ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ସାଇବର୍‍ କ୍ରାଇମ୍‍ ଓ ଡ୍ରଗ୍ସ କାରବାର ରୋକିବାକୁ ଗୁରୁତ୍ବ ଦିଆଯିବ : ପ୍ରତୀକ ସିଂ

ଭୁବନେଶ୍ୱର : ରାଜଧାନୀର ନୂଆ ଡିସିପି ଭାବେ ୨୦୧୪ ବ୍ୟାଚ୍‍ର ଆଇପିଏସ୍‍ ପ୍ରତୀକ ସିଂ ନିଯୁକ୍ତ ହୋଇଛନ୍ତି। ୧୯୮୮ ମସିହାରେ ରାଜସ୍ଥାନ ଯୋଧପୁରରେ ଜନ୍ମିତ ଶ୍ରୀ ସିଂ ୨୦୧୦ରେ ଇଞ୍ଜିନିୟରିଂ ଶିକ୍ଷା ହାସଲ କରିବା ପରେ ୨୦୧୪ରେ ଆଇପିଏସ୍‍ ହୋଇଥିଲେ। ସେ ୨୦୧୬ରେ ବ୍ରହ୍ମପୁର ଏସ୍‍ପି ଭାବେ ଯୋଗ ଦେଇଥିଲେ। ପରେ ୨୦୧୭ରେ ମାଲକାନଗିରି ଏସ୍‍ପି, ୨୦୧୮-୨୦ରେ କନ୍ଧମାଳ ଏସ୍‍ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ମାଓବାଦୀ ଦମନରେ ସେ ଦକ୍ଷତାର ସହ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ୨୦୨୦-୨୨ରେ କଟକ ଡିସିପି ଭାବେ କାର୍ଯ୍ୟ କରିଥିଲେ। ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ ହେବା ପରେ ଦୈନିକ ‘ସକାଳ’ ପକ୍ଷରୁ ଶ୍ରୀ ସିଂଙ୍କ ସହିତ ଆଲୋଚନା କରିଥିଲେ ତ୍ରିନାଥ ମହାନ୍ତି।

ରାଜଧାନୀରେ ଡିସିପି ଭାବେ ଦାୟିତ୍ୱ ନେବା ପରେ ଅପରାଧ ନିୟନ୍ତ୍ରଣ କିପରି କରିବେ?

ଡିସିପି ଭାବେ ଦାୟିତ୍ୱ ନେବା ପରେ ପ୍ରଥମେ ଅପରାଧର ସମୀକ୍ଷା କରିବି। ସବୁ ଥାନା ଅଞ୍ଚଳରେ କେଉଁ ପ୍ରକାର ଅପରାଧ ଘଟୁଛି ସେନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବି। ପରେ ଅପରାଧ ନିୟନ୍ତ୍ରଣ ପାଇଁ ବ୍ଲ୍ୟୁ ପ୍ରିଣ୍ଟ୍‍ ପ୍ରସ୍ତୁତ କରାଯାଇ ଆକ୍ସନ୍‍ ନିଆଯିବ।

  • ସାଇବର୍‍ ଅପରାଧ ବଡ଼ ସମସ୍ୟା ହୋଇଛି, କିଭଳି ଅଦୃଶ୍ୟ ଅପରାଧୀଙ୍କୁ ସାବାଡ଼ କରିବେ?

ସାଇବର୍‍ ଅପରାଧ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଦୁଇଟି ପ୍ରକାରରେ ସାଇବର୍‍ ମାମଲାର ଡିଲ୍‍ କରାଯାଇଥାଏ। ଗୋଟିଏ ହେଉଛି ସଚେତନ, ଅନ୍ୟଟି ହେଉଛି ଡିଟେକ୍‍ସନ। ତେଣୁ ଛାତ୍ର ଏବଂ ବରିଷ୍ଠ ନାଗରିକଙ୍କୁ ସଚେତନ କରାଯିବ। ସାଇବର୍‍ ଠକେଇ ହେବା ପରେ କିଭଳି ଡିଲ୍‍ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ।

  • ରାଜଧାନୀରେ ପଡ଼ି ରହିଥିବା ମାମଲାକୁ କିଭଳି ସମାଧାନ କରିବେ?

