ଜଣାଶୁଣା ଟିକ୍‌ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଅକାଳ ବିୟୋଗ । ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ସେ ଗୋଆରେ ଥିଲେ । ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ଗତକାଲି ରାତିରେ ହୃଦଘାତର ଶୀକାର ହୋଇଥିଲେ । ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋଅର୍ସ ଅଧିକ । ସୋନାଲି ୨୦୧୯ରେ ହରିୟାଣା ନିର୍ବାଚନରେ ​​ବିଜେପି ଟିକେଟରେ ଆଦମପୁରରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମାତ୍ର ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ରିଆଲିଟି ଶୋ’ ବିଗ୍ ବସ୍-୧୪ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ପିକଚର ବଦଳାଇ ଦେଇଥିଲେ।

ତାଙ୍କ ବିୟୋଗରେ କୋଟି କୋଟି ଫ୍ୟାନ୍ସ ଶୋକରେ ରହିଛନ୍ତି। ତେବେ ମୃତ୍ୟୁ ପଛରେ ଆଉ କ’ଣ କାରଣ ରହିଛି, ତାହା ଏଯାଏଁ ଜଣାପଡିନାହିଁ। ସୋନାଲୀଙ୍କ ମୃତ୍ୟୁ ବିଷୟରେ ଗୋଆ ଡିଜିପି ଜଣାଇଛନ୍ତି। ସୋନାଲି ଫୋଗାଟ ୧୯୭୯ ସେପ୍ଟେମ୍ବର ୨୧ତାରିଖରେ ହରିୟାଣାର ଫତେହାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୬ ରେ ହିସାର ଦୂରଦର୍ଶନରେ ଆଙ୍କର୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ, ୨୦୦୮ ରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳ ପାଇଁ କାମ କରିବା ଆରମ୍ଭ କରିଥିଲେ। ୨୦୧୬ ରେ ସୋନାଲି ଫୋଗଟ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ସ୍ୱାମୀଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ।

Leave a comment