ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପବିତ୍ର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ରତ୍ନ ସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେବ । ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ବଳଭଦ୍ର ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ । ସେହିପରି ଦେବୀ ସୁଭଦ୍ରା ପାଦ ଛନ୍ଦି ଏକ ପଦ୍ମ କଢ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସଂଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ ।

ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଗଜ କୁ ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ଗଜରାଜ ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍‌କ୍ଷଣାତ ଭକ୍ତଗଜଙ୍କୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।

ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ । ତତ୍ପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା । ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ଠାକୁର ମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃ ପ୍ରଚଳନ କରାଇଥିଲେ । ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ, ମଠଟିର ଅବଲୁପ୍ତି ପରେ କିଛି ବର୍ଷ ପାଇଁ ମନ୍ଦିର ପ୍ରଶାସନ ଖର୍ଚ୍ଚରେ ଏ ବେଶ ଅନୁଷ୍ଠିତ ହୋଇଥିଲା। ଅଳ୍ପ କିଛିବର୍ଷ ହେବ ଇମ୍ଫା କମ୍ପାନୀର ପରିଚାଳକ ବଂଶୀଧର ପଣ୍ଡାଙ୍କ ଦାନରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି ।

Leave a comment