ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍: ଅଲିମ୍ପିକ୍‌ ଚାମ୍ପିଅନକୁ ହରାଇଲା ଭାରତ

ବୁଏନ୍ସ ଆରିଏଜ୍‍: ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍’ର ଏକ ରୋମାଞ୍ଚକ ମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ଶୁଟ୍‍ଆଉଟ୍‍ରେ ଅଲିମ୍ପିକ୍ସ ଚାମ୍ପିଅନ୍‍ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‍ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ୨-୨ ଗୋଲରେ ଡ୍ର’ ରହିଥିଲା। ଏହାପରେ ପେନାଲ୍ଟି ଶୁଟ୍‍ଆଉଟ୍‍ର ସହାୟତା ନିଆଯାଇଥିଲା। ଯେଉଁଥିରେ ମନପ୍ରୀତ୍‍ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩-୨ରେ ଘରୋଇ ଆର୍ଜେଣ୍ଟିନାକୁ ମାତ୍‍ ଦେଇଥିଲା। ୨୦୨୦ ଫେବୃଆରୀ ପରେ ଭାରତର ଏହା ପ୍ରଥମ ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍ ମ୍ୟାଚ୍‍ ଥିଲା। ଡବଲ୍‍ ଗୋଲ୍‍ସ୍କୋର କରିଥିବା ଉପ-ଅଧିନାୟକ ହର୍‍ମନପ୍ରୀତ୍‍ ସିଂହ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହି ସମାନ ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଏହାର ୨ୟ ମ୍ୟାଚ୍‍ ରବିବାର ବିଳମ୍ବିତ ରାତିରେ ଖେଳିବାର କାର୍ଯ୍ୟସୂଚୀ ରହିଛି।

ଶେଷ ୨୫ ସେକେଣ୍ଡରେ କମାଲ୍‍
ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‍ର ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା। ତେବେ ମ୍ୟାଚ୍‍ର ୨୧ତମ ମିନିଟ୍‍ରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ କୌଣସି ତ୍ରୁଟି ନ କରି ଭାରତୀୟ ଦଳର ଉପ-ଅଧିନାୟକ ହର୍‍ମନପ୍ରୀତ୍‍ ସିଂହ ପ୍ରତିପକ୍ଷ ନେଟ୍‍ ମଧ୍ୟକୁ ପଠାଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ମାତ୍ର ୨ ମିନିଟ୍‍ ଅନ୍ତରରେ ମାର୍ଟିନ ଫେରେଇରୋ ୨ଟି ଗୋଲ୍‍ କରି ଘରୋଇ ଦଳକୁ ମ୍ୟାଚରେ ଦମ୍‍ଦାର ଭାବେ ପ୍ରତ୍ୟାବର୍ତ୍ତନ କରାଇଥିଲା। ମ୍ୟାଚର ୨୮ତମ ଓ ୩୦ତମ ମିନିଟ୍‍ରେ ମାର୍ଟିନ ଏହି ୨ଟି ଗୋଲ୍‍ ଦେବାରୁ ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ୧୦ଟି ଓ ଆର୍ଜେଣ୍ଟନା ୮ଟି ଶଟ୍‍ ପ୍ରାୟାସ କରିଥିଲେ ମଧ୍ୟ ଟାର୍ଗେଟ୍‍ ନିଷ୍ପ୍ରଭ ରହିଥିଲା। ଏହାପରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟରରେ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଅନ୍ତିମ ତଥା ୬୦ ମିନିଟ୍‍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ୨-୧ ଅଗ୍ରଣୀସ୍ଥିତିକୁ ବଜାୟ ରଖି ଏକ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। କିନ୍ତୁ ମ୍ୟାଚ୍‍ ଶେଷ ହେବାକୁ ୨୫ ସେକେଣ୍ଡ ବାକି ଥିବାବେଳେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପୁଣିଥରେ ହର୍‍ମନପ୍ରୀତ୍‍ କୌଣସି ତ୍ରୁଟି ନ କରି ଆର୍ଜେଣ୍ଟିନା ଗୋଲ୍‍କିପରଙ୍କୁ ଚକ୍‍ମା ଦେଖାଇ ମ୍ୟାଚ୍‍ ଛଡ଼ାଇ ଆଣିଥିଲେ। ଫଳରେ ମ୍ୟାଚ୍‍ ୨-୨ ଗୋଲରେ ଡ୍ର’ ରହିଥିଲା। ଏହାପରେ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‍ ଆଉଟ୍‍ର ସହାୟତା ନିଆଯାଇଥିଲା। ଯେଉଁଥିରେ ଭାରତ ପକ୍ଷରୁ ଲଳିତ୍‍ ଉପାଧ୍ୟାୟ, ରୂପିନ୍ଦରପାଲ୍‍ ସିଂ ଓ ଦିଲପ୍ରୀତ୍‍ ସିଂହ ଶୁଟ୍‍ଆଉଟ୍‍ରେ ଗୋଲ୍‍ସ୍କୋର କରିଥିଲେ। ସେହିଭଳି ଗୋଲ୍‍ରକ୍ଷକ ପିଆର୍‍ ଶ୍ରୀଜେଶ ଆର୍ଜେଣ୍ଟିନାର ଏକ ପ୍ରୟାସକୁ ଭଣ୍ଡୁର କରିଦେଇଥିଲେ। ଫଳରେ ମ୍ୟାଚ୍‍କୁ ଭାରତ ୩-୨ରେ ଜିତିନେଇଥିଲା।

ବିଜୟ ସହ ଭାରତ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍ ଟେବଲ୍‍ ତାଲିକାରେ ୭ ମ୍ୟାଚ୍‍ରୁ ୧୨ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‍ରୁ ୧୧ ପଏଣ୍ଟ ପାଇ ଆର୍ଜେଣ୍ଟିନା ୬ଷ୍ଠ ସ୍ଥାନ ହାସଲ କରିଛି।

Leave A Reply

Your email address will not be published.