ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ମଶାରୀ ବଣ୍ଟନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ ପୁରସ୍କାର

ସୁନ୍ଦରଗଡ଼ : ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସୁନ୍ଦରଗଡ଼କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟ ଏବଂ କେନ୍ଦୁଝର ଜିଲ୍ଲା ତୃତୀୟ ହୋଇଛି।

ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ଶୁଭେଚ୍ଛା ଜଣାଇଥିଲେ।ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କ୍ଷେତ୍ରସ୍ତରର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନରେ ସହଯୋଗ କରିଥିବା ଗୋଷ୍ଠୀ ସ୍ତରର କର୍ମୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


“ଆନୁଆଲ ପାରାସାଇଟ୍ ଇଣ୍ଡେକ୍ସ ଅନୁସାରେ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲା ଭାବରେ ସୁନ୍ଦରଗଡ଼ ପୂର୍ବରୁ ଯେଉଁ ସ୍ଥିତିରେ ଥିଲା, ସ୍ୱାସ୍ଥ୍ୟ ବିଭାଗର ନିରବଚ୍ଛିନ୍ନ ପ୍ରଚେଷ୍ଟା ଫଳରେ ସେଥିରେ ଯଥେଷ୍ଟ ଉନ୍ନତି ଆସିଛି। ଆୟତନ ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ରୁ ଅଧିକ ଦମନ କ୍ୟାମ୍ପ କରାଯାଇ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି । ଅତି ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏଲ୍‌ଏଲ୍‌ଆଇଏନ୍ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା, ଚିକିତ୍ସା ଏବଂ ତଦାରଖକୁ ତ୍ୱରାନ୍ୱିତ କରାଯାଇଛି। ଫଳରେ ଜିଲ୍ଲାରେ ମ୍ୟାଲେରିଆ ଯଥେଷ୍ଟ କମିଛି। ୨୦୨୫ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।


ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଏହାର ସଫଳ ପରିଚାଳନା ସହ ଏହି କାର୍ଯ୍ୟର ଡକ୍ୟୁମେଣ୍ଟେସନ ପାଇଁ ବିଭିନ୍ନ ଜିଲ୍ଲାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସୁନ୍ଦରଗଡ଼ର ବିଭିନ୍ନ ବଣପାହାଡ଼ ଓ ଦୁର୍ଗମ ଅଞ୍ଚଳରେ ମଶାରୀ ପହଞ୍ଚାଇବା, ସହରରୁ ଗାଁ ପର୍ଯ୍ୟନ୍ତ ବ୍ୟାପକ ଭାବେ ଏହି କାର୍ଯ୍ୟକ୍ରମକୁ ରୂପରେଖ ଦେବା ତଥା ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରି ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯାଇପାରିଛି, ତାହାର ପ୍ରାମାଣିକ ଚିତ୍ର ଭାବେ ଭିଡିଓ ଏବଂ ଫଟୋ ଡକ୍ୟୁମେଣ୍ଟେସନ କରାଯାଇଥିଲା। ଏହି ପ୍ରାମାଣିକ ସୂଚନା ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ସୂଚନା ଏବଂ ମାଗଦର୍ଶକ ହୋଇପାରିବ। ସୁନ୍ଦରଗଡ଼ ଜିଲ୍ଲାରେ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନର ଆମୂଳଚୂଳ ପ୍ରକ୍ରିୟାକୁ ପ୍ରଭାବୀ ଢଙ୍ଗରେ ରେକର୍ଡ କରି ସୁନ୍ଦରଗଡ଼ ପ୍ରଶାସନ ରାଜ୍ୟ ସରକାରଙ୍କଠାରୁ ଏହି ପୁରସ୍କାର ପାଇପାରିଛି।

ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ମ୍ୟାଲେରିଆ ନୋ ମୋର୍ – ଇଣ୍ଡିଆର ସହଭାଗିତାରେ ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି, ଓଡ଼ିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୧ ମସିହାରେ ୧୩ ଲକ୍ଷ ୬୧ ହଜାର ଏଲ୍‌ଏଲ୍‌ଆଇଏନ୍ ମଶାରୀ ବଣ୍ଟନ କରାଯାଇଥିଲା।ଜିଲ୍ଲାରେ ମ୍ୟାଲେରିଆର ସ୍ଥିତିକୁ ଆଖି ଆଗରେ ରଖି ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିଥିଲା ସୁନ୍ଦରଗଡ଼ ପ୍ରଶାସନ। ୨୦୧୭ରେ ପ୍ରଥମେ ଜିଲ୍ଲାରେ ଏଲଏଲ୍‌ଆଇଏନ୍ ବଣ୍ଟନ ଆରମ୍ଭ କରାଯାଇଥିଲା । ସେତେବେଳେ ଆଦିବାସୀ ଓ ଖଣି ପ୍ରଭାବିତ କ୍ଷେତ୍ର ତଥା ସହରାଞ୍ଚଳ ବସ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ଏହି ମଶାରୀ ପହଞ୍ଚାଇବାର ବ୍ୟବସ୍ଥା କରିଥିଲା ପ୍ରଶାସନ।

ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନତାମୂଳକ କାର୍ଯ୍ୟକ୍ରମ, ନିୟମିତ ବ୍ୟବଧାନରେ କାନ୍ଥବାଡ଼ରେ ଡିଡିଟି ସିଞ୍ଚନ ଏବଂ ମ୍ୟାଲେରିଆ ପ୍ରଭାବିତ କ୍ଷେତ୍ରରେ ରାପିଡ୍ ଟେଷ୍ଟିଂ କରାଯାଉଛି। ଜଳାଶୟ ଓ ସନ୍ତସନ୍ତିଆ ସ୍ଥାନରେ ଗମ୍ବୁସିଆ ମାଛ ଛଡ଼ାଯାଇ ମଶା ବଂଶ ବୃଦ୍ଧି ନିପାତ କରିବା ପାଇଁ ବ୍ୟବସ୍ଥା କରାଯାଉଛି।ମ୍ୟାଲେରିଆ ନିୟନ୍ତ୍ରଣରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ପ୍ରମୁଖ ଭୂମିକା ନେଉଛନ୍ତି। ଡିଡିଟି ସିଞ୍ଚନ, ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ ସହ ଏହାର ବ୍ୟବହାର ସମ୍ପର୍କରେ ସେମାନେ ତଦାରଖ କରୁଛନ୍ତି। ମ୍ୟାଲେରିଆ ସମ୍ପର୍କରେ ସୂଚନା ଦେବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ‘ହେଲୋ ପଏଣ୍ଟ’ ଚିହ୍ନଟ କରାଯାଇଛି।

ଏହି ସବୁ କାର୍ଯ୍ୟକ୍ରମ ଫଳରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆକୁ ଏକ ପ୍ରକାର ଦମନ କରାଯାଇପାରିଛି । ଜିଲ୍ଲାରେ ମ୍ୟାଲେରିଆ ପ୍ରବଣ ସ୍ଥାନ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ମ୍ୟାଲେରିଆ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମିବା ସହ ୨୦୨୦ରେ ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ଶୂନ ରହିଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନିୟମିତ କାର୍ଯ୍ୟକ୍ରମ ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଏବଂ ଓମ୍ବାଡ୍‌ସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଫଳରେ ମ୍ୟାଲେରିଆ ନିରାକରଣ ପାଇଁ ନିଆଯାଉଥିବା ବିବିଧ ପଦକ୍ଷେପ ଅଧିକ ପ୍ରଭାବଶାଳୀ ହୋଇପାରିଛି।

Leave A Reply

Your email address will not be published.