ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଲିମ ଦୁରାନିଙ୍କ ପରଲୋକ,କ୍ୟାନ୍ସରରେ ପୀଡିତ ହୋଇ ଥିଲେ ଚିକିତ୍ସାଧୀନ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ରବିବାର ସକାଳେ ତାଙ୍କ ଜାମନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। କ୍ୟାନ୍ସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧିନ ରହିଥିଲେ ସଲିମ ଦୁରାନି।

ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପ୍ରସିଦ୍ଧି ହାସଲ କରିଥିଲେ ଦୁରାନି । ସେ ଭାରତ ପାଇଁ ୨୯ଟି ଟେଷ୍ଟ ଖେଳି ୭୫ ୱିକେଟ୍ ନେଇଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୭୭/୧୦ । ଏହାଛଡ଼ା ସେ ବ୍ୟାଟ୍ସମ୍ୟାନ୍ ଭାବେ ୧୨୦୨ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୪ ଥିଲା ତାଙ୍କ ଶ୍ରେଷ୍ଠ ସ୍କୋର । ୧୯୬୧-୬୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତର ସିରିଜ୍ ବିଜୟରେ ଚମତ୍କାର ପ୍ରଦର୍ଶନ ସହ ଚର୍ଚ୍ଚାକୁ ଆସିଥିଲେ ଦୁରାନି । ସେ କୋଲକାତା ଏବଂ ଚେନ୍ନାଇ ଟେଷ୍ଟରେ ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ନେଇ ଭାରତକୁ ୨-୦ ସିରିଜ୍ ବିଜୟ ଦେଇଥିଲେ ।

ଆଫଗାନିସ୍ତାନ ଜନ୍ମିତ ଦୁରାନି ଗୁଜରାଟ ବିପକ୍ଷ ପ୍ରଥମ ରଣଜୀ ଟ୍ରଫି ମ୍ୟାଚରୁ ହିଁ ନିଜ ଅଲରାଉଣ୍ଡ ପ୍ରଦର୍ଶନ ସହ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥିଲେ । ୧୯୬୭ ରୁ ୧୯୭୦ ପର୍ଯ୍ୟନ୍ତ ଚାରି ସିଜନ୍ ଧରି ଡ୍ରପ୍ ହେବା ପରେ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦୁରାନୀ ଭାରତୀୟ ଦଳକୁ ଫେରିଥିଲେ । ଏବଂ ସେ ସେଠାରେ ଭାରତର ଐତିହାସିକ ପ୍ରଥମ ସିରିଜ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ସେ ଗ୍ୟାରି ସୋବର୍ସ ଓ କ୍ଲାଏଭ୍ ଲୟଡଙ୍କୁ ଆଉଟ୍ କରିଥିବା ବେଳେ ଭାରତ ଟେଷ୍ଟ ସହ ସିରିଜ୍ ଜିତିଥିଲା।

ଦୁରାନି ଏପରି ଜଣେ କ୍ରିକେଟର ଥିଲେ ଯିଏକି ଦର୍ଶକ ଦାବି କରିବା ମାତ୍ରେ ଛକା ମାରୁଥିଲେ । ଅର୍ଜୁନ ପୁରସ୍କାର ପାଇବାରେ ସେ ଥିଲେ ଭାରତର ପ୍ରଥମ କ୍ରିକେଟର । ଘରୋଇ କ୍ରିକେଟରେ ଦୁରାନି ସୌରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜରାଟ ପାଇଁ ରଣଜୀ ଟ୍ରଫି ଖେଳିଥିଲେ । କ୍ରିକେଟର ଦୁରାନି କ୍ରିକେଟ ଜଗତରେ ୬୦-୭୦ ଦଶକରେ ନିଜର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Leave A Reply

Your email address will not be published.