ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟ ବିରୋଧୀ ଦଳ ବିଜେପିର ବିଫଳତା କଂଗ୍ରେସ ପାଇଁ ସୃଷ୍ଟି କରିଛି ସୁଯୋଗ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ(ବିଜେଡି) ନିଜର ଆଧିପତ୍ୟ ଦୀର୍ଘ ୨୨ ବର୍ଷ ଧରି ପ୍ରଦର୍ଶନ କରି ଆସୁଛି। ବିଜେଡି ଆରମ୍ଭ ସମୟରେ ରାଜ୍ୟରେ କଂଗ୍ରେସ ପ୍ରମୁଖ ଦଳ ଭାବେ ଆଧିପତ୍ୟ ବିସ୍ତାର କରିଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସ ଧିରେ ଧିରେ ଦୁର୍ବଳ ହୋଇଛି ଓ ୨୦୧୪ ମସିହାରେ କଂଗ୍ରେସ ଲୋକସଭା ଆସନର ଶୂନକୁ ଓ ବିଧାୟକ ସଂଖ୍ୟା ୨୭ରୁ ୧୬କୁ ଖସିଥିଲା। ୨୦୧୭ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା। ୮୫୩ ଜିଲ୍ଲା ପରିଷଦ ମଧ୍ୟରୁ କଂଗ୍ରେସ ମାତ୍ର ୬୦ଟି ଆସନ ହାତେଇ ପାରିଥିଲା। ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ଗତ ୨୦୧୯ ସାଧାରଣ ନିର୍ବାଚନ କାଳରେ କଂଗ୍ରେସ କୋରାପୁଟ ଲୋକସଭା ସହ ମାତ୍ର ୯ଟି ବିଧାନସଭା ଆସନ ହାତେଇ ପାରିଥିଲା। ଗଣତି ଚାଲିଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏତେଟା ଭଲ ପ୍ରଦର୍ଶନ କରିନାହିଁ। ମାତ୍ର ମୁଖ୍ୟ ବିରୋଧୀ ଦଳ ବିଜେପିର ଅତି ଶୋଚନୀୟ ପ୍ରଦର୍ଶନ କଂଗ୍ରେସକୁ ରାଜ୍ୟ ରାଜନୀତିର ବିତର୍କକୁ ଆଣିଛି। ପ୍ରଥମ ଦିନରେ ବିଜେପି ୧୫ଟି ଆସନ ହାତେଇଥିଲା। ଏହା ପଛକୁ କଂଗ୍ରେସ ମାତ୍ର ଗୋଟିଏ ଆସନ ପଛରେ ରହିଥିଲା। କଂଗ୍ରେସ ପ୍ରାର୍ଥୀ ୧୪ଟି ଜିଲ୍ଲା ପରିଷଦ ହାତେଇବାରେ ସକ୍ଷମ ହୋଇଥିଲେ। ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅନ୍ତର୍ଗତ ଜୋନ୍‍-୧ରେ ବିଜୟୀ ହୋଇଥିବା ସ୍ୱାଧିନ ପ୍ରାର୍ଥୀ କଂଗ୍ରେସର ଅସନ୍ତୁଷ୍ଟ ପ୍ର୍‍ାର୍ଥୀ ବୋଲି କୁହାଯାଉଛି। ଦ୍ୱିତୀୟ ଦିନରେ କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଆସନରେ ଶେଷ ଖବର ସୁଦ୍ଧା ଆଗରେ ରହିଛି। ତେଣୁ ମୁଖ୍