ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ଉଦବେଗ, ଜାଣନ୍ତୁ କ’ଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ?

ଭୁବନେଶ୍ବର : ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ପ୍ରଶ୍ନକାଳରେ ଜଙ୍ଗଲ ନିଆଁ ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ବିଜେପି ବିଧାୟିକା କୁସୁମ ଟେଟେ ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ସାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି, ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି। ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ ପ୍ରତିଶତକୁ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି।
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି ।
ନିଆଁଲଗାଙ୍କୁ ନିସ୍ତାର ନାହିଁ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ଆଦୌ ଛଡ଼ାଯିବନି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମନୁଷ୍ୟକୃତ ନିଆଁ ଯୋଗୁ ବନାଗ୍ନି ବଢ଼ୁଥିବାରୁ କଡ଼ାକଡ଼ି ଯାଞ୍ଚ ପାଇଁ କୁହାଯାଇଛି। ରାଜ୍ୟରେ ବନାଗ୍ନି ସ୍ଥିତିର ସମୀକ୍ଷା ବେଳେ ଗତକାଲି ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବ। ଏଥି ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ପାଲା, ଦାସକାଠିଆ, ଘୋଡ଼ାନାଚ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବନାଗ୍ନି ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଏବଂ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ କର୍ମୀମାନଙ୍କୁ ସାମିଲ କରାଯିବାକୁ ଯୋଜନା କରାଯାଇଛି।
ରାଜ୍ୟରେ ଜାନୁଆରୀରୁ ଜୁନ ମାସ ମଧ୍ୟମରେ ବନାଗ୍ନିର ବ୍ୟାପକତା ଅଧିକ ଆଶଙ୍କା ରହିଥିବାରୁ ଅନୁଧ୍ୟାନ ପ୍ରକ୍ରିୟାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଡିଭିଜନ ଏବଂ ରାଜ୍ୟସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଏବଂ ଏହି ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇବା ସହ ସେମାନଙ୍କୁ ଅଧିକ ସଂଖ୍ୟକ ନିଆଁ ଲିଭା ଯନ୍ତ୍ର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଜଙ୍ଗଲ ଗୁଡ଼ିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଉଛି। ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ।
ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪ ହଜାର ୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିଛି। ସେଥି ମଧ୍ୟରୁ ୧୪ ହଜାର ୩୯୩ଟି ସ୍ଥାନରେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି। ଓଡ଼ିଶା ଫରେଷ୍ଟ ମନିଟରିଂ ସିଷ୍ଟମ ସହ ପ୍ରାୟ ୮ ହଜାର ମୋବାଇଲ ଫୋନ ପଞ୍ଜୀକରଣ କରାଯାଇଛି ଏବଂ ସେଗୁଡିକ କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ରହିଛି। ଯାହାଦ୍ୱାରା ବନାଗ୍ନି ସମ୍ପର୍କରେ ତୁରନ୍ତ ଖବର ମିଳିବା ସହ ନିୟନ୍ତ୍ରଣରେ ସହାୟକ ହୋଇପାରୁଛି। ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି ମୁଖ୍ୟ ସଚିବଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।