ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ ଦିନିଆ ରିମାଣ୍ଡରେ ରସିକିଆ ରମେଶଙ୍କ ଦ୍ୱିତୀୟ ପତ୍ନୀ, ଖୋଲିବ ଠକେଇ ସିଣ୍ଡିକେଟର ଗୁମର

ଭୁବନେଶ୍ବର : ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା। ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ ରିମାଣ୍ଡ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜିଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି। ସେପଟେ ରମେଶଙ୍କୁ ପୁଣି ରିମାଣ୍ଡରେ ଆଣିବା ପାଇଁ କୋର୍ଟ ଅନୁମତି ଦେଇନାହାନ୍ତି।

ସୋମବାର ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ଟିମ୍। ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ୟ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। କମଳା ସ୍ୱାଇଁ ରମେଶଙ୍କ ଅର୍ଥ କାରବାର ବୁଝୁଥିଲେ। ୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା। ରମେଶ ତାଙ୍କୁ ପାଲରେ ପକାଇଥିଲା। କମଳା ପାରାଦ୍ବୀପସ୍ଥିତ ଇଫ୍‌କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଆଉ ସଫଳ ବି ହୋଇଥିଲା। ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା। ଏହାପରେ ଉଭୟ ସେଠାରେ ମିଶି ରହିଥିଲେ। ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା। କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ।

କମଳା ରମେଶଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ କହି ପରିଚିତ କରାଉଥିଲେ।ରମେଶଙ୍କର ଉପରିସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଥିବା କହି କହି କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ମଧ୍ୟ ହେଉଥିଲା। ରମେଶ ଗିରଫ ହେବା ପରେ କମଳାଙ୍କ ଭୂମିକା ପଦାକୁ ଆସିଥିଲା। ତାଙ୍କୁ ଜେରା ପାଇଁ ପୁଲିସ ବାରମ୍ବାର ଡକାଇଥିଲେ ମଧ୍ୟ ସେ ଆସିନଥିଲେ। ପୁଲିସ ଗିରଫଦାରୀ ଭୟରେ ଝାଡଖଣ୍ଡସ୍ଥିତ ଘରକୁ ଚାଲିଆସିଥିଲେ। ଠିକଣା ଠାବ ପରେ ସୋମବାର ରାତିରେ ମହିଳା ଥାନା, ସ୍ପେସାଲ୍‌ ସ୍କ୍ବାର୍ଡର ପୁଲିସର ଏକ ଟିମ୍‌ ଝାଡଖଣ୍ଡସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ଅନ୍ୟପଟେ ନକଲି ଡାକ୍ତର ରମେଶଙ୍କର ଦ୍ୱିତୀୟ ପତ୍ନୀ କମଳାଙ୍କ ଦେହ ଖରାପ ଅଛି। ୫ଦିନିଆ ରିମାଣ୍ଡ ଲାଗି ଅନୁମତି ମିଳିବା ପରେ ବି ପୁଲିସ ଏବେ ଆଣିବ ନାହିଁ। ଦେହ ଭଲ ହେବା ପରେ ରିମାଣ୍ଡରେ ଆଣିବ।

Leave A Reply

Your email address will not be published.