ବନ ବିଭାଗର ନିଘା ନାହିଁ: ପୋଡୁଛି ଜଙ୍ଗଲ, ବିପଦରେ ବନ୍ୟପ୍ରାଣୀ

ପୁରୀ: ବାରମ୍ବାର ଅଭୟାରଣ୍ୟରେ ନିଆଁ ଲାଗୁଛି। ନଷ୍ଟ ହେଉଛି ବନ୍ୟ ସମ୍ପଦ। ହେଲେ ଏଭଳି ଅଘଟଣ ପରେ ବି ବନ ବିଭାଗର ଚେତା ପଶୁନି। ପୋଡ଼ୁଛି ଜଙ୍ଗଲ, ନଷ୍ଟ ହେଉଛି ବନ୍ୟ ସମ୍ପଦ। ଏଥିସହ ବିପଦରେ ପଡୁଛନ୍ତି ବନ୍ୟପ୍ରାଣୀ। ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟରେ ଏହିଭଳି ସ୍ଥିତି ଦେଖିବାକୁ ମିଳୁଛି। ଚଳିତ ମାସରେ ୪ ଥର ଲାଗିଲାଣି ନିଆଁ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଅବସ୍ଥିତି ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ। ୪୦ କିମି ଲମ୍ବ ୮୭ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟର ପରିବେଶ ବେଶ୍ ମନମୁଗ୍ଧକର। ୟୁକାଲିପଟାସ, କାଜୁ, ଆକାଶିଆ, ଝାଉଁ, ଲିମ୍ବ ଆଦି ବିଭିନ୍ନ ପ୍ରଜାତିର ଗଛରେ ଏହା ପରିପୂର୍ଣ୍ଣ ଥିଲା।
ଏହାର ଶାନ୍ତ ଶୀତଳ ପରିବେଶରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ରହିଆସୁଥିଲେ। ହେଲେ ୨୦୧୯ ମେ’ ୩ ତାରିଖରେ ବଦଳିଯାଇଥିଲା ଏହାର ଚିତ୍ର। ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା ବାତ୍ୟା ଫନୀ। ବିଶେଷକରି ଫନୀ ବାଲୁଖଣ୍ଡ ଅଭୟାରଣ୍ୟରେ ମାଡ଼ ହେବା ପରେ ଏହାର ସବୁଜିମାକୁ ସମ୍ପୂର୍ଣ୍ଣ ଉଜାଡି ଦେଇଥିଲା। ଫନୀ ପରଠୁ କଟା ହୋଇ ଜଙ୍ଗଲ ଭିତରେ ରଖାଯାଇଥିବା କାଠ ବର୍ଷ ବର୍ଷ ଧରି ସ୍ଥାନାନ୍ତର ନ ହେବାରୁ ଟନ ଟନ ମୂଲ୍ୟବାନ କାଠ ଚୋରି ହେଲା। ଖରା, ବର୍ଷା ଖାଇ କାଠ ନଷ୍ଟ ବି ହେଉଛି। ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାଠ ଉଠିନାହିଁ। ସେହିପରି ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହେଉଛି। ଏଥିପ୍ରତି ନିଘା ରହୁନାହିଁ। ଜଙ୍ଗଲରେ ନିଆଁ ଲାଗିବା ହେଉ କିମ୍ବା ଅନ୍ୟ କୌଣସି ଅଘଟଣ ହେଲେ ବିଭାଗ ତତ୍ପରତା ଦେଖାଉଛି। କିନ୍ତୁ କିଛିଦିନ ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଚଳିତ ମାସରେ ବାଲୁଖଣ୍ଡରେ ୪ ଥର ଅର୍ଥାତ୍ ୧୩, ୧୬, ୨୦ ଏବଂ ୨୫ ତାରିଖରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀ ୩ ଥର ନିଆଁକୁ ଆୟତ୍ତ କରିଥିବା ବେଳେ ୨୫ ତାରିଖରେ ଲାଗିଥିବା ନିଆଁ କୁ ପରିବେଶପ୍ରେମୀ ଲିଭାଇଥିଲେ। ତେବେ ଜଙ୍ଗଲରେ କେମିତି ଲାଗୁଛି ନିଆଁ ? ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭୋଜିଭାତରୁ ଅଗ୍ନିକାଣ୍ଡ ଘଟୁଥିବା କୁହାଯାଉଛି। ଭୋଜି ପରେ ଅନେକ ନିଆଁ ନ ଲିଭାଇ ଚାଲିଯାଉଛନ୍ତି। ସେହିପରି କେହି କେହି ଅଧାପୋଡ଼ା ବିଡ଼ି, ସିଗାରେଟ୍ ଖାଇ ଜଙ୍ଗଲ ଭିତରେ ପକାଇ ଦେଉଥିବାରୁ ଘାସପତ୍ରରେ ଧୀରେ ଧୀରେ ନିଆଁ ଲାଗି ଏଭଳି ଅଘଟଣ ଘଟୁଛି। ହେଲେ ଏହାକୁ ବିଭାଗ ନା ପରିବେଶ ବିକାଶ ସମିତି(ଇଡିସି) କେହି ବି ଗୁରୁତର ଭାବେ ନେଉନାହାନ୍ତି। ଫଳରେ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ବେଳେ ବନ୍ୟ ସମ୍ପଦ ନଷ୍ଟ ହେଉଛି ଏବଂ ବନ୍ୟପ୍ରାଣୀଙ୍କ ଜୀବନ ବି ବିପଦକୁ ଠେଲି ହୋଇଯାଉଛି।
ସୂଚନାଥାଉ କି, ଗତବର୍ଷ ଜାନୁୟାରୀରେ ବେଲଦଳ ନିକଟରେ ଅଭୟାରଣ୍ୟର ୧୩ ନଂ. ଜୋନରେ ନିଆଁ ଲାଗି ପ୍ରାୟ ୬ ଏକର ଜଙ୍ଗଲ ଜଳିଯାଇଥିଲା। ସେହିପରି ଗତବର୍ଷ କୋଣାର୍କ ରେଞ୍ଜର ଚନ୍ଦ୍ରଭାଗା ବିଟ୍ ହାଉସ୍ ସଂଲଗ୍ନ ଅଭୟାରଣ୍ୟରେ ନିଆଁ ଲାଗିଥିଲା। ଏଥିରେ ଏକରରୁ ଅଧିକ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଥିଲା।