ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ : ଉଦଘାଟନୀ ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କଲା ଭାରତ

ରାଉରକେଲା : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପ୍ରୋ ଲିଗ୍‌‌ରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଉଦଘାଟନୀ ମ୍ୟାଚରେ ଭାରତ ଜର୍ମାନୀକୁ ୩-୨ ଗୋଲରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଆଜିର ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚ ଦେଖିଥିଲେ।

ଆଜିର ମ୍ୟାଚର ପ୍ରଥମରୁ ଭାରତ ଜର୍ମାନୀ ବିପକ୍ଷରେ ଦମ୍‌ଦାର ଖେଳ ପଦର୍ଶନ କରିଥିଲା। ପ୍ରଥମରୁ ଆଟାକିଂମୁଡରେ ଖେଳି ଗୋଲ ଦେବା ସହ ଆଗୁଆ ରହିଥିଲା ଭାରିତ। ତେବେ ଏହା ପରେ ଜର୍ମାନୀ ମଧ୍ୟ ଗୋଲ୍ ସ୍କୋର କରିବା ସହ ପ୍ରତ୍ୟାବର୍ତ୍ତନ କରିଥିଲା। ହେଲେ ଶେଷ ଭାଗରେ ଭାରତ ପୁଣି ଗୋଲ ଦେଇ ଆଗୁଆ ରହିବା ସହ ମ୍ୟାଚରେ ବିଜୟୀ ହୋଇଛି।


ସୂଚନାଯୋଗ୍ୟ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଜର୍ମାନୀ ସମେତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଅଷ୍ଟ୍ରେଲିଆକୁ ମଧ୍ୟ ଭେଟିବ। ରାଉରକେଲାରେ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଦୁଇଥର ଲେଖାଏ ଭେଟିବେ। ୧୨ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହାପର ଦିନ ଅର୍ଥାତ ୧୩ରେ ପୁଣି ଥରେ ଭାରତ ଓ ଜର୍ମାନୀ ଦ୍ୱିତୀୟଥର ପାଇଁ ପରସ୍ପରକୁ ଭେଟିବେ। ସେହିପରି ୧୫ରେ ଭାରତ ଓ ଜର୍ମାନୀ ଦ୍ୱିତୀୟଥର ପାଇଁ ମୁହାଁମୁହିଁ ହେବେ।

ଫୁଲଟନ ଦାୟିତ୍ୱ ନେବା ପରେ ଭାରତ ପ୍ରଥମଥର ପାଇଁ ୪ଟି ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଗତ ବିଶ୍ୱକପ୍‌‌ରେ ଭାରତ ଆଶନୁରୂପ ପ୍ରଦର୍ଶନ କରି ନପାରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରି ନଥିଲା। ଫଳରେ ପ୍ରଶିକ୍ଷକ ଦାୟିତ୍ୱରୁ ଅଷ୍ଟ୍ରେଲିଆର ଗ୍ରାହମ ରିଡ୍‌‌ ଓହରିଯାଇଥିଲେ। ଗତବର୍ଷ ଅକ୍ଟୋବରରେ ଭାରତ ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ ୨୦୨୨-୨୩ ଅଭିଯାନ ଆରମ୍ଭ କରିଥିଲା। କଳିଙ୍ଗ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌‌ ବିପକ୍ଷରେ ଭାରତ ମ୍ୟାଚ୍‌‌ ଖେଳିଥିଲା। ପ୍ରୋ ଲିଗ୍‌‌ ତାଲିକାରେ ଭାରତ ୪ଟି ମ୍ୟା୍‌‌ଚ ଖେଳି ୮ ପଏଣ୍ଟ ପାଇ ଏବେ ଚତୁର୍ଥ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‌‌ ଖେଳି ଜର୍ମାନୀ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହିଛି। ସେହିପରି ୪ଟି ମ୍ୟାଚ୍‌‌ ଖେଳି ଅଷ୍ଟ୍ରେଲିଆ ୪ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ଡ୍ରାଗ୍‌‌ ଫ୍ଲିକର ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌‌ ବିଫଳତାକୁ ପଛରେ ପକାଇ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ହରମନପ୍ରୀତ ଅନ୍ୟ ଦୁଇ ଖେଳାଳିଙ୍କ ସହ ମିଳିତ ଭାବେ ସର୍ବାଧିକ ୬ଟି ଗୋଲ ପ୍ରଦାନ କରିଛନ୍ତି। ଏହାପରେ ଭାରତ ଲଣ୍ଡନ ଯାଇ ସେଠାରେ ଗ୍ରେଟ ବ୍ରିଟେନ, ବେଲଜିୟମ, ନେଦରଲାଣ୍ଡସ ଓ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌‌ ଖେଳିବ। ଗତ ପ୍ରୋ ଲିଗ୍‌‌ ଶୃଙ୍ଖଳାରେ ଭାରତ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।

Leave a comment