ମା’ର ମୃତ୍ୟୁ ପରେ ପାଖ ମାଡିଲେନି ଜନ୍ମକଲା ଦୁଇ ପୁଅ, ମା’ର ଶବ କାନ୍ଧରେ ନେଇ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କଲେ ଚାରି ଝିଅ

ପୁରୀ : ସମସ୍ତେ କୁହନ୍ତି ସବୁ ବାପା ଆଉ ମାଆଙ୍କର ଇଚ୍ଛା ତାଙ୍କର ପୁଅ ଟିଏ ହେଉ। କାରଣ ପୁଅ ଟିଏ କୂଳରେ ଥିଲେ ମୁହଁରେ ନିଆଁ ଦେବ ଆଉ ସାତପୁରୁଷଙ୍କୁ ଉଦ୍ଧାର କରିବ। କାହିଁ କେତେ କାଳରୁ ଆମ ସମାଜରେ ଏହା ଚାଲି ଆସୁଛି। କିନ୍ତୁ ଯେତେବେଳେ ସେହି ପୁଅ ବାପା-ମାଙ୍କୁ ହତାଦର କରେ ଯାହାକୁ ବାପା-ମା ଜନ୍ମ ଦେଇ ଛୋଟରୁ ବଡ କରିଥାନ୍ତି । ଏପରି ବି ସମୟ ଆସେ ସମ୍ପତ୍ତି ପାଇଁ ସେହି ପୁଅ ବାପା-ମାଙ୍କୁ ପଚାରିବା ବା ଦୂରର କଥା ମୃତ୍ୟୁ ପରେ ତାଙ୍କ ମୁହଁରେ ନିଆଁ ଟିକିଏ ବି ଦିଏନାହିଁ। ଆଜି ବି ଆମ ସମାଜରେ ଏପରି ଅନେକ ଘଟଣା ଘଟୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀରେ । ମାଆର ଶବ ଶ୍ମଶାନକୁ ବୋହି ନେବା ପାଇଁ ଦୁଇ ପୁଅ ଆସିନଥିଲେ । ତେଣୁ ଚାରି ଝିଅ ଚାରି କାନ୍ଧରେ ମାଆର ଶବକୁ ସ୍ୱର୍ଗଦ୍ୱାରକୁ ନେଇ ଅନ୍ତିମ ସଂସ୍କାର କରିଥିଲେ।

ସୂଚନାଅନୁସାରେ ପୁରୀର ମଙ୍ଗଳାଘାଟର ୮୧ ବର୍ଷୀୟା ମହିଳା ଜଟି ସାହୁଙ୍କ ପରଲୋକ ହୋଇଥିଲା। ଜଟି ସାହୁଙ୍କର ମୃତ୍ୟୁ ପରେ କିଏ ତାଙ୍କ ଅନ୍ତିମ ସଂସ୍କାର କରିବ, ତାକୁ ନେଇ ଉଠିଥିଲା ପ୍ରଶ୍ନବାଚୀ । କାରଣ ଜୀବିତ ଥିବା ବେଳେ ଦୁଇ ପୁଅ ତାଙ୍କ ସୁଃଖଦୁଃଖ ବୁଝୁ ନଥିଲେ । ତେଣୁ ସେମାନେ ଅନ୍ତିମ ସଂସ୍କାର ନକରିବାକୁ ଶେଷ ବେଳେ ବାରମ୍ବାର କହିଥିଲେ ଜଟି । ଆଉ ତାହା ହିଁ ହେଲା ଦୁଇ ପୁଅ ଥାଇ ମାଆର ମୃତ୍ୟ ଖବର ପାଇ ମଧ୍ୟ ଘରକୁ ଆସିବାକୁ ଉଚିତ ମନେ କଲେନି।

ଆଉ ଏହି ସମୟରେ ଆଗେଇ ଆସିଲେ ଜଟି ସାହୁଙ୍କ ୪ ଝିଅ। ଚାରି ଝିଅ ସିତାମଣି, ସୁଶୀଳା, ସୁମିତ୍ରା ଓ ସରସ୍ୱତୀ ସାହସର ସହ ଚାରିକାନ୍ଧ ଦେଇ ମାକୁ ୪ କିମି ଦୂର ସ୍ୱର୍ଗଦ୍ୱାରକୁ ବୋହି ନେଇଥିଲେ।ଏହାକୁ ଦେଖି ବନ୍ଧୁ ପରିଜନ ସମସ୍ତେ ହତବାକ ହୋଇଯାଇଥିଲେ ।ମାଆ ବୋଝ ବୋହି ସମସ୍ତଙ୍କୁ ମଣିଷ କରିଥିଲେ। ବସ୍ତାରେ ମୁଢି ଧରି ସାହି ସାହି ବୁଲି ବିକି ଯାହା ପଇସା ଆଣନ୍ତି ସେଥିରେ ନିଜ ପିଲାଙ୍କ ତୁଣ୍ଡରେ ଦେଇଥିବା ମାଆ କିନ୍ତୁ ନିଜ ପୁଅଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିଲେ। ଏଭଳି କି ବିଜୁଳି ଓ ପାଣି ଦେଉନଥିଲେ ପୁଅ ମାଆ ଛାଡ଼ି ଚାଲିଯିବା ପରେ ମଧ୍ୟ କାନ୍ଧେଇବାକୁ ଆସିଲେ ନାହିଁ। ଶେଷରେ ଦିଅର କୁଞ୍ଜ ମୁଖାଗ୍ନି ଦେଇଥିଲେ।ଚାରି ଝିଅ, ଜ୍ୱାଇଁ, ନାତି ଓ ସାହି ଲୋକେ ମିଶି ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି। ଦୁଇ ପୁଅଙ୍କ ବିନା ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ସେମାନଙ୍କ ବିନା ମା’ର ଦଶାହ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ଚାରି ଝିଅ । ୪ ଭଉଣୀଙ୍କ ଏପରି ସାହସିକତା ପୁରୀ ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମସ୍ତେ କହୁଛନ୍ତି ଏମିତି ଝିଅଙ୍କୁ ଶହେ ସଲାମ୍।

Leave a comment