ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

H3N2 ଇନଫ୍ଲୁଏଞ୍ଜା ଭିତରେ କରୋନା ଭୟ : ଡାକ୍ତରଖାନା, ଔଷଧ, କିଟ୍‌ ପ୍ରସ୍ତୁତ ରଖିବାକୁ CDMO ମାନଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବର : ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ୍ ଭଳି ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ଘଣ୍ଟି ବାଜିଛି । ଥଣ୍ଡା, କାଶ ଓ ଜ୍ୱରରେ ଅନେକ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ କିପରି ବ୍ରେକ ଲାଗିବ ଏନେଇ ଚିନ୍ତା ବଢ଼ିଛି ।

ଦେଶ ଏବଂ ରାଜ୍ୟରେ ଏଚ୍୩ଏନ୍୨ ସଂକ୍ରମିତ ବଢୁଥିବା ବେଳେ ଏବେ ଏକ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଇନଫ୍ଲଏଞ୍ଜା ଭୂତାଣୁ ଭୟ ପୁଣି ଥରେ କୋଭିଡ୍‌ ନିୟମକୁ ଫେରାଇ ଆଣିଛି । ଯଦିଓ ବିଧିବଦ୍ଧ ଭାବେ କୋଭିଡ୍‌ କଟକଣା ଜାରି କରାଯାଇ ନାହିଁ ତେବେ ସମ୍ଭାବ୍ୟ ଗୁରୁତର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେ ଠାରୁ କୋଭିଡ୍‌ ନିୟମ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ନିବେଦନ କରିଛି । କୋଭିଡ୍‌ ସଂକ୍ରମଣ ସମୟରେ ଯେଉଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହାର ଦୋହରାଇବାର ସମୟ ଆସଛି । ଡାକ୍ତରଖାନା ପ୍ରସ୍ତୁତ ରଖିବା ସହିତ କୋଭିଡ୍‌ ପରୀକ୍ଷା, ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ମେଡିକାଲ କଲେଜ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ କିଛି ଦିନ ହେଲା ରାଜ୍ୟରେ ଥଣ୍ଡା, ଜ୍ୱର,କାଶ ଲାଗି ରହିଥିବା ବେଳେ ଅନେକ ଲୋକଙ୍କ ଠାରେ କୋଭିଡ୍‌ ଲକ୍ଷଣ ଦେଖା ଦେଉଛି । ଅନେକ ଲୋକ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଆଗକୁ ଏହା ଯେପରି ବଡ଼ ବିପଦ ସୃଷ୍ଟି ନ କରିବ ସେଥିପାଇଁ ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି । ଗତ କିଛି ଦିନ ହେଲା ରାଜ୍ୟରେ ଶ୍ୱାସ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ପଛରେ ଏଏଚ୍‌୧ଏନ୍‌୧ ଅବା ଏଚ୍‌୩ଏନ୍‌୨ ସଂକ୍ରମଣ ଦାୟୀ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି କରିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ଶ୍ୱାସ ପ୍ରଶ୍ୱାସ ସମସ୍ୟା ଜନିତ ମାମଲା ଅବା କୋଭିଡ୍‌ ଲକ୍ଷଣ ନଜରକୁ ଆସିଲେ ତାହାର ରିପୋର୍ଟ ତୁରନ୍ତ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ । ଉପଖଣ୍ଡ ସ୍ତରରେ ନମୁନା ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହିତ କୋଭିଡ୍‌ ପରୀକ୍ଷା ସୁବିଧା ଥିବା ଜ୍ୱର କ୍ଲିନିକ୍‌ ଖୋଲାଯିବ । କୋଭିଡ୍‌ ନେଗେଟିଭ୍‌ ଥାଇ ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଆରଏମ୍‌ଆରସିକୁ ପଠାଯିବ । ପରୀକ୍ଷା, ଅନୁଧ୍ୟାନ, ଚିକିତ୍ସା ଓ ଟିକାକରଣ ରଣନୀତି ପୂର୍ବଭଳି କାର୍ଯ୍ୟକାରୀ କରିବା ଆବଶ୍ୟକ । ଲୋକେ ଯେପରି କୋଭିଡ୍‌ ନିୟମ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନିଆଯିବ । ଅଯଥାରେ ଲୋକ ଗହିଳ ନ କରିବା, ଭିଡ଼ ସ୍ଥାନରୁ ଦୂରେଇ ରହିବା, ଥଣ୍ଡା/ଜ୍ୱର/କାଶ ଥିଲେ ମାସ୍କ ବ୍ୟବହାର କରିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା, ଭଲ ଭାବେ ହାତ ଧୋଇବା ଆଦି ଅଭ୍ୟାସ ଜାରି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯିବ ।

ଜିଲ୍ଲା ସ୍ତରରେ ମାଇକ୍ରୋବାୟୋଲୋଜିଷ୍ଟ ଉପଲବ୍ଧ ଥିଲେ ସିଡିଏମ୍‌ଓ/ପିଏଚ୍‌ଓ ମାନେ ଆରଟିପିସିଆର ପରୀକ୍ଷା ନିମନ୍ତେ କିଟ୍‌ କ୍ରୟ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଡାକ୍ତରଖାନାରେ ଔଷଧ, ଭେଣ୍ଟିଲେଟର୍‌, ଅମ୍ଲଜାନ, ଆଇସିୟୁ ତଥା ଅନ୍ୟାନ୍ୟ ସାମଗ୍ରୀ ମହଯୁଦ ରଖିବା ପାଇଁ ସିଡିଏମ୍‌ଓ, ପିଏଚ୍‌ଓ, ମେଡିକାଲ କଲେଜ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.