ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫ୍ୟାନ୍ସି ବଦଳରେ ପରିବେଶ ଅନୁକୂଳ ରାକ୍ଷୀ, ପୋତିଲେ ଉଠିବ ଗଛ

ଭୁବନେଶ୍ୱର: ଏଥର ଟ୍ରେଣ୍ଡ୍‍ କରୁଛି ପରିବେଶ ଅନୁକୂଳ ରାକ୍ଷୀ। ଚାଇନା ରାକ୍ଷୀ ନୁହେଁ ଦେଶୀ ରାକ୍ଷୀ ପାଇଁ ସମସ୍ତେ ମନବଳାଉଛନ୍ତି। ଭାଇ ଭଉଣୀର ସୁରକ୍ଷା ପାଇଁ ପବିତ୍ର ବନ୍ଧନକୁ ସୂତାର ଡୋରିରେ ବାନ୍ଧି ରଖିବେ। ଏବେ ପରିବେଶ ଅନୁକୂଳ ରାକ୍ଷୀ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ବହନ କରେ। ଏଥିପାଇଁ ରାଜଧାନୀର ସହରର ବିଭିନ୍ନ ସ୍ଥାନରେ ରାକ୍ଷୀର ପସରା ଆରମ୍ଭ ହୋଇଯାଇଛି। ରାକ୍ଷୀ ପାଇଁ ଏବେ ଅନ୍‍ଲାଇନ୍‍ ମାଧ୍ୟମ ହୋଇଥିବାବେଳେ ବିଶେଷକରି ସବାଇ ଘାସ, ଝୋଟରେ ପ୍ରସ୍ତୁତ ରାକ୍ଷୀ ଏବେ ସମସ୍ତଙ୍କର ପସନ୍ଦ ପାଲଟିଛି। ସେହିଭଳି ଏମିତି କିଛି ରାକ୍ଷୀ ଏବେ ବଜାରକୁ ଆସିଛି ଯାହାକୁ ବ୍ୟବହାର ପରେ ମାଟିରେ ପୋତିଦେଲେ ସେଥିରୁ ଗଛ ମଧ୍ୟ ଉଠିବ। ପ୍ଲାଷ୍ଟିକ୍‍, ରଙ୍ଗୀନ୍‍ ଜରି ପରିବର୍ତ୍ତେ ଏବେ ପରିବେଶ ଅନୁକୂଳ ରାକ୍ଷୀ ଲୋକଙ୍କ ପସନ୍ଦ ପାଲଟିଛି। ରାଜଧାନୀ ଭୁବନେଶ୍ୱରର ‘ସେଇବା ଗ୍ରୀନ୍‍ ସଲ୍ଯୁସନ୍‍’ର କିଛି ଯୁବପିଢ଼ି। ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଏହି ଅଭିନବ ପ୍ରୟାସକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପରିବେଶ ଅନୁକୂଳ ରାକ୍ଷୀ। ରାକ୍ଷୀରେ ଲାଗିଛି ଗେଣ୍ଡୁ ଫୁଲର ମଞ୍ଜି। ଆଉ ପ୍ରସ୍ତୁତ ହୋଇଛି ପଟାଖା ବା ବାଣ ରାକ୍ଷୀ। ରାକ୍ଷୀ ବ୍ୟବହାର ପରେ ପରବର୍ତ୍ତୀ ସମୟରେ ଏହା ଗଛରେ ପରିଣତ ହେବ। ଯାହା କି ପରବର୍ତ୍ତୀ ସମୟରେ ପରିବେଶ ସୁରକ୍ଷା କରିବ। ଗଛ ଓ ମଣିଷ ଭିତରେ ଏକ ସମ୍ପର୍କ ସ୍ଥାପନ କରିବାର ଏହା ହେଉଛି ଏକ ନିଆରା ପ୍ରୟାସ। ଅନ୍‍ଲାଇନ୍‍ରେ ଏହି ରାକ୍ଷୀର ବେଶ୍‍ ଚାହିଦା ରହିଛି। ଗ୍ରାମାଞ୍ଚଳର ମହିଳା ତଥା ଆବର୍ଜନା ଗୋଟାଳି ମହିଳାମାନଙ୍କ ଦ୍ୱାରା ଝୋଟ, ମଞ୍ଜି, ଫୁଲର ପାଖୁଡ଼ା ଓ କପଡ଼ାରୁ ଏହି ରାକ୍ଷୀ ପ୍ରସ୍ତୁତ କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ପରେ ଏହାକୁ ପୋତି ଗଛ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏମିତିକି ରାକ୍ଷୀ ବ୍ୟବହାର ପରେ ଏହାକୁ ପୋତିବା ପରେ ବିଭିନ୍ନ ଫୁଲ ଗଛ ସହିତ ଟମାଟୋ ଗଛ ହେବ। ସେହିପରି ନିଆରା ଢଙ୍ଗରେ ପୁସ୍ତକ ବା ବୁକ୍‍ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ସେସବୁକୁ ହାତରେ ତିଆରି କାଗଜ, କପଡ଼ା ଓ ଫୁଲ ଫାଖୁଡ଼ାକୁ ନେଇ ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି। ଏହିସବୁ ରାକ୍ଷୀର ଦାମ୍‍ ୧ଶହ ଟଙ୍କାରୁ ଆରମ୍ଭ କରି ୬ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରିବେଶ ଅନୁକୂଳ ରାକ୍ଷୀର ବାର୍ତ୍ତା ଦେବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ନୀଳିମା ମିଶ୍ର ସୂଚନା ଦେଇଛନ୍ତି। ରାକ୍ଷୀ ପରେ ଏହା ପଛରେ ଏତେ ବଡ଼ ଉଦ୍ଦେଶ୍ୟ ରହିଥିବାରୁ ଲୋକଙ୍କ ଆଦୃତି ରହିଛି।

