ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜନନାୟକ-ଚିନ୍ତାନାୟକଙ୍କ ମଧ୍ୟରେ ପାରାଳାଖେମୁଣ୍ଡିର ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅନ୍ୟତମ। ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ଏପ୍ରିଲ ୨୬ ବୈଶାଖ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ।

ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ତତ୍କାଳୀନ ମାନ୍ଦ୍ରାଜ ଗଲେ। ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଇଙ୍ଗ୍‌ଟନ୍‌ କଲେଜରେ ତାଙ୍କର ଶିକ୍ଷକ ଥିଲେ। ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା। ନିଉଇଙ୍ଗଟନ କଲେଜରୁ ପାଠପଢ଼ା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ। ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ। କୃଷ୍ଣଚନ୍ଦ୍ରଙ୍କର ଦୁଇ ପୁଅ। ପାଟରାଣୀଙ୍କର ଅକାଳ ବିୟୋଗ ଯୋଗୁଁ ବୈବାହିକ ଜୀବନ ତାଙ୍କର ଦୀର୍ଘସ୍ଥାୟୀ ହୋଇ ନଥିଲା। ତେବେ, ସେ ଦ୍ୱିତୀୟ ବିବାହ କରି ନଥିଲେ। ୧୯୭୪ ମସିହା ମେ’ ୨୫ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ। କୃଷ୍ଣଚନ୍ଦ୍ର ଥିଲେ ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି। ସ୍ୱତନ୍ତ୍ର ଓଡ଼ିଶା ପାଇଁ ବିଟ୍ରିଶ୍‌ ସରକାରଙ୍କ ନିକଟରେ ଦାବି ଜଣାଇବାକୁ ସେ ଲଣ୍ଡନରେ ଆୟୋଜିତ ଗୋଲ୍‌ଟେବୁଲ ବୈଠକରେ ଯୋଗଦେବା, ମଧୁବାବୁଙ୍କ ପରେ ସ୍ବତନ୍ତ୍ର ପ୍ରଦେଶ ଗଠନର ନେତୃତ୍ବ ନେବା, ଉତ୍କଳ ସମ୍ମିଳନୀକୁ ଉଜ୍ଜୀବିତ ରଖିବା ଆଦି ତାଙ୍କର ଦେଶପ୍ରୀତିର ମହାନ ଉଦାହରଣ।

ଅଧିକ ପଢନ୍ତୁ

ରାଜ୍ୟରେ ଶିକ୍ଷାର ବିକାଶ, କୁଟୀର ଶିଳ୍ପର ବିକାଶ, କୃଷିର ବିକାଶ, ଗମନାଗମନର ସୁବିଧା ଓ ସର୍ବୋପରି ଉତ୍କଳୀୟ ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ। ରାଜ୍ୟର ସମୃଦ୍ଧି ପାଇଁ ରାଜକୋଷରୁ ଅର୍ଥ ବିନିଯୋଗ କରି ସେ ଅନନ୍ୟ ଉଦାହରଣ ସୃଷ୍ଟି କରି ଯାଇଛନ୍ତି। କୃଷ୍ଣଚନ୍ଦ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଥିଲେ ଅନ୍ୟତମ କର୍ଣ୍ଣଧାର । ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ୧୯୩୭ ଏପ୍ରିଲ ୧ରେ ସେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ୧୯ ଜୁଲାଇ ୧୯୩୭ ଯାଏଁ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ। ୧୯୪୧ ନଭେମ୍ବର ୨୯ରେ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୪ ଜୁନ୍‌ ୨୯ ଯାଏଁ ଶାସନ ଭାର ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ସେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ କଟକ ମେଡିକାଲ କଲେଜ ତାଙ୍କରି କାର୍ଯ୍ୟକାଳରେ ହିଁ ସ୍ଥାପନ ହୋଇଥିଲା। ସେ ତାଙ୍କ ଶାସନ କାଳରେ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ। ପଣ୍ଡିତ ଗୋପୀନାଥ ନନ୍ଦ ସଙ୍କଳିତ ‘ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ’ର ମୁଦ୍ରଣ ସେ କରାଇଥିଲେ। ତାଙ୍କ ଆର୍ଥିକ ସହାୟତାରେ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ , ‘ଗୋପାଳକୃଷ୍ଣ ପଦ୍ୟାବଳୀ’ ଏବଂ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପଞ୍ଚମ ଖଣ୍ଡ ମଧ୍ୟ ପ୍ରକାଶିତ ହୋଇଥିଲା।

Leave A Reply

Your email address will not be published.