ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୁଦ୍ର ଆଁରେ ଉପକୂଳ: ଗଞ୍ଜାମ-ବାଲେଶ୍ୱର ସବୁଠି ମାଡ଼ୁଛି ସମୁଦ୍ର, ଆଜି ୬ ଉପକୂଳ ଜିଲ୍ଲା ପାଇଁ ହେବ ମାନସମନ୍ଥନ

ଭୁବନେଶ୍ୱର: ଗର୍ଜନ କରି ଆଗକୁ ଆଗ ମାଡ଼ି ଆସୁଛି ସମୁଦ୍ର। କ୍ଷିପ୍ର ବେଗରେ ଆସୁଥିବା ଜୁଆର ମାଡ଼ରେ ବିରାଟକାୟ ଅତଡ଼ାମାନ ଧସିବାରେ ଲାଗିଛି। କୌଣିସ ଗୋଟିଏ ଅଧେ ସ୍ଥାନ ନୁହେଁ ବର୍ତ୍ତମାନ ସାରା ଉପକୂଳ ଓଡ଼ିଶାରେ ଏହି ସ୍ଥିତି ସୃଷ୍ଟି ହୋଇଛି। ବହୁ ସ୍ଥାନରେ ସମୁଦ୍ର ଉଚ୍ଚ ଜୁଆର ମାଡ଼ି ଆସୁଛି। ମୁଖ୍ୟତଃ ପୁରୀ-କୋଣାର୍କ ମେରାଇନ୍‍ ଡ୍ରାଇଭ୍‍ରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ପାରାଦୀପର ଶିଆଳୀ ବେଳାଭୂମୀ ମଧ୍ୟ ସମୁଦ୍ର ଆଁରେ ଲୀନ ହେବାକୁ ବସିଛି। ଯେକୌଣସି ମୂହୁର୍ତ୍ତରେ ଶିଆଳି ବେଳାଭୂମିରେ ଥିବା ଭିୟ୍ୟୁ ଟାୱାର ଭଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଦୁଇ ସ୍ଥାନ ବ୍ୟତୀତ, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଅନେକ ସ୍ଥାନରେ ମଧ୍ୟ ସମୁଦ୍ରର ଉଗ୍ର ଜୁଆର ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମୁଦ୍ରର କରାଳ ରୂପକୁ ଦେଖି ରାଜ୍ୟର ଅନ୍ୟ କୌଣସି ସ୍ଥାନ ଯେ ସାତଭାୟା ଭଳି ନିଶ୍ଚିନ୍ନ ହୋଇ ନ ଯିବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପୁରୀ-କୋଣାର୍କ ମେରାଇନ୍‍ ଡ୍ରାଇଭ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ହେଲେ ସମୁଦ୍ର ଜୁଆର୍‍ ରାସ୍ତାକୁ ଚୁମୁଥିବା ବେଳେ କେତେବେଳ ଯେ ଏହି ରାସ୍ତା ଧୋଇ ହୋଇଯିବା ଆଶଙ୍କା ଦେଖା ଦେଇଛି। ଯଦିଓ ସମୁଦ୍ର ଜୁଆରକୁ ଦେଖି ସ୍ଥାନୀୟ ପ୍ରଶାସନ ବଡ଼ ଦେବା ସହ ବାଲି ବସ୍ତାର ବ୍ୟବସ୍ଥା କରୁଛି ହେଲେ ଏହା କେତେ ସ୍ଥାୟୀ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଗୁରୁବାର ରାଜ୍ୟ ସରକାର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ୀ, ପୁରୀ, ଗଞ୍ଜାମ, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ଉପକୂଳ/ନଦୀ ଅବକ୍ଷୟ ପାଇଁ ମାର୍ଗଦର୍ଶିକା ଓ ଏହାର ପ୍ରତିକାର ପାଇଁ ମାନସ ମନ୍ଥନ କରାଯିବ। ଉନ୍ନୟନ କମିସନର ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଏହି ୬ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ୬ ଜିଲ୍ଲାର ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଉପକୂଳ/ନଦୀ ଅବକ୍ଷୟ ସମ୍ପର୍କରେ ସୂଚନା ଦେବା ସହିତ ଏହାର ସୁରକ୍ଷା ପାଇଁ କେଉଁ ପଦକ୍ଷେପ ଆବଶ୍ୟକ ତାହାର ତଥ୍ୟ ରଖିବେ। ମୁଖ୍ୟତଃ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେବାକୁ ଥିବା ଏହି ବୈଠକରେ ରାଜନଗର, ଅସ୍ତରଙ୍ଗ ଓ ଚିକିଟିର ତହସିଲଦାର ମଧ୍ୟ ଉପସ୍ଥିତ ରହିବେ। ଏହି ତହସିଲ୍‍ଦାରଙ୍କ ଅଧିନରେ ଆସୁଥିବା ଉପକୂଳ ଅଞ୍ଚଳରେ ସ୍ଥିତି ସମ୍ବେଦନଶୀଳ ଥିବାରୁ ଏହି ତହସିଲ୍‍ଦାରମାନେ ଯୋଗଦେବେ ବୋଲି ଓସ୍‍ଡମା କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସେହିପରି କେନ୍ଦ୍ରାପଡ଼ାର ମୁଖ୍ୟ ପିଡି ଡିଆରଡିଏ ଯୋଗ ଦେବା ସହ ରାଜନଗର ବିଡିଓ ମଧ୍ୟ ରହିବେ ବୋଲି ଜଣାପଡ଼ିଛି।

୨୦୨୧ ମସିହା ଅଗଷ୍ଟ ମାସରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି (ଆଇପିସିସି) ପ୍ରକାଶ କରିଥିବା ରିପୋର୍ଟରେ ସମୁଦ୍ର ଗର୍ଭରେ ପାରାଦୀପ ଲୀନ ହୋଇଯିବା ନେଇ ଦର୍ଶାଇଥିଲା। ଚଳିତ ଶତାବ୍ଦୀ ଶେଷବେଳକୁ ଭାରତର ଉପକୂଳରେ ଥିବା ପାରାଦୀପ ସମେତ ୧୨ଟି ସହର ବୁଡ଼ିଯିବ ବୋଲି କୁହାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜଳପତନ ବଢ଼଼ିଚାଲିଛି। ପାଣିର ଉଚ୍ଚତା ବୃଦ୍ଧି ହେଉଛି। ପୂର୍ବରୁ ସାତଭାୟାରେ କୂଳ ଖାଉଥିଲା। ଦିନକୁ ଦିନ ଏହି ସମସ୍ୟା ବଢ଼଼ି ଚାଲିଥିବାରୁ ଗବେଶଣା ଅଭାବରୁ ଏହି ସମସ୍ୟା ସମ୍ପର୍କରେ ଜାଣି ହେଉନାହିଁ। ପ୍ରତିବର୍ଷ ରାଜ୍ୟକୁ ବାତ୍ୟା ବିପଦ ରହୁଛି। ସେହିପରି ଅନେକ ସମସ୍ୟା ଅନେକ ଅଞ୍ଚଳରେ ରହୁଛି। ମନିଟରିଂ ହେଉ ନ ଥିବାରୁ କିଛି ସମସ୍ୟା ଲୋକ ଲୋଚନକୁ ଆସିପାରୁ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave A Reply

Your email address will not be published.