ରାଜ୍ୟ ସରକାରଙ୍କ ମାଗଣା ସିଭିଲ ସର୍ଭିସ୍ କୋଚିଂ : ଆଜିଠୁ ଆବେଦନ ଆରମ୍ଭ, ୨୬ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର ବୃଦ୍ଧି ପାଇଁ ରାଜ୍ୟ ସରକାର ପୁନଶ୍ଚ ସିଭିଲ ସର୍ଭିସ କୋଚିଂ ଦେବେ। ପୂର୍ବ ଭଳି ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ପିଲାଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବ। ତେବେ ଚଳିତ ଥର ପ୍ରବେଶିକା ଭିତ୍ତିରେ ପିଲାଙ୍କୁ ମାଗଣା କୋଚିଂ ପାଇଁ ଚୟନ କରାଯିବା।
କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ/ମୁଖ୍ୟ) ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ଦିଆଯିବ । ଏଥର ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ ମାଗଣା କୋଚିଂ ଦିଆଯିବ । ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ୨୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ଏଥିପାଇଁ ମାର୍ଚ୍ଚ ୨୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।
ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଷ୍ଟେଟ ସିଲେକ୍ସନ ବୋର୍ଡ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ । ଏହି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଷ୍ଟେଟ ସିଲେକ୍ସନ ବୋର୍ଡକୁ ଚିଠି ଲେଖାଯାଇଛି । ପରୀକ୍ଷା କିପରି ହେବ ସେ ନେଇ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ ହେଇଛି । ପ୍ରବେଶିକା ପରୀକ୍ଷା ପାଇଁ ଶନିବାର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ୧୬ତାରିଖରୁ ଆଡ଼ମିଟ କାର୍ଡ ଡାଉନଲୋଡ କରିବେ । ୨୬ରେ ପରୀକ୍ଷା ଅନୁଷ୍ଠିତ ହେବ । ୨ଘଣ୍ଟା ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାରେ ଅବଜେକ୍ଟିଭ ପ୍ରଶ୍ନ ପଡ଼ିବ । ଏହି ପରୀକ୍ଷାରେ ଯେଉଁମାନେ ମନୋନୀତ ହେବେ, ସେମାନେ ସରକାରଙ୍କ ଠାରୁ ମାଗଣା ସିଭିଲ ସର୍ଭିସ କୋଚିଂ ପାଇବେ ।
ସୂଚନାଯୋଗ୍ୟ ରାଜ୍ୟ ସରକାର ୨୦୧୯ ମସିହାରେ ମାଗଣା ସିଭିଲ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସ୍ତରରେ ଆରମ୍ଭ କରିଥିବାବେଳେ ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଯୋଜନା ସଫଳ ହୋଇ ପାରି ନଥିଲା। ଜଣେ ବି ଛାତ୍ରଛାତ୍ରୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମ୍ ଉତ୍ତୀର୍ଣ୍ଣ କରି ନ ଥିଲେ। କୋଚିଂ ପରେ ବି ପିଲାଙ୍କ ପ୍ରଦର୍ଶନ ଭଲ ନ ରହିବା କାରଣରୁ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣଭାବେ ବନ୍ଦ କରାଯାଇଥିଲା। ତେବେ ଏହାକୁ ଚଳିତ ଥର ନୂଆ ଢଙ୍ଗରେ ଆରମ୍ଭ କରିବ ଉଚ୍ଚଶିକ୍ଷା ବିଭାଗ। ତେବେ ମାଗଣା କୋଚିଂ ଲାଗି ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍ ଆୟ ହୋଇଥିବା ଆବଶ୍ୟକ ଥିବାବେଳେ ମାଗଣା କୋଚିଂ ଲାଗି ଚୟନ ହେବାକୁ ଥିବା ପିଲାମାନେ କୋଚିଂ ନେବା ଦିନଠାରୁ ୨ ବର୍ଷ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ।
ତେବେ ଯେଉଁମାନେ ପ୍ରିଲିମ ପରୀକ୍ଷାରେ ସଫଳ ହେବେ ସେମାନଙ୍କୁ ମେନ୍ ଓ ସାକ୍ଷାତକାର ପରୀକ୍ଷା ଲାଗି ରାଜ୍ୟ ସରକାରଙ୍କ ଅନୁଦାନରେ ପ୍ରଶିକ୍ଷଣ ନେବେ। ସେହିପରି ଯେଉଁମାନେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ ୧ବର୍ଷ ପାଇଁ ପୁଣି ଥରେ କୋଚିଂ ନେବା ଲାଗି ସୁଯୋଗ ଦିଆଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କୋଚିଂ ଲାଗି ସମସ୍ତ ଅର୍ଥ ରାଶି ବହନ କରିବ।
ଅନ୍ୟପଟେ ଆଗକୁ ରାଜ୍ୟରେ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ।ରାଜ୍ୟ ସରକାର ବର୍ତ୍ତମାନ ବାହାର କୋଚିଂ ଅନୁଷ୍ଠାନକୁ ଦାୟିତ୍ୱ ଦେବା ଅପେକ୍ଷା ନିଜସ୍ୱ ପରିଚାଳନାରେ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପ୍ରସ୍ତୁତ କରିବା ଲାଗି ଯୋଜନା କରିଛନ୍ତି। ତଦନୁଯାୟୀ ଭୁବନେଶ୍ୱରରେ ଅତ୍ୟାଧୁନିକ ପୁସ୍ତକାଳୟ, ଡିଜିଟାଲ ଲର୍ଣ୍ଣିଂ ହବ ସହ ଗୋଟିଏ ପ୍ରଫେସନାଲ କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରାଯାଇଛି। ଏହି କୋଚିଂ ସେଣ୍ଟରରେ ୪୦୦ ପିଲାଙ୍କ ଲାଗି ମାଗଣା ରହିବାର ବ୍ୟବସ୍ଥା କରାଯାଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ନିଯୁକ୍ତି ପାଉଥିବା ନବନିଯୁକ୍ତ ଯୁବ ଆଇଏଏସ ଓ ବରିଷ୍ଠ ଆଇଏଏସ ଅଫିସର ପ୍ରତି ସପ୍ତାହରେ କୋଚିଂ ସେଣ୍ଟର ପରିଦର୍ଶନ କରି ଆଶାୟୀଙ୍କୁ ଦିଗଦର୍ଶନ ପ୍ରଦାନ କରିବେ। ସେହିପରି କୋଚିଂ ସେଣ୍ଟରର ପରିଚାଳନା, କୋଚିଂ ଦାୟିତ୍ୱ ନେଇଥିବା ଅନୁଷ୍ଠାନର ପାଠପଢ଼ା, ଦୈନିକ ଗତିବିଧି, ପିଲାମାନଙ୍କର ସମସ୍ୟା ବୁଝିବାକୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। କୋଚିଂ ସେଣ୍ଟର ପ୍ରତିଷ୍ଠା ଲାଗି ସରକାରଙ୍କ ପକ୍ଷରୁ ରାଜଧାନୀରେ ଦୁଇ ଏକର ଜମି ଯୋଗାଇ ଦିଆଯିବ। ସ୍ଥାୟୀ ଗୃହ ନିର୍ମାଣ ନହେବା ଯାଏଁ ସରକାର ଭଡ଼ାରେ ଘର ନେଇ କୋଚିଂ ସେଣ୍ଟର ପରିଚାଳନା କରିବେ।