ପୂର୍ବରୁ ଅନେକ ଥର ମାମଲା ଶେଷ କରିବା ପାଇଁ ମିଟିଂ ହୋଇଛି। ମାମଲାର ତଦନ୍ତ ଶେଷ କରିବା ପାଇଁ ଡ୍ରାଇଭ୍‍ ମଧ୍ୟ ଚାଲୁଛି। ତେଣୁ ମୁଁ କାର୍ଯ୍ୟରେ ଯୋଗ ଦେବା ପରେ ଦେଖିବି କେତେ ମାମଲା ପଡ଼ିଛି। ଆଉ ଥାନା ଅଧିକାରୀଙ୍କ ସହ କଥା ହୋଇ ସମାଧାନ କରିବାକୁ ଚେଷ୍ଟା କରାଯିବ।

  • ଅପରାଧ ନିୟନ୍ତ୍ରଣରେ ପୁଲିସ କି ଟେକ୍ନୋଲୋଜି ଆପଣାଇବ?

ଅପରାଧ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ। କାରଣ ଏବେ ଅପରାଧୀମାନେ ହାଇଟେକ୍‍ ହୋଇଗଲେଣି। ତେଣୁ ପୁଲିସକୁ ନୂତନ ଟେକ୍ନୋଲୋଜି ଆପଣାଇବାକୁ ପଡ଼ିବ। ଯେଉଁ ଟେକ୍ନୋଲୋଜି ଅଛି ତାହାକୁ ଭଲସେ ଚଲାଇବି, ଆଉ ନୂତନ ଟେକ୍ନୋଲୋଜି ମଧ୍ୟ ସାମିଲ୍‍ କରାଯିବ।

  • ନୂଆ ଡିସିପି ଆସିଲେ ପୁରୁଣା ଯୋଜନା ବନ୍ଦ ହୋଇଯାଏ, ତେଣୁ ଆପଣ ଆସିଲା ପରେ କଣ କରିବେ?

ପୂର୍ବରୁ ଯେଉଁ ସବୁ ଯୋଜନା ରହିଛି ତାହାକୁ ଭଲ ଭାବେ ଚଲାଇବି। ଆଉ ଯେଉଁ ଯୋଜନା ବନ୍ଦ ହୋଇ ପଡ଼ିଛି ତାହାକୁ ଚଲାଇବା ପାଇଁ ଉଦ୍ୟମ କରିବି ଏବଂ ଯାହା ଲୋକଙ୍କ ପାଇଁ ଭଲ ହେବ ସେଥିପାଇଁ ନୂଆ ଯୋଜନା ମଧ୍ୟ କରାଇବି।

  • ଡ୍ରଗ୍ସ ନିୟନ୍ତ୍ରଣ କରିବାରେ ଆପଣଙ୍କର ଭୂମିକା କଣ ରହିବ?

ଡ୍ରଗ୍ସ ହିଁ ଅପରାଧର ମୂଳ କାରଣ। ନିୟନ୍ତ୍ରଣ ପାଇଁ ଡ୍ରାଇଭ କରାଯାଉଛି। ତେଣୁ ଏହି ଡ୍ରାଇଭ୍‍କୁ ଯେମିତି ଅଧିକ ସକ୍ରିୟ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ରାଜଧାନୀରେ ନିଶା ମାଫିଆ ଏବଂ ନିଶା ବ୍ୟବସାୟୀଙ୍କୁ ସ୍ଥାନ ନାହିଁ।

  • ଭିଆଇପି ସୁରକ୍ଷା ପାଇଁ କଣ କରାଯିବ?

ଭିଆଇପି ସୁରକ୍ଷା ରାଜଧାନୀରେ ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜଧାନୀରେ ଭିଆଇପି ସୁରକ୍ଷା ସୃଦୃଢ଼ ରହିଛି। ଆଗକୁ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇ କାମ କରାଯିବ।

  • ରାଜଧାନୀରେ ଲୁଟେରା ଗ୍ୟାଙ୍ଗଙ୍କୁ କିଭଳି ସାବାଡ଼ କରାଯିବ?

ହାର୍ଡକୋର ଅପରାଧୀଙ୍କ ଅପରାଧ ଇତିହାସ ଖୋଳତାଡ଼ କରାଯିବ। ତାଲିକା ପରେ ସେମାନଙ୍କୁ ଜେଲ୍‍ ପଠାଇବା ପାଇଁ ପଦେକ୍ଷପ ନିଆଯିବ।

  • ବରିଷ୍ଠ ନାଗରିକଙ୍କ ପାଇଁ ଆପଣ କଣ ଲକ୍ଷ୍ୟ ରଖିଛନ୍ତି?

ବରିଷ୍ଠ ନାଗରିକଙ୍କୁ ପୁଲିସ ଅଧିକ ଗୁରୁତ୍ୱ ଦେବ। ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ।

Leave A Reply

Your email address will not be published.