ପଶ୍ଚିମ ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରତ୍ନପଥର ଖଣିର ସନ୍ଧାନ !

ବରଗଡ଼: ପଶ୍ଚିମ ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରତ୍ନପଥର ଖଣିର ସନ୍ଧାନ ମିଳିଛି। ଜିଓଲୋଜିକାଲ୍‌ ସର୍ଭେ ପରେ ଏହି ଦୁଇ ଜିଲ୍ଲା ସମେତ ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳରେ ହୀରା ଓ ସୁନା ଖଣିର ସନ୍ଧାନ ମିଳିଥିବା ଜଣାପଡ଼ିଛି।

ବରଗଡ଼ ଜିଲ୍ଲାର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଞ୍ଚଳରେ ପ୍ରାକୃତିକ ସୁନାଖଣିର ସନ୍ଧାନ ମିଳିଛି। ୨୦୧୯ରେ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ (ଜିଏସ୍‍ଆଇ)ପକ୍ଷରୁ ଛତିଶଗଡ଼ ରାଜ୍ୟର ରାୟଗଡ଼, ଗୋରିଆବନ୍ଦ, ମହାସମୁନ୍ଦ, ବସ୍ତର ଏବଂ ଆନ୍ଧ୍ରପ୍ରଦେଶର କନାଗନପଲ୍ଲେ-ଧର୍ମାବରମ ଅଞ୍ଚଳରେ ହୀରା ଖଣିର ସନ୍ଧାନ କରିବାକୁ ସର୍ଭେ କରାଯାଇଥିଲା। ଛତିଶଗଡ଼ ଅଞ୍ଚଳର ଭୂଗର୍ଭୀୟ ସଂରଚନାକୁ ଦୃଷ୍ଟିରେ ରଖି ଜିଏସ୍‍ଆଇ ପକ୍ଷରୁ ଏରୋମାଗ୍ନେଟିକ୍‍ ଏବଂ ଜିଓକେମିକାଲ ସର୍ଭେ କରାଯାଇଥିଲା। ପୂର୍ବରୁ ଏହି ଅଞ୍ଚଳରେ ୟୁରାନିୟମ୍‍ ଆଇସୋଟୋପ୍‍ ସମେତ ୮ ପ୍ରକାର ବହୁମୂଲ୍ୟ ଖଣିଜ ସମ୍ପଦର ପ୍ରାରମ୍ଭିକ ଉପଲବ୍ଧି ସମ୍ପର୍କିତ ସୂଚନା ଜିଏସ୍‍ଆଇ ପାଖରେ ରହିଥିଲା। ନିକଟରେ କରାଯାଇଥିବା ସର୍ଭେରୁ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର-ପାଇକମାଳ- ଝାରବନ୍ଧ ସମେତ ଛତିଶଗଡ଼ର ରାୟଗଡ଼, ମହାସମୁନ୍ଦ ଓ ଗୋରିଆବନ୍ଦ ଅଞ୍ଚଳରେ ହୀରା ଓ ସୁନା ଗଚ୍ଛିତ ଥିବାର ପୁଷ୍ଟି ହୋଇସାରିଛି।

ତେବେ ଏହାର ବ୍ୟବସାୟିକ ଖନନର ସମ୍ଭାବନା ସମ୍ପର୍କରେ ପୁନର୍ବାର ଅନୁଧ୍ୟାନ ପାଇଁ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି। ଦ୍ୱିତୀୟଥର ସର୍ଭେ ରିପୋର୍ଟ ଚଳିତବର୍ଷ ଶେଷସୁଦ୍ଧା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହି ରିପୋର୍ଟ ଆଧାରରେ ଖଣିଗୁଡ଼ିକ ବ୍ୟବସାୟିକ ପାଇଁ ଉପଯୁକ୍ତ କି ନୁହେଁ, ତାହା ମଧ୍ୟ ସ୍ଥିର କରାଯିବ। ଏହାପରେ ଖଣି ଖନନ ପ୍ରକ୍ରିୟା ଆରମ୍ଭହେବ ବୋଲି ଜଣାପଡ଼ିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେନ୍ଦ୍ରସରକାରଙ୍କ ନବରତ୍ନ କମ୍ପାନୀ ଏନ୍‍ଏମ୍‍ଡିସି ସହାୟତାରେ କରାଯାଇଥିବା ସର୍ବେକ୍ଷଣରେ ପୂର୍ବରୁ ହୀରା ଏବଂ ସୁନାର ଉପସ୍ଥିତି ଜଣାପଡ଼ିଥିଲା। ସର୍ଭେ ସମୟରେ ଏହି ଅଞ୍ଚଳରୁ ସୁନା ଏକ ମିଶ୍ରଣ ଆକାରରେ କାଲାଭେରାଇଟ୍‍, ସିଲଭାନାଇଟ୍‍, ପେଟାଜାଇଟ୍‍ ଏବଂ କ୍ରାନ୍ରାଇଟ୍‍ ମୃତ୍ତିକା ଆକାରରେ ଉପଲବ୍ଧ ଥିବା ଜଣାପଡ଼ଛି।

