ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ଟଉକଟାଏ’

୨୦୨୧ ର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଭାରତବାସୀ । ଚଳିତ ବର୍ଷ ର ପ୍ରଥମ ବାତ୍ୟା ର ନାମ ହେଉଛି ‘ଟଉକଟାଏ’ । ଉତ୍ତର ଭାରତରେ ହେବାକୁ ଥିବା ଏହି ବାତ୍ୟାର ନାମ ଦେଇଛି ମିଆଁମାର । ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯଦି ଅବପାତ ପରେ ବାତ୍ୟାର ରୂପ ନିଏ ତ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏହାବାଦ କେରଳ, ତାମିଲନାଡୁ ଓ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Leave a comment