ଦେଶର ଅଧିକାଂଶ ବଡ଼ ରାଜ୍ୟର ଆର୍ଥିକ ସ୍ଥିତି ଶୋଚନୀୟ: ଆନ୍ଧ୍ର-ପଞ୍ଜାବରେ ‘ଶ୍ରୀଲଙ୍କା’ ସ୍ଥିତି

ଭୁବନେଶ୍ୱର: ଅତ୍ୟଧିକ ଋଣ ଯୋଗୁଁ ପଡ଼ୋଶୀ ଶ୍ରୀଲଙ୍କା ସ୍ଥିତି ଏବେ ଗୁରୁତର। ପାକିସ୍ତାନ, ନେପାଳ ସ୍ଥିତି ମଧ୍ୟ ଅତ୍ୟନ୍ତ ଖରାପ। ଏହି ଦେଶରେ ପେଟ୍ରୋଲିୟମ ସାମଗ୍ରୀ କ୍ରୟ ନିମନ୍ତେ ବୈଦେଶିକ ପାଣ୍ଠି ନାହିଁ। ଏପରିକି ବୈଦେଶିକ ମୁଦ୍ରାପାଣ୍ଠି ମଧ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି। ଆର୍ଥିକ ଦୃଷ୍ଟିରୁ ଦେବାଳିଆ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଋଣ ଭାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆନ୍ତର୍ଜାତିକ ବିକାଶ ସଂସ୍ଥା, ଆଇବିଆର୍ଡି, ଆଇଏଫ୍ଏଡି, ଏଡିବି, ଏନ୍ଡିବି, ୟୁରୋପୀୟ ଇନଭେଣ୍ଟମେଣ୍ଟ ବ୍ୟାଙ୍କ, ଜାପାନ୍ ସରକାର, ରୁଷୀୟ ଫେଡେରେସନ, ଏଆଇଆଇବିରୁ କେନ୍ଦ୍ର ସରକାର ବିପୁଳ ଋଣ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଋଣ ପରିମାଣ ପ୍ରାୟ ୨୫%ରୁ ଅଧିକ ବୃଦ୍ଧି ପାଇଛି। ଅନୁରୂପ ଭାବରେ ପ୍ରାୟ ୭.୭୭ ଲକ୍ଷ କୋଟି ଟଙ୍କା ଋଣ ଭାର ଆନ୍ଧ୍ର ପ୍ରଦେଶର ଆର୍ଥିକ ସ୍ଥିତିକୁ ଦୟନୀୟ କରିଛି। ପଞ୍ଜାବ, ମହାରାଷ୍ଟ୍ର ପରି ରାଜ୍ୟର ସ୍ଥିତି ମଧ୍ୟ ଅନୁରୂପ। ଏବେଠାରୁ ଆର୍ଥିକ ସ୍ଥିତିକୁ ଉପଯୁକ୍ତ ପରିଚାଳନା କରା ନ ଗଲେ ବିକଶିତ କୁହାଯାଉଥିବା ଏହି ବଡ଼ ରାଜ୍ୟର ସ୍ଥିତି ଶ୍ରୀଲଙ୍କା ଓ ପାକିସ୍ତାନ ପରି ହେବା ନେଇ ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି।
ନିକଟରେ ସଂସଦରେ କେନ୍ଦ୍ର ସରକାର ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଆର୍ଥିକ ସ୍ଥିତି ଖରାପ ଥିବା ରାଜ୍ୟ ତାଲିକାରେ ଆନ୍ଧ୍ରପ୍ରଦେଶ ଶୀର୍ଷସ୍ଥାନରେ ରହିଛି। ଏପରିକି ପଞ୍ଜାବ ଅପେକ୍ଷା ଆନ୍ଧ୍ର ସ୍ଥିତି ଆହୁରି ଖରାପ ହେବାକୁ ଯାଉଛି। ଗତ ୩ ବର୍ଷ ହେଲା ଆନ୍ଧ୍ର ସରକାର ଅଧିକରୁ ଅଧିକ ଋଣ କରୁଥିବାବେଳେ ସୁଧ ଓ ମୂଳ ପରିଶୋଧ ବନ୍ଦ କରି ଦେଇଛନ୍ତି। ଠିକାଦାରମାନଙ୍କର ବିପୁଳ ରାଶି ସରକାରଙ୍କ ଉପରେ ପଡ଼ି ରହିଛି। ମାଗଣା ସେବା ଓ ସାମଗ୍ରୀ ବଣ୍ଟନ ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଅନୁରୂପ ଭାବରେ ପଞ୍ଜାବ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟଗୁଡ଼ିକର ଋଣ ଓ ଜିଏସ୍ଡିପି ଅନୁପାତ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। ଏପରିକି ରିଜର୍ଭବ୍ୟାଙ୍କ ମାର୍ଗଦର୍ଶିକାକୁ ଅନେକ ସ୍ଥାନରେ ଉଲ୍ଲଙ୍ଘନ କରାଯାଇଛି ଓ ଋଣ ଅନୁପାତକୁ ମଧ୍ୟ ଏହି ରାଜ୍ୟଗୁଡ଼ିକ ଅତିକ୍ରମ କରିଛନ୍ତି।
ଚଳିତମାସ ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ ସଚିବସ୍ତରୀୟ ବୈଠକରେ ଯୋଗ ଦେବା ଅବସରରେ ସଚିବମାନେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଅବଗତ କରିଥିଲେ। ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିର ଉପଯୁକ୍ତ ପରିଚାଳନା ଅଭାବରୁ ଅବସ୍ଥା ଖରାପ ଆଡ଼କୁ ଗତି କରୁଛି। ଏବେଠାରୁ ସତର୍କ ନ ହେଲେ ଭବିଷ୍ୟତରେ ଏହି ରାଜ୍ୟର ଅବସ୍ଥା ଶ୍ରୀଲଙ୍କା ଓ ପାକିସ୍ତାନ ପରି ହେବା ଆଶଙ୍କା ରହିଛି ବୋଲି ସଚିବମାନେ ସୂଚନା ଦେଇଛନ୍ତି।