ରାତି ପାହିଲେ ସାବିତ୍ରୀ, ଫଳ ବଜାରରେ ନିଆଁ

ବେଲଗୁଣ୍ଠା/ଭଞ୍ଜନଗର: ରାତି ପାହିଲେ ପତିବ୍ରତାର ପର୍ବ ସାବିତ୍ରୀ ଅମାବାସ୍ୟା । ସଧବା ମହିଳାମାନେ ସ୍ୱାମୀଙ୍କ ଶୁଭ ମନାସୀ ବ୍ରତ କରିବେ । ଏ ନେଇ ବେଲଗୁଣ୍ଠା ଅଞ୍ଚଳରେ ସଧବା ମହିଳାଙ୍କ ମଧ୍ୟରେ ତତ୍ପରତା ବୃଦ୍ଧି ପାଇଛି । ରବିବାର ବେଲଗୁଣ୍ଠା ବ୍ଲକ୍ର ବେଲଗୁଣ୍ଠା, ଗୋବରା, ଗାଙ୍ଗପୁର ବଜାରର ଷ୍ଟେସନାରୀ ଦୋକାନ, ଶାଢ଼ୀ ଦୋକାନ ଏବଂ ଫଳ ଦୋକାନରେ ସାବିତ୍ରୀ ଏବଂ ସତ୍ୟବାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ କରି ବଜାରରେ ସାବିତ୍ରୀ ମାନେ ବେଶ୍ ଉତ୍ସାହିତ ଥିବା ବେଳେ କିନ୍ତୁ ବଜାରରେ ଥିବା ଚଢ଼ା ଦରକୁ ଦେଖି ସତ୍ୟବାନଙ୍କ ମୁହଁ ଶୁଖି ଯାଇଥିବା ଭଳି ଜଣା ପଡ଼ୁଥିଲା । ବିଶେଷ କରି ଆଜି ଫଳ ବଜାରରେ ଦରଦାମରେ ନିଆଁ ଲାଗିଯାଇଥିଲା । ଆଜି ବଜାରରେ କାକୁଡ଼ି ଗୋଟା ପିଛା ୨୦ଟଙ୍କା, ଆମ୍ୱ କିଲୋ ୧୦୦ରୁ ୧୨୦ଟଙ୍କା, ପଣସ ଗୋଟିକୁ ୩୦୦ଟଙ୍କା, ତାଳ ଗୋଟିକୁ ୫୦ଟଙ୍କା ସହ ଅନ୍ୟାନ୍ୟ ଫଳ ମଧ୍ୟ ଚଢ଼ା ଦରରେ ବିକ୍ରୟ ହୋଇଥିଲା । ଫଳ ବ୍ୟବସାୟୀଙ୍କ କହିବା ପ୍ରକାରେ ଚଳିତ ବର୍ଷ ଆମ୍ୱ, ପଣସ ପ୍ରଭୃତି ଫଳ ଆମଦାନୀ କମିଥିବାରୁ ଲୋକଙ୍କ ଚାହିଦା ଅନୁଯାୟୀ ଫଳ ଦର ଆକାଶ ଛୁଆଁ ହୋଇଛି ।