ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ପରଲୋକ; ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ

ଦୁବାଇ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁସାରଫ । ଏନେଇ ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଦୁବାଇର ଆମେରିକାନ୍ ହସ୍ପିଟାଲରେ ମୁସାରଫ ଆଖି ବୁଜିଛନ୍ତି ।
ତେବେ ଅନେକ ଦିନ ଧରି ବିଭିନ୍ନ ଶରୀରିକ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲେ । ବିଶେଷ କରି ‘ଅମାଇଲାଇଡୋସିସ’ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର ହୋଇଛି ।
ପରଭେଜ୍ ମୁଶାରଫ୍ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ସେ ପାକିସ୍ତାନୀ ସେନାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ଭାରତ-ପାକିସ୍ତାନ କାର୍ଗିଲ ଯୁଦ୍ଧ ପାଇଁ ମୁଶାରଫ୍ଙ୍କୁ ଦାୟୀ କରାଯାଇଥିଲା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ଲଢିଲେ ମୁଶାରଫ୍ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।