ଶୀତଳ ଷଷ୍ଠୀ ପାଇଁ ବାହାରିଲେ ୧୦୮ ଭରି ସୁନା ନାଗ

ସୋନପୁର: ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପାରମ୍ପରିକ ସେବାୟତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଜିଲ୍ଲା କୋଷାଗାରରୁ ଶୁକ୍ରବାର ବାହାରିଛନ୍ତି ୧୦୮ ଭରି ସୁନା ନାଗ। ଏହା ସହ ଦୁଇଟି ସୁନାର ମୁକୁଟ, ସୁନା ଚେନ, ନଅ ଗୁଟି ଯୁକ୍ତ ସୁନାର କଣ୍ଠି ମାଳ, ଦୁଇଟି ରୂପା ଛତ୍ର(ବଡ ଓ ସାନ), ମାତା ପାର୍ବତୀଙ୍କ ରୂପା ପ୍ରଭା ଏବଂ ରୂପାର ଝୁଲଣ ଖଟୁଳି ମଧ୍ୟ କୋଷାଗାରରୁ ବାହାର କରାଗଲା। ସୋନପୁର ଏସ୍‍ପି ସୀତାରାମ ଶତପଥୀ ଏବଂ ଉପ-ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଉପସ୍ଥିତିରେ ଦିନ ୧୨ଟାରେ କୋଷାଗାରରୁ ସୁନାର ନାଗ ପ୍ରତିମା ବାହାରିଲେ। ସେବାୟତ ମାନଙ୍କ ଦ୍ୱାରା ପ୍ରଥମେ କୋଷାଗାର ସମ୍ମୁଖରେ ପୂଜା ରୀତି ଅନୁଷ୍ଠିତ ହୋଇଥିଲା। ମନ୍ତ୍ର ଓ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଜିଲ୍ଲା କୋଷାଗାର ପରିସର। କୋଭିଡ ନିୟମ ମାନି ଫଳ, ପୁଷ୍ଣ ଓ ମିଷ୍ଟାନ୍ନ ଅର୍ପଣ ପୂର୍ବକ ଭୋଳା ବାବାଙ୍କୁ ପାଛୋଟି ନେଇଥିଲେ ଭକ୍ତ। ଥନାପତି ପଡ଼ା ସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ କଡା ସୁରକ୍ଷା ଭିତରେ ସୁନାର ନାଗ ପ୍ରତିମାଙ୍କୁ ରଖା ଯାଇଛି। ଆସନ୍ତା ବୁଧବାର ୧୬ ତାରିଖ ପବିତ୍ର ଶୀତଳ ଷଷ୍ଠୀ ଦିନ ବରବେଶରେ ଏହି ସୁନା ନାଗ ସଜ୍ଜିତ ହୋଇ ବାହାରିବେ। ସୁବର୍ଣ୍ଣମେରୁ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବାବାଙ୍କ ବିବାହ ମାତା ପାର୍ବତୀଙ୍କ ସହ ଅନୁଷ୍ଠିତ ହେବ।

ଚନ୍ଦ୍ରଶେଖର ମନ୍ଦିରରେ ଶନିବାରଠାରୁ ଦିନରେ ଚାରିଥର ଭୋଳା ବାବାଙ୍କ ପୂଜାର୍ଚ୍ଚନା କରାଯିବ। ମନ୍ଦିର ଖୋଲିବା ପରେ ପ୍ରାତଃ ସମୟରେ ପ୍ରଥମେ ଖେଚୁଡି ଭୋଗ ଅର୍ପଣ କରାଯିବ। ଖେଚୁଡି ସହ ଦହି, ପେଡ଼ା ପ୍ରଭୃତି ଲାଗି ହେବ। ପୁଣି ମଧ୍ୟାହ୍ନରେ ଖେଚୁଡି, ଖଟା, ତରକାରୀ, ଖିରୀ ଆଦି ଅର୍ପଣ କରାଯିବ। ସନ୍ଧ୍ୟା ପୂଜା ନିଶଙ୍ଖୁଡି କରାଯାଏ। ପେଡ଼ା, କଦଳୀ, ନଡିଆ ଆଦି ଭୋଳା ବାବାଙ୍କୁ ଅର୍ପଣ କରାଯାଏ। ରାତ୍ରିରେ ମଧ୍ୟ ଖେଚୁଡି ଭୋଗ ଅର୍ପଣ କଲା ପରେ ଦ୍ୱାର ବନ୍ଦ ହୋଇଥାଏ।

ସୋନପୁର ଶୀତଳ ଷଷ୍ଠୀର ସ୍ୱାତନ୍ତ୍ରତା ହେଲା ଭୋଳାବାବାଙ୍କ ବରଯାତ୍ରୀରେ ସାମିଲ ହୋଇଥାନ୍ତି ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଶମ୍ଭୁ। ଏହି ବିବାହୋତ୍ସବରେ ସାମିଲ ହେବା ପାଇଁ ଚନ୍ଦ୍ରଶେଖର ମନ୍ଦିରରୁ ଭୈରବ ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯାଇଥାନ୍ତି। ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୁଏ।
ଚଳିତବର୍ଷ କୋଭିଡ କଟକଣା ପାଳନ କରି ବିନା ଶୋଭାଯାତ୍ରାରେ କେବଳ ରୀତିନୀତି ପାଳନ କରି ବିବାହୋତ୍ସବ ଅନୁଷ୍ଠିତ ହେବ ବୋଲି ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି।

Leave a comment