇ ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ହେବା ପରେ ଗତ ୨୦ ତାରିଖରେ ଭୁବନେଶ୍ୱରର ଏକ ହେଟେଲ ଠାରେ ତାଙ୍କର ବିବାହ ଆୟୋଜିତ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ଭାରତୀୟ ପରମ୍ପରା, ରିତୀନିତୀ ଅନୁସାରେ ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା। ରବିବାର ନବଦମ୍ପତ୍ତି ଗାଁ କୁ ଫେରିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏଥିରେ ଆମେରିକା, କ୍ରୋଏସିଆ, ସ୍ଲୋଭାନିଆରୁ ଝିଅ ଘରର ପ୍ରାୟ ୧୩ ଜଣ ସଦସ୍ୟ ସାମିଲ ଥିଲେ। ଡିଜେ ବାଜା ସହିତ ମହା ଆଡମ୍ବରରେ ନୂଆ ବୋହୂକୁ ପରିବାର ଲୋକେ ପାଛୋଟି ଆଣିଥିଲେ। ଏହି ସମୟରେ ଏମା ଓ ତାଙ୍କ ପରିବାର ଲୋକେ ମଧ୍ୟ ଡିଜେରେ ବାଜୁଥିବା ସମ୍ବଲପୁରୀ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା। ଏନେଇ ଏମା ଓ ତାଙ୍କ ପରିବାର ଲୋକଙ୍କୁ ପଚାରିବାରୁ ଭାରତୀୟ ସଂସ୍କୃତି ସେମାନଙ୍କ ମନକୁ ଛୁଇଁଥିବା କହିଥିଲେ। ଏହି ବିବାହରେ ସେମାନେ ଖୁସି ବ୍ୟକ୍ତ କରିଥିଲେ। ତେବେ ଜର୍ମାନୀ ର ଝିଅ ବଲାଙ୍ଗିର ର ବୋହୂ ସାଜିଥିବାରୁ ନବବଧୁ କୁ ଦେଖବାକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା।

Leave a comment