ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ଟୋବରରୁ ଜୋର୍‌ଦାର୍‌ ହେବ ମହଙ୍ଗା ମାଡ଼

ନୂଆଦିଲ୍ଲୀ : ଖାଉଟିଙ୍କ ପାଇଁ ଖରାପ ଖବର। ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦରଦାମ୍‌ରେ ଘାଣ୍ଟି ହେଉଥିବା ସାଧାରଣ ଖାଉଟିଙ୍କ ପାଇଁ ଆଗାମୀ ଦିନଗୁଡିକ ଆହୁରି ଖରାପ ହେବ। ଚାଉଳ,ଗହମ, ଚିନି ଓ ଲୁଣ ପାଇଁ ଖାଉଟିଙ୍କୁ ଏବେ ଠାରୁ ଆଗକୁ ଆହୁରି ଅଧିକ ଅର୍ଥ ଗଣିବାକୁ ପଡିବ। କାରଣ ଆସନ୍ତା ଅକ୍ଟୋବର ମାସରୁ ରେଳ ମାଲ ଭଡ଼ା ବଢ଼ିବ। ଦୀର୍ଘ ୩ ବର୍ଷ ପରେ ରେଳବାଇ ପୁଣି ଥରେ ବିଜି ସିଜନ୍‌ ସରଚାର୍ଜ ଲାଗୁ କରିବ। ରେଳବାଇ ତା’ର ବିଜି ସିଜନ୍‌ ସରଚାର୍ଜରେ ୧୫ ପ୍ରତିଶତ ବୃଦ୍ଧି ଘଟାଇବ। ଯଦି ଏହା ହୁଏ ତେବେ ଅକ୍ଟୋବରରୁ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ। ଫଳରେ ବଜାରରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆହୁରି ବୃଦ୍ଧି ପାଇବ। ଦୀର୍ଘ ତିନି ବର୍ଷ ପରେ ରେଳବାଇ ପୁଣି ଥରେ ତା’ର ମାଲ ପରିବହନ ଉପରେ ୧୫ ବିଜି ସିଜନ୍‌ ସରଚାର୍ଜରେ ଆଦାୟ କରିବାକୁ ଯାଉଛି।

ଏହି କାରଣରୁ ବଜାରରେ ଚାଉଳ ଏବଂ ଗହମ, ଲୁଣ, ଚିନି, ସିମେଣ୍ଟ, ରାସାୟନିକ ସାର ଇତ୍ୟାଦି ମହଙ୍ଗା ହେବ। ପାର୍ବଣ ଋୁତୁ ଆରମ୍ଭ ହେବା ସହିତ ରେଳବାଇର ବିଜି ସିଜନ୍‌ ଋତୁ ଆରମ୍ଭ ହୋଇଥାଏ। ଏହି ସମୟ ମଧ୍ୟରେ କେବଳ ଟ୍ରେନରେ ଯାତାୟାତ ବଢ଼ିଥାଏ ତା’ ନୁହେଁ ଟ୍ରେନ୍ ଯୋଗେ ସାମଗ୍ରୀ ପରିବହନ ଚାହିଦା ମଧ୍ୟ ବଢ଼ିଥାଏ । ତେଣୁ ପ୍ରତିବର୍ଷ ଅକ୍ଟୋବର ପହିଲାରୁ ଜୁନ୍ ୩୦ ପର୍ଯ୍ୟନ୍ତ ରେଳବାଇ ମାଲ ପରିବହନ ଉପରେ ବିଜି ସିଜନ୍‌ ସରଚାର୍ଜ ଆଦାୟ କରିଥାଏ। ପୂର୍ବରୁ ଏହି ସରଚାର୍ଜ ହାର ୧୨ ପ୍ରତିଶତ ରହିଥିଲା। ମାର୍ଚ୍ଚ ୨୦୧୮ରେ ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ୨୦୧୯ରେ ଯେତେବେଳେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ସ୍ଥିତିକୁ ଆସୁଥିଲା, ସେତେବେଳେ ରେଳବାଇ ବିଜି ସିଜନ୍‌ ସରଚାର୍ଜ ହଟାଇବାକୁ ନିଷ୍ପତ୍ତି ନେଇଥିଲା।

ଏହାପରେ ୨୦୨୦ରେ କରୋନା କାରଣରୁ ଏହି ନିଷ୍ପତ୍ତି ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଅର୍ଥନୀତି ଟ୍ରାକକୁ ଫେରି ଆସୁଥିବା ପରି ମନେ ହେଉଥିବାରୁ ରେଳବାଇ ଏହାକୁ ପୁନର୍ବାର ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ରେଳ ବୋର୍ଡର ଅଧିକାରୀମାନେ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ସାମଗ୍ରୀ ପରିବହନରେ ବିଜି ସିଜନ୍‌ ସରଚାର୍ଜ ଆଦାୟ କରାଯିବ। ତେବେ ସମସ୍ତ ପ୍ରକାର କୋଇଲା, କଣ୍ଟେନର ଏବଂ ଅଟୋମୋବାଇଲ୍ ପରିବହନକୁ ଏଥିରୁ ବାଦ୍‌ ଦିଆଯାଇଛି। ଯଦି ସିମେଣ୍ଟ, ଲୁହା ଇତ୍ୟାଦି ପରିବହନ ଉପରେ ମାଲ ଭଡ଼ା ବୃଦ୍ଧି କରାଯାଏ ତେବେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ଘରୋଇ ବଜାରରେ ପରିଲକ୍ଷିତ ହେବ। ଉଦାହରଣ ସ୍ବରୂପ ସିମେଣ୍ଟ, ଲୁହାର ପରିବହନ ମହଙ୍ଗା ହେବ। ଯାହାର ଫଳସ୍ବରୂପ ଘର ନିର୍ମାଣ କରିବା ମଧ୍ୟ ବହୁ ଗୁଣ ବଢ଼ିଯିବ।

Leave A Reply

Your email address will not be published.