ଛେଳିକୁ ବନ ବିଭାଗର ନାଲିଆଖି : ଜଙ୍ଗଲରେ ଡାଳପତ୍ର ଖାଇଦେଲା ବୋଲି ୩ ଦିନ ହେଲା ଛେଳି ଅଟକ

ବ୍ରହ୍ମପୁର : ଖସି ଯାଉଛନ୍ତି ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା କାଠ ମାଫିଆ କିନ୍ତୁ ଛେଳି ଡାଳ ଖାଇଲା ବୋଲି ୩ ଦିନ ହେଲା ବନ କର୍ମଚାରୀଙ୍କ ଅଫିସରେ ଅଟକ ଅଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଛେଳି ଚରୁଥିବା ବେଳେ ଛେଳି ଡାଳ ଖାଇଲା ବୋଲି ଛେଳି ନେଇଗଲେ ବନ କର୍ମଚାରୀ ।

ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ । କିନ୍ତୁ ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଏଥିରେ ରାଗି ଯାଇ ସେଠାରେ ଗଛ ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ଗୋଟିଏ ଛେଳିକୁ ଅଟକ ରଖିଥିଲେ ଓ ରାଗିଯାଇ ଛେଳି ଚରାଉଥିବା ଛେଳି ଗୋଠର ମାଲିକକୁ ଗାଳି ଗୁଲଜ କରିଥିଲେ । ଆଉ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ ।

ଛେଳିଟିକୁ ଛାଡିବା ପାଇ ବନ କର୍ମଚାରୀଙ୍କୁ ଛେଳି ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛେଳିଟିକୁ ଛାଡି ନଥିଲେ । ୩ଦିନ ହେଲାଣୀ ଛେଳିଟିକୁ ବନ କର୍ମଚାରୀ ଛେଳି ଗୋଠର ମାଲିକକୁ ଫେରାଉ ନଥିବା ବେଳେ ଛେଳିଟିକୁ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ ରୁମରେ ବନ୍ଦି କରି ରଖିଛନ୍ତି । ଯହା ଏବେ ଖଲ୍ଲିକୋଟ ଅଂଚଳରେ ଅଲୋଚନାର ବିଷୟ ପାଲଟିଛି ।

ବିଭିନ୍ନ ସମୟରେ ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୂଲ୍ୟବାନ ଶାଗୁଆନ କାଠକୁ କାଠ ମାଫିଆ କାଟି ନେଉଥିବା ଖବର ଆସୁଥିବା  ବେଳେ ଆଜି ଯାଏଁ କାଠ ମାଫିଆକୁ ଧରିବାରେ ସକ୍ଷମ ହୋଇ ପାରିନି ବନ ବିଭାଗ କିନ୍ତୁ ଛେଳି ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ନେଇ ବନ୍ଦି କରି ପୋଷ୍ଟମଟମ ରୁମରେ ରଖିବା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ସେପଟେ ବନ ବିଭାଗ ଅଧିକାରୀ କହିଛନ୍ତି ଛେଳିର ଲାଳନ ପାଳନ ହେଉଛି ତାର ମାଲିକ ଆସିବା ପରେ ଦିଆଯିବ।

Leave a comment