ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିର, ଶେଷ ଦିନରେ କାଳିଆ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼

ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଗତକାଲି ସଂନ୍ଧ୍ୟାରେ ବସିଥିବା ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ  ଏବଂ ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା କାରଣରୁ ଜାନୁୟାରୀ ୩୧ ଯାଏ ଜଗା ଦର୍ଶନ ବନ୍ଦ ରହିବ। ତେବେ ବିଧି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ଜାନୁଆରୀ ୧୦ ସୋମବାରରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ପାଇଁ ଘୋଷଣା କରିଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସୋମବାରଠୁ ମନ୍ଦ ଘୋଷଣା କରିଥିଲେ ହେଁ ଆଜି(ଶନିବାର) ମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ କାରଣ ରବିବାର ସାନିଟାଇଜ ପାଇଁ ବନ୍ଦ ରୁହେ ଶ୍ରୀମନ୍ଦିର। ଏଣୁ ଆଜି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଷେଶ ଦର୍ଶନ ହୋଇଥିବାରୁ ଭକ୍ତମାନେ ଶେଷ ଦର୍ଶନକୁ ହାତଛଡ଼ା କରିବାକୁ ଚାହୁଁନଥିଲେ। ଦୂର ଦୂରାନ୍ତରୁ ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଏପରିକି କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ଏପଟେ ଆଜି ରାତି ସାଢେ ୮ଟା ଯାଏଁ ଦର୍ଶନ ସୁଯୋଗ ଥିବାରୁ ସନ୍ଧ୍ୟାରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବାକୁ ଥିବାରୁ ସନ୍ଧ୍ୟା ପ୍ରାୟ ୬ଟା ପରେ ଅଣାୟତ ହୋଇଥିଲା ସ୍ଥିତି। ଅନେକ ଭକ୍ତଙ୍କ ଧର୍ୟ୍ୟଚ୍ୟୁତ ଘଟିବାରୁ ଧାଡ଼ି ଭାଙ୍ଗି ସୁଅ ଭଳି ଶ୍ରୀମନ୍ଦିର ଭିତରକୁ ମାଡ଼ି ଚାଲିଥିଲେ।

ଆଜି ୮.୩୦ରେ ଭକ୍ତଙ୍କ ମାନେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଶେଷ ଦର୍ଶନ କରିଛନ୍ତି। ଆଜିଠୁ ଜାନୁଆରୀ ୩୧ ଯାଏଁ  ଶ୍ରଦ୍ଧାଳୁ ଆଉ ମନ୍ଦିର ଭିତରକୁ ପ୍ରବେଶ କରିବେ ନାହିଁ। ମନ୍ଦିର ବନ୍ଦ ସମୟରେ ସହରବାସୀ ତଥା ଶ୍ରଦ୍ଧାଳୁ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ। ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଟୋକନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ ପୁଣି କଟକଣା ଲଗାଇଛି। ସୋମବାରଠାରୁ ପୁରୀ ଜିଲ୍ଲା ବାହାରର କୌଣସି ମୃତଦେହ ସ୍ବର୍ଗଦ୍ବାରରେ ଦାହ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ମହୋଦଧରେ ଅସ୍ଥି  ବିସର୍ଜନ ବି ବର୍ତ୍ତମାନ ପାଇଁ ବନ୍ଦ ରହିବ । ଜିଲ୍ଲା ମଧ୍ୟରୁ କୌଣସି ମୃତଦେହ ଆସିଲେ ତାଙ୍କର କୋଭିଡରେ ମୃତ୍ୟୁ ଘଟି ନ ଥିବା ସମ୍ପର୍କୀୟଙ୍କୁ ସ୍ବୀକାରପତ୍ର ଦେବାକୁ ପଡ଼ିବ ।

Leave a comment