ଗଞ୍ଜାମ ଜିଲ୍ଲାର ପୁରୁଣା ପୋଡ଼ାମପେଟାକୁ ଲହଡ଼ି ଭୟ; ଗୃହ ନ ପାଇ ଭୟରେ କାଳ କାଟୁଛନ୍ତି ୬ ପରିବାର

ଗଞ୍ଜାମ: ସମୁଦ୍ର ଅଶାନ୍ତ ହେବା ଫଳରେ ଗଞ୍ଜାମ ଜିଲ୍ଲାର କିଛି ଗାଁ ସମୁଦ୍ର ଗର୍ଭରେ ଲୀନ ହେବାର ପୂର୍ବରୁ ବହୁବାର ନଜିର ରହିଛି। ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ସମୁଦ୍ର ତଟବର୍ତ୍ତୀ ଗାଁ ଗୁଡ଼ିକ ପାଇଁ କାଳ ସାଜୁଛି। ଏଭଳି ସ୍ଥଳେ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଉଚ୍ଚ ଲହଡି ମାଡ଼ରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ଅବକ୍ଷୟ ହେବାରେ ଲାଗିଛି। ପାଳିବନ୍ଧ ପଞ୍ଚାୟତର ପୋଡାମପେଟା ଗ୍ରାମରେ ଗୋଟିଏ ପରେ ଗୋଟିଏ ଘର ସମୁଦ୍ରର ଆଁ ମଧ୍ୟରେ ହଜିଯାଉଥିବା ଲକ୍ଷ୍ୟ କରାଯାଉଛି। ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମର ୯୯ପ୍ରତିଶତ ଲୋକଙ୍କୁ ଅନ୍ୟତ୍ର ଥଇଥାନ୍‍ କରିଛି। ହେଲେ ଗୃହ ଯୋଜନାରୁ ବାଦ୍‍ ପଡ଼ିଥିବା ଉକ୍ତ ଗ୍ରାମରେ ରହିଯାଇଛନ୍ତି ୬ ପରିବାର। ସମୁଦ୍ରର ଭୟଙ୍କର ଗର୍ଜନ ସେମାନଙ୍କ ନିଦ ହଜାଇ ଦେଇଛି। ଭୟ ଓ ଆତଙ୍କିତ ଅବସ୍ଥାରେ ଗ୍ରାମରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଜେ. ସୁକାନ୍ତି, ଏଲ.ଭୀମାଦରା, ଏଲ.ଆଶିଷ, ସିଏଚ.ତ୍ରିନାଥ, ଏଲ.ଶ୍ରୀରାମ, ବି.ବାବାଜୀ ପ୍ରମୁଖ ୬ ପରିବାର। ପୂର୍ଣ୍ଣମୀ ଓ ଅମାବାସ୍ୟା ତିଥିରେ ନିଜ ଆଖି ସମ୍ମୁଖରେ ଗୋଟିଏ ପରେ ଗୋଟିଏ ପକ୍କାଘର ତାସ ପଡ଼ିଲା ପରି ଜୁଆରରେ ଭୁଶୁଡ଼ି ପଡ଼ିବାରେ ଲାଗିଛି ସମୁଦ୍ର ଗର୍ଭରେ। ସାମୁଦ୍ରିକ ଝଡ ‘ଅସନି’ ଅଧିକ ଭୟଙ୍କର ରୁପ ରଚିଥିଲା। ଉକ୍ତ ସମୟରେ ଗ୍ରାମରେ ରହିଥିବା ଗୋଟାକ ପରେ ଗୋଟିଏ ପକ୍କାଘର ସାଙ୍ଗକୁ ଅଧିକ ମାତ୍ରାରେ ହେନ୍ତାଳବଣ ଅବକ୍ଷୟ ହୋଇ ସମୁଦ୍ର ବେଳାଭୂମିରେ ଭୌଗୋଳିକ ପରିବର୍ତ୍ତନ ଘଟୁଛି। ଏଠାରେ ସୂଚନାଯୋଗ୍ୟ ଯେ, ପୋଡାମପେଟା ଗ୍ରାମଟି ପ୍ରତି ବିପଦ ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦୁମୁନାଗିରି ପାହାଡ଼ ପାଦଦେଶରେ ୨୦୧୩ ମସିହାରେ ସିଦ୍ଧାର୍ଥ ନଗରରେ ୧୦୨ ପରିବାରକୁ ଥଇଥାନ୍‍ କରାଯାଇଛି। କିଛିବର୍ଷ ହେଲା ଓଡିଆର୍‌ପି କଲୋନୀରେ ୩୭୦ ପରିବାରକୁ ଥାଇଥାନ୍‍ କରାଯାଇଛି।

ଉକ୍ତ ୬ ପରିବାରକୁ ସ୍ଥାନୀୟ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଗୃହ ଯୋଗାଇଦେଇ ଥଇଥାନ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ତେବେ କେବଳ ଗଞ୍ଜାମ ବ୍ଲକ ନୁହେଁ ଚିକିଟି ବ୍ଲକର ରାମେୟାପଟଣା ଗାଁର ବହୁ ଘର ସମୁଦ୍ର ଗର୍ଭରେ ଲୀନ ହୋଇଛି। ଏଠାରେ ରାଜ୍ୟସ୍ତରୀୟ ଟିମ୍‍ ମଧ୍ୟ ତଦନ୍ତ କରିଛନ୍ତି। ତେବେ ସମୁଦ୍ର ତଟବର୍ତ୍ତୀ ଗାଁ ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ଥଇଥାନ୍‍ କରାଗଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉକ୍ତ ପରିବାରମାନେ ବିପଦମୁଖରୁ ବଞ୍ଚିପାରିବେ ବୋଲି ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଛି।

Leave a comment