ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ, ଖୋଲାଯିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଛତ୍ରପୁର : ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସ୍‌ୱାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ତଟବର୍ତ୍ତୀ ଓ ନଦୀ କୂଳିଆ ଅଞ୍ଚଳର ବ୍ଲକ ପ୍ରଶାସନକୁ ବିଶେଷ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୦୪ଟି ବହୁମୁଖି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଆଶ୍ରୟସ୍ଥଳୀମାନଙ୍କରେ ବିଦ୍ୟୁତ୍‌, ପାନୀୟଜଳ, ଶୌଚାଳୟଗୁଡ଼ିକୁ ପରିଷ୍କାର ରଖିବା, ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ସଜାଗ ରହିବାକୁ କୁହାଯାଇଛି ।

ସେହିଭଳି ଆବଶ୍ୟକ ପଡ଼ିଲେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତରିତ କରାଯିବ । ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହିତ ସମସ୍ତ ସରକାରୀ କର୍ମଚାରୀମାନେ ହେଡ୍‌ କ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳ କହିଛନ୍ତି । ଧାନ ଫସଲ ନଷ୍ଟ ହେବା ଆଶଙ୍କା ଅଧିକ ଥିବାରୁ କିପରି ସେଗୁଡ଼ିକ ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଯେଉଁ ଲୋକଙ୍କ ଫସଲ କଟାଯାଇଛି ଓ ସେସବୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସ୍ଥାନ ନାହିଁ ସେଗୁଡ଼ିକ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯିବାକୁ କୁହାଯାଇଛି ।

ସେହିପରି ଗାଈଗୋରୁ ସମେତ ବିଭିନ୍ନ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ପ୍ରାଣୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପଟୁ ଆସୁଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରାଯିବାକୁ ଜିଲ୍ଲାପାଳ କହିଛନ୍ତି । ବ୍ରହ୍ମପୁର ସହର ମଧ୍ୟରେ ଥିବା ବାହାନାଳ, ସାପୁଆନାଳଗୁଡ଼ିକରେ ଦଳ ଗଚ୍ଛିତ ହୋଇ ରହିଛି । ତୁରନ୍ତ ଏହାର ସଫେଇ କରି ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଆରଟିଓ ବିକାଶ ଚୌଧୁରୀ, ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Leave a comment