ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଷ ବର୍ଷ ଧରି ଦିବ୍ୟାଙ୍ଗ ସାଜି ହକ୍‍ ମାଗୁଛନ୍ତି ଅଯୋଗ୍ୟ, ସୁବିଧା ପାଇଥିବା ନକଲି ହିତାଧିକାରୀଙ୍କୁ ଖୋଜିବ କିଏ?

ଭୁବନେଶ୍ୱର: ପୁଳା ପୁଳା ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ବଣ୍ଟାଗଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନାକ ତଳେ ଏବେ ମଧ୍ୟ ନକଲି ପ୍ରମାଣପତ୍ର ବଣ୍ଟା ଚାଲିଥିବା ଅଭିଯୋଗ ହେଉଛି। ଏହା କିଛି ନୂଆ କଥା ନୁହେଁ ବର୍ଷ ବର୍ଷ ଧରି ଚାକିରି ଓ ଶିକ୍ଷା କ୍ଷେତ୍ରରେ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ଆସନକୁ ଅଯୋଗ୍ୟ ବ୍ୟକ୍ତି ହାତଉଥିବା ଅଭିଯୋଗ ହୋଇ ଆସୁଛି। ନକଲି ପ୍ରମାଣପତ୍ରର ଅବାଧ ଆବଣ୍ଟନକୁ ଦୃଷ୍ଟିରେ ରଖି ଏସ୍‍ଏସ୍‍ଇପିଡି ବିଭାଗ ଗତ ନଭେମ୍ବର ୨୧ ତାରିଖରେ ନିର୍ଦ୍ଦେଶନାମା ଜାରି କରି ୮ଟି ମେଡିକାଲ କଲେଜ ଅଧୀନରେ କିଛି କିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାମିଲ କରିଛି। ମେଡିକାଲ କଲେଜ ବୋର୍ଡ ଜିଲ୍ଲା ସ୍ତରରେ ଦିବ୍ୟାଙ୍ଗ ପ୍ରମାଣପତ୍ର ସମ୍ପର୍କରେ ଦେଖା ଦେଉଥିବା ସମସ୍ୟାକୁ ବିଚାର କରି ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ନକଲି ପ୍ରମାଣପତ୍ର ଦେଇ ସ୍ଥାନ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ଦିବ୍ୟାଙ୍ଗ ମାନଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ସବୁଠାରୁ ବଡ଼ ବାଧକ ବୋଲି ମତପ୍ରକାଶ ପାଇଛି।

ବର୍ଷ ବର୍ଷ ଧରି ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଜରିଆରେ ଚାକିରୀ ଏବଂ ଆଡମିଶନ୍‍ ହାତେଇବା ନେଇ ଅଭିଯୋଗ ହୋଇ ଆସୁଛି। କୌଣସିମତେ ସର୍ବନିମ୍ନ ୪୦ ପ୍ରତିଶତ ଅକ୍ଷମତା ଦର୍ଶାଇ ପ୍ରକୃତ ହିତାଧିକାରୀଙ୍କ ଅଧିକାର ବାଟମାରଣା କରାଯାଉଛି। ସରକାରୀ ଭତ୍ତା, ଅନ୍ୟାନ୍ୟ ସୁବିଧା ସୁଯୋଗ ସହିତ ସରକାରୀ ଚାକିରି ନିଯୁକ୍ତି ଓ ନାମ ଲେଖାରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ନକଲି ପ୍ରମାଣପତ୍ର ଧାରୀ ସରକାରୀ ଚାକିରି, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଲୋଭରେ କୌଣସିମତେ ନକଲି ପ୍ରମାଣପତ୍ର ପାଇଯାଉଛନ୍ତି। ଅନେକ ଯୋଗ୍ୟ ହିତାଧିକାରୀ ସମସ୍ତ ତଥ୍ୟ ପ୍ରମାଣ ସହିତ ବିଭାଗ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନକଲି ପ୍ରମାଣପତ୍ରଧାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଏବଂ ପ୍ରମାଣପତ୍ର ଦେଇଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଅନେକ ସ୍ଥଳରେ ନକଲି ଦସ୍ତଖତ ଓ ସିଲ୍‍ ଲଗାଇ ପ୍ରମାଣପତ୍ର ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ପରେ ଗତବର୍ଷ ନଭେମ୍ବର ମାସରେ ଏସ୍‍ଏସ୍‍ଇପିଡି ବିଭାଗ ୮ଟି ମେଡିକାଲ କଲେଜ ଅଧୀନରେ ୩୦ ଜିଲ୍ଲାକୁ ଭାଗ କରି ସାମିଲ କରିଥିଲେ। ଓଡ଼ିଶା ଦୃଷ୍ଟିବାଧିତ ମହାସଂଘର ସଦସ୍ୟ ଅମିନ କୁମାର ମହାପାତ୍ର କହିଛନ୍ତି, ଜିଲ୍ଲାସ୍ତରରେ ଦିବ୍ୟାଙ୍ଗ ପ୍ରମାଣପତ୍ରକୁ ନେଇ ସମସ୍ୟା ଦେଖା ଦେଲେ ମେଡିକାଲ ବୋର୍ଡ ହସ୍ତକ୍ଷେପ କରିବ। ଏହା ଭଲ କଥା। କିନ୍ତୁ ରାଜ୍ୟର ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବିଭାଗରେ କେତେ ଜଣ ନକଲି ପ୍ରମାଣପତ୍ର ଦେଇ ସଂରକ୍ଷିତ ସ୍ଥାନ ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଜରୁରୀ। ଜାରି ହୋଇଥିବା ପ୍ରମାଣପତ୍ରର ଅଡିଟ୍‍ ମଧ୍ୟ କରାଯାଉ ନାହିଁ। ଅନେକ ସମୟରେ ମେଡିକାଲ ବୋର୍ଡ କର୍ତ୍ତୃପକ୍ଷଙ୍କ ଅଗୋଚରରେ ନକଲି ପ୍ରମାଣପତ୍ର ବିକ୍ରି ହେଉଛି। ଯଦି କାର୍ଯ୍ୟାନୁଷ୍ଠାନ ହୁଅନ୍ତା ତା ହେଲେ ଆଗକୁ ଅନ୍ୟମାନେ ଏପରି ବେଆଇନ୍‍ କାର୍ଯ୍ୟରୁ ନିବୃତ କରିହେବ। ଏନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନକଲି ପ୍ରମାଣପତ୍ର ସମ୍ପର୍କରେ ଯେଉଁଠି ବି ଅଭିଯୋଗ ଆସିଛି ସେଠାରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ନୟାଗଡ଼଼ରେ ଅନୁରୂପ ଭାବେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ନକଲି ପ୍ରମାଣପତ୍ର ଜାରି ହେଉଥିବାରୁ ମେଡିକାଲ ବୋର୍ଡ ବ୍ୟବସ୍ଥା କରାଯାଇଛି ଏବଂ ୟୁଡିଆଇଡି କାର୍ଡ ଜାରି କରାଯାଉଛି। ଯେଉଁଠି ସନ୍ଦେହ ହେଉଛି ସେହି ମାମଲାକୁ ପୁନର୍ବାର ଯାଞ୍ଚ କରିବା ପାଇଁ ଏସ୍‍ସିବି ମେଡିକାଲ ବୋର୍ଡକ ପଠାଉଛୁ।

Leave A Reply

Your email address will not be published.