ରାଜଧାନୀରେ ମେଡିସିନ୍ ଷ୍ଟୋର୍ ଲାଇସେନ୍ସ ପାଇଁ ଭଡ଼ାରେ ମିଳୁଛି ନକଲି ଫାର୍ମାସୀ ସାର୍ଟିଫିକେଟ୍, ଜଣେ ଗିରଫ

ଭୁବନେଶ୍ୱର: ପାଠ ପଢ଼ିଛି ଯୁକ୍ତଦୁଇ; କିନ୍ତୁ ଦାଖଲ କରିଛି ନକଲି ଫାର୍ମାସୀ ଡିପ୍ଲୋମା ସାର୍ଟିଫିକେଟ। ରାଜଧାନୀରେ ମେଡିସିନ୍ ଷ୍ଟୋର୍ ଲାଇସେନ୍ସ ହାସଲ କରିବା ଲାଗି ଏଭଳି ଜାଲିଆତି କରିବା ଘଟଣା ପଦାକୁ ଆସିଛି। ନକଲି ଫାର୍ମାସୀ ସାର୍ଟିଫିକେଟ୍ ଦେଇ ଠକେଇ କରିବା ନକଲି ଫାର୍ମାସିଷ୍ଟ ଲାଗି ମହଙ୍ଗା ପଡ଼ିଛି। ଏପରି ନୂଆଧରଣର ଠକେଇ କରୁଥିବା ନକଲି ଫାର୍ମାସିଷ୍ଟକୁ ଶନିବାର ଗିରଫ କରିଛି ସହିଦ ନଗର ଥାନା ପୁଲିସ। ଗିରଫ ଯୁବକ ହେଲା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାର ଅରୁଣ ଲାଲ୍ ଜୈନ୍(୪୦)। ତା’ଠାରୁ ନକଲି ଡିପ୍ଲୋମା ସାର୍ଟିଫିକେଟ ସହ ପରିଚୟପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରି ଖୋଳତାଡ଼ କରୁଛି ପୁଲିସ। ଅରୁଣ ଠାରୁ କିଛି ଅଧିକ ତଥ୍ୟ ହାତେଇବା ଲାଗି ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି ବୋଲି ପୁଲିସ କହିଛି।
ପୁଲିସର କହିବା ଅନୁଯାୟୀ, ଅରୁଣ ଯୁକ୍ତଦୁଇ ଦୁଇଥରରେ ପାସ୍ କରିଥିଲା। ପରେ ସେ ବେରୋଜଗାର ହୋଇ ବୁଲୁଥିଲା। ସେ ଲାଇସେନ୍ସ ହାସଲ କରି ଏକ ମେଡିସିନ ଦୋକାନ ଖୋଲିବ ବୋଲି ଫାର୍ମାସୀ ସାର୍ଟିଫିକେଟ ପ୍ରସ୍ତୁତ କରିଥିଲା। ଫାର୍ମାସୀ ସାର୍ଟିଫିକେଟ ରେଜିଷ୍ଟ୍ରେସନ ଲାଗି ଅରୁଣ ଭୁବନେଶ୍ୱର ଆସିଥିଲା। ସେ ସହିଦ ନଗର ଅଞ୍ଚଳରେ ଥିବା ଡ୍ରଗସ୍ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ ଅବା ଫାର୍ମାସୀ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ଯାଇଥିଲା। ସେଠାରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ତାହା ନକଲି ବୋଲି କାଉନସିଲ୍ ସଦସ୍ୟମାନେ ଜାଣିବାକୁ ପାଇଥିଲେ। ଏନେଇ ରେଜିଷ୍ଟ୍ରେସନ ଅଧିକାରିଣୀ ସୁନୀତାରାଣୀ ପାତ୍ର ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ।
ସେଠାରେ ପୁଲିସ ପହଞ୍ଚି ଅଭିଯୁକ୍ତ ଅରୁଣକୁ କାବୁକରି ଥାନାକୁ ଆଣିଥିଲା। ତାକୁ ପଚରାଉଚରା କରିବା ପରେ ପଦାକୁ ଆସିଥିଲା ସାଂଘାତିକ ସତ। ଅନ୍ୟପକ୍ଷରେ ଅରୁଣ ଲାଲ୍ ନକଲି ସାର୍ଟିଫିକେଟ୍ କେଉଁଠୁ ଆଣିଛି ତା’ର ସୁରାକ୍ କମିସନରେଟ୍ ପୁଲିସ ହାତରେ ଲାଗିଛି। ଏହାପଛରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି। ଏବିଷୟରେ ଅରୁଣ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଛି। ଅରୁଣଠାରୁ ମିଳିଥିବା ତଥ୍ୟକୁ ଖୋଳତାଡ଼ କରାଯାଉଛି। ଏହି ନକଲି ଫାର୍ମାସୀ ସାର୍ଟିଫିକେଟ ପଛରେ ରାଜ୍ୟ ବାହାରର ଏକ ବଡ଼ ରାକେଟ୍ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅରୁଣ ଠାରୁ ମିଳିଥିବା ପ୍ରମାଣ ଓ ତଥ୍ୟକୁ ନେଇ ଏକ ବଡ଼ଧରଣ ରାକେଟ୍ ଧରାପଡ଼ିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।