ବଢୁଛି ଖାଦ୍ୟ ସାମଗ୍ରୀର ଦର: ଥରହର ସାଧାରଣ ଜନତା, ଆହୁରି ବଢ଼ିବ ବଜାର ଦର

ନୂଆଦିଲ୍ଲୀ : ଖାଉଟି ସାମଗ୍ରୀର ଉଚ୍ଚ ଦରରେ ଥରହର ସାଧାରଣ ଜନତା। ବଜାରରେ ଚାଉଳ, ଅଟା, ଡାଲିଠାରୁ ଆରମ୍ଭ କରି ଖାଇବା ତେଲ ଦର ଢ଼େର ଉପରେ। ଉଚ୍ଚ ବଜାର ଦରରେ ଖାଉଟିଙ୍କୁ ବାନ୍ଧି ରଖିବାକୁ ଏବେ ନିର୍ମାତା କ୍ରମାଗତ ଭାବେ ହ୍ରାସ ଘଟାଇବାରେ ଲାଗିଛନ୍ତି ପ୍ୟାକେଟ୍‌ରେ ଥିବା ସାମଗ୍ରୀର ଓଜନ ଆଉ ପ୍ୟାକେଟ୍‌ର ଆକାର। ଏସବୁ ଦୃଷ୍ଟିରୁ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। କାରଣ ମାସକୁ ମାସ ବଢ଼ିବାରେ ଲାଗିଛି ପାଇକାରୀ ମୁଦ୍ରାସ୍ଫୀତି।

ବର୍ତ୍ତମାନ ଦେଶରେ ଖାଉଟି ସାମଗ୍ରୀର ବଜାର ଦର ୨୪ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୯୮ ପରେ ଏମିତି ବଜାର ଦର କେବେ ବି ଦେଖିବାକୁ ମିଳିନାହିଁ। ଏପ୍ରିଲ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ଟପିଯାଇଛି। ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୧୪.୫୫% ରହିଥÒଲା। ମୁଦ୍ରାସ୍ଫୀତିରେ କ୍ରମାଗତ ଭାବେ ଏଭଳି ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି। ଏହାର ପ୍ରଭାବରେ ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି, ଯାହା ଆଗାମୀ ଦିନରେ ମହଙ୍ଗା ମାଡ଼କୁ ଆହୁରି ତୀବ୍ରତର କରିବ। ଚଳିତବର୍ଷ ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୧୫.୦୮ ପ୍ରତିଶତରେ ପହଞ୍ଚିଛି। ୧୯୯୮ ପରଠାରୁ ପ୍ରଥମ ଥର ପାଇଁ ପାଇକାରୀ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ଅତିକ୍ରମ କରିଛି। ୧୯୯୮ ଡିସେମ୍ବର ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ୧୫.୩୨ ପ୍ରତିଶତ ରହିଥିଲା।

ଏଥିସହିତ ପଢ଼ନ୍ତୁ

ଏହାପୂର୍ବରୁ ଚଳିତବର୍ଷ ମାର୍ଚ୍ଚରେ ମୁଦ୍ରାସ୍ଫୀତି ୧୪.୫୫ ପ୍ରତିଶତ ରହିଥିବାବେଳେ ଫେବୃଆରୀରେ ଏହା ୧୩.୧୧ ପ୍ରତିଶତ ରହିଥିଲା। ଏପ୍ରିଲ୍ ୨୦୨୧ଠାରୁ ପାଇକାରୀ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ରହିଆସିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏପ୍ରିଲ ମାସରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ୮.୩୫% ରହିଥିଲା, ଯାହାକି ମାର୍ଚ୍ଚରେ ୮.୦୬ ପ୍ରତିଶତ ରହିଥିଲା। ଅଶୋଧିତ ପେଟ୍ରୋଲିୟମ ସାମଗ୍ରୀ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଏପ୍ରିଲରେ ମୁଦ୍ରାସ୍ଫୀତି ୬୯.୦୭ ପ୍ରତିଶତ ରହିଥିଲା। ଏଥି ସହିତ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ୩୮.୬୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ମାର୍ଚ୍ଚରେ ୩୪.୫୨ ପ୍ରତିଶତ ରହିଥିଲା। ତୈଳ ଏବଂ ବିଦ୍ୟୁତ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ୩୮.୬୬ ପ୍ରତିଶତ ରହିଥିବାବେଳେ ଉତ୍ପାଦିତ ଦ୍ରବ୍ୟର ହୋଲସେଲ ମୁଦ୍ରାସ୍ଫୀତି ହାର ୧୦.୮୫ ପ୍ରତିଶତ ଏବଂ ତୈଳବୀଜରେ ୧୬.୧୦ ପ୍ରତିଶତ ଥିଲା।

ଏଥିସହ ଖାଦ୍ୟ ସାମଗ୍ରୀଠାରୁ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିସାରିଛି। ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲରେ ଖାଉଟି ମୂଲ୍ୟ ସୂଚୀ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ମେ’ ୨୦୧୪ରେ ମୁଦ୍ରାସ୍ଫୀତି ହାର ୮.୩୨ ପ୍ରତିଶତ ରହିଥିଲା।

Leave a comment