ମନ ଜିଣୁଛି ବିହନ ରାକ୍ଷୀ

ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଇତ୍ୟାଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ଅର୍ଥାତ୍‍ (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ୱଦେଶୀ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ପୋଖରୀପୁଟ୍‍ର ଅନସୂୟା ସାହୁ ଏହି ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି। ବିଭିନ୍ନ ପ୍ରକାର ବିହନ, ତୁଳା, କାଠିରେ ପ୍ରସ୍ତୁତ ଭଳିକି ଭଳି ଆକର୍ଷଣୀୟ ସୁନ୍ଦର ରାକ୍ଷୀ ତିଆରି କରି ଏଗୁଡ଼ିକ ରାଜଧାନୀର ପୋଖରୀପୁଟ, ପଟିଆ, ଶୈଳଶ୍ରୀ ବିହାର, ଜଟଣୀ ଇତ୍ୟାଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। ଆହୁରି ଅନେକ ଦିନ ରାକ୍ଷୀପୂର୍ଣ୍ଣିମା ଥିଲେ ବି ଏବେଠାରୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ସେହିପରି ଫ୍ୟାନ୍ସି ଷ୍ଟୋନ୍‍ ବଦଳରେ ପ୍ରାକୃତିକ ପଥରରେ ତିଆରି ହୋଇଛି ରାକ୍ଷୀ। ଏଥର ଚାହିଦାରେ ରହିଛି କଣ୍ଢେଇ ରାକ୍ଷୀ। ଗତବର୍ଷ କରୋନା ସମୟରୁ ଆରମ୍ଭ ହୋଇଥିବା ଏହି ସ୍ୱଦେଶୀ ମିଶନ୍‍ ଚଳିତବର୍ଷ ମନକୁ ଛୁଇଁଲା ପରି ୯୦ ପ୍ରକାର ରଙ୍ଗର ସୂତାକୁ ରାକ୍ଷୀ ତିଆରିରେ ବ୍ୟବହାର କରାଯାଇଛି। ବଜାରରେ ରାକ୍ଷୀର ମୂଲ୍ୟ ୨୦ରୁ ୮ଶହ ଟଙ୍କା ରହିଥିବା ବେଳେ ଅନୁସୂୟାଙ୍କ ପ୍ରୟାସରେ ନିର୍ମିତ ରାକ୍ଷୀଗୁଡ଼ିକ ୨୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏକ ନୀରବ ଆନ୍ଦୋଳନ ଗଢ଼ି ତୋଳିବାର ଆଭିମୁଖ୍ୟ ସହ ଏ ରାକ୍ଷୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ଅନୁସୂୟା କହିଛନ୍ତି। ଏହି ସ୍ୱଦେଶୀ ଇକୋ-ଫ୍ରେଣ୍ଡଲି ରାକ୍ଷୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାର ଶ୍ରୀମତୀ ସାହୁ ଲକ୍ଷ୍ୟ ରଖିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ଆର୍ଥିକ ସହଯୋଗ ମିଳିଲେ ଅନେକ ମହିଳା ଘରେ ରହି ଜୀବିକା ଉପାର୍ଜନ କରିପାରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.