ସାଟେଲାଇଟ ଡାଟା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ୩୦୦ ରୁ ୫୦୦ ମିଟର ଗଭୀରତାରୁ ପ୍ରାୟ ୧ ଟନ୍‍ ପଥର ବାହାର କରାଯାଇଥିଲା। ବରଗଡ଼ ଜିଲ୍ଲାର ପଦ୍ମପୁର-ପାଇକମାଳ ଓ ଝାରବନ୍ଧ ଅଞ୍ଚଳରେ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ଏବଂ ଏଟୋମିକି ଏନର୍ଜି ବିଭାଗ ପକ୍ଷରୁ ପୃଥକ୍‍ ପୃଥକ୍‍ ଭାବେ ଖନନ କରାଯାଇ ବାହାରିଥିବା ସମସ୍ତ ପଥର ଓ ମୃତ୍ତିକାକୁ ପୂର୍ବରୁ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ପଠାଯାଇଥିଲା। ପଠା ଯାଇଥିବା ପ୍ରତି ଏକ ଟନ୍‍ ପଥରରୁ ହାରାହାରୀ ୦.୬୯ ଗ୍ରାମ ଶୁଦ୍ଧ ସୁନା ମିଳିଥିବା ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ବରଗଡ଼ ଜିଲ୍ଲାର ଭଟଲି ବ୍ଲକର ଉଦ୍ଦୁନା ଅଞ୍ଚଳରେ ଉଭୟ ସୁନା ଓ ହୀରା ଉପଲବ୍ଧ ଥିବା ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ସୁତ୍ରରୁ ଜଣାପଡ଼ିଛି।

ବରଗଡ଼ ଜିଲ୍ଲାରେ ବିଗତ ତିନି ଦଶନ୍ଧି ହେଲା ଭଟଲିର ସୁଲୁସୁଲିଆ, ଉର୍ଦ୍ଦୁନା ଓ ଅମ୍ବାଭନା ଅଞ୍ଚଳରେ ଜିଏସ୍‍ଆଇ ପକ୍ଷରୁ ଖନନ କରାଯାଇଥିଲା। ଏପରିକି ଚାରି ଦଶନ୍ଧିତଳେ ସୁଲୁସୁଲିଆ ଡ୍ୟାମ ନିର୍ମାଣ ସମୟରେ ବାହାରୁଥିବା ହଳଦିଆ ଚକଚକ୍‍ କରୁଥିବା ମାଟିକୁ ଟ୍ରକ୍‍ ରେ ଲଦି ଅଜ୍ଞାତ ସ୍ଥାନକୁ ପଠାଯାଇଥିଲା। ସେ ସମୟରେ ସୁଲୁସୁଲିଆ ଡ୍ୟାମରୁ ସୁନା ମିଳୁଥିବା ଗୁଜବ ସୃଷ୍ଟି ହୋଇଥିଲା ଏବଂ ବରଗଡ଼ ସହରର ଅନେକ ବ୍ୟବସାୟୀ ରାତାରାତି ଧନି ହେବା ପାଇଁ ଡ଼୍ରିଲ ମେସିନ ଧରି ସମ୍ପୃକ୍ତ ସ୍ଥାନରେ ପହଞ୍ଚିଥିଲେ। ସେ ସମୟରେ ଏହାକୁ ଗୁଜବ କହି ଏଡ଼ାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏରୋ ମେଗ୍‍ନେଟିକ୍‍ ସର୍ଭେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହାର ସତ୍ୟତାକୁ ସ୍ୱୀକାର କରାଯାଇଛି। ବରଗଡ଼ ଜିଲ୍ଲାର ଜଳସେଚିତ ଅଞ୍ଚଳ ଧାନଚାଷ ପାଇଁ ସମୃଦ୍ଧି ଆଣିଦେଉଥିବା ବେଳେ ଏହି ଜିଲ୍ଲାର ଅଣଜଳସେଚିତ ଅଞ୍ଚଳରେ ହୀରା, ସୁନା, ୟୁରାନିୟମ ପରି ମୂଲ୍ୟବାନ ଖଣିଜ ସମ୍ପଦର ଉପଲବ୍ଧୀ ଆଗାମୀ ଦିନରେ ବରଗଡ଼ ଜିଲ୍ଲା ସମେତ ଝାରସୁଗୁଡ଼ା ଜିଲ୍ଲାର ଅବହେଳିତ ଉନେଶଖଣ୍ଡ ମୌଜାର ସମୃଦ୍ଧି ପାଇଁ ବାଟ ଖୋଲିବ ବୋଲି ଆଶାକରାଯାଉଛି। କାରଣ ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ବରଗଡ଼ -ଝାରସୁଗୁଡ଼ା- ଓ ଛତିଶଗଡ଼ ରାଜ୍ୟର ସନ୍ଧୀସ୍ଥଳରେ ହୀରା ବାହାରୁଥିବା କିମ୍ବରଲାଇଟ ପଥରର ସନ୍ଧାନ ମିଳିସାରିଛି।

Leave a comment