ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେସିଆରଙ୍କ ନଜରରେ ଓଡ଼ିଶା : ଗମାଙ୍ଗ ପରିବାର, ଜୟରାମ ପାଙ୍ଗିଙ୍କ ସମେତ ୮ ପୂର୍ବତନ ବିଧାୟକ ଓ ୩ ସାଂସଦ ବିଆରଏସ୍‌ରେ ସାମିଲ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ର ବଡ଼ ଧରଣର ମିଶ୍ରଣ ପର୍ବ। ଆଜି ହାଇଦ୍ରାବାଦର ତେଲେଙ୍ଗାନା ଭବନରେ ଓଡ଼ିଶାରୁ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ବିଭିନ୍ନ ଦଳର ନେତା ବିଆରଏସ୍‌ରେ ଯୋଗ ଦେଇଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି ବିଆର୍‌ଏସରେ ଯୋଗ ଦେଇଛନ୍ତି। ୮ ଜଣ ପୂର୍ବତନ ବିଧାୟକ ଓ ୩ ଜଣ ପୂର୍ବତନ ସାଂସଦ ଏହି ତାଲିକାରେ ସାମିଲ ରହିଛନ୍ତି । ଦଳର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟର ନେତାମାନଙ୍କୁ ସମ୍ମାନିତ କରିବା ସହ ଦଳକୁ ସ୍ୱାଗତ କରିଛନ୍ତି ।

 

ମିଳିଥିବା ସୂଚନା ଅନୁଯାୟୀ, ବିଆର୍‌ଏସ୍‌ ରାଜ୍ୟର ଚାଷୀ, ଆଦିବାସୀ ଓ ତେଲୁଗୁ ଭୋଟରଙ୍କୁ ଧ୍ୟାନରେ ରଖି ରାଜ୍ୟ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି । ଦକ୍ଷିଣ ଓଡ଼ିଶାର ୪ଟି ଲୋକସଭା, ୨୮ଟି ବିଧାନସଭାରେ ତେଲୁଗୁ ଭୋଟରଙ୍କର ଉପସ୍ଥିତି ରହିଥିବା ବେଳେ ୨୦ଟି ବିଧାନସଭା କ୍ଷେତ୍ରରେ ତେଲୁଗୁ ଭୋଟର ନିର୍ଣ୍ଣାୟକ ଭୂମିକାରେ ରହିଛନ୍ତି । ବିଆର୍‌ଏସ୍‌ ଏହି ତେଲୁଗୁ ଭୋଟରଙ୍କୁ ଟାର୍ଗେଟ କରୁଛି । ଅନ୍ୟପକ୍ଷରେ ଆଦିବାସୀ ନେତାମାନଙ୍କୁ ସାଙ୍ଗରେ ରଖିବା ସହ କୃଷକ ଆନ୍ଦୋଳନର ନେତା ଅକ୍ଷୟ କୁମାରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ସେହିଭଳି ନିକଟ ଅତୀତରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପୁତ୍ର ଶିଶିର ଗମାଙ୍ଗ ବିଜେପିରେ ତାଙ୍କୁ ଅବହେଳା କରାଯାଉଥିବା କହି ଦଳ ତ୍ୟାଗ କରିଥିଲେ । ଏଣୁ ବିଆର୍‌ଏସ୍‌ରେ ଓଡ଼ିଶା ଶାଖାରେ ଗମାଙ୍ଗ ବାପ-ପୁଅଙ୍କୁ ପ୍ରମୁଖ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରୁଛି ।

ଶୁକ୍ରବାର ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ବିମାନବନ୍ଦରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଖି ଗିରିଧର ଗମାଙ୍ଗ କହିଛନ୍ତି ଯେ, ସେ ଓ ତାଙ୍କର ପୁରା ଟିମ୍‌ ବିଆର୍‌ଏସ୍‌ରେ ଯୋଗ ଦେବାକୁ ଯାଉଛନ୍ତି । ସେହିଭଳି ଦଳ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିସାରିଛି । ନିର୍ବାଚନ ତାରିଖ ଘୋଷଣା ହେଲେ ଦଳ ନିଜର ଆଭିମୁଖ୍ୟ ଜଣାଇବ । ସେହିଭଳି ଶିଶିର ଗମାଙ୍ଗ କହିଛନ୍ତି ଯେ ଆମ ସହ ଅନେକ ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗ ଦେଉଛନ୍ତି । ଆମେ ଏକ ଟିମ୍‌ ଗଢ଼ୁଛୁ । ସେହିଭଳି ଓଡ଼ିଶାର ୧୪୭ଟି ବିଧାନସଭା କ୍ଷେତ୍ର ଓ ୨୧ଟି ଲୋକସଭା କ୍ଷେତ୍ରରେ ବିଆର୍‌ଏସ୍‌ ପ୍ରାର୍ଥୀ ଦେବ । କେହି ହାରିବା ପାଇଁ ନିର୍ବାଚନ ଲଢ଼ନ୍ତି ନାହିଁ । ଆମେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନକୁ ଲକ୍ଷ୍ୟ ରଖି ନିର୍ବାଚନ ଲଢ଼ିବୁ । ୫ଶହ ଊଦ୍ଧ୍ୱର୍ ନେତା ଦଳରେ ଯୋଗ ଦେଇଥିବା ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବିଜେଡି ଏକ ମାଇଲଖୁଣ୍ଟରେ ପରିଣତ ହୋଇସାରିଛି । କେହି ଆସିୁବା କିମ୍ବା ଯିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ପାଖରେ କୌଣସି ଆହ୍ୱାନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଦଳ ଆଗାମୀ ନିର୍ବାଚନରେ ବିଜୟୀ ହେବ । ସେହିଭଳି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶା ରାଜନୀତି ଇତିହାସକୁ ଦେଖିଲେ ଜଣାପଡେ଼ ଯେ ବାହାରୁ ଆସିଥିବା ଆଞ୍ଚଳିକ ଦଳ ଓଡ଼ିଶାରେ ସଫଳ ହୋଇପାରିବ ନାହିଁ । ଏଭଳି ପ୍ରଚେଷ୍ଟା ପ୍ରଭାବ ଶୂନ୍ୟ ରହିବ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଲଢେ଼ଇ ହେବ ।

Leave A Reply

Your email address will not be published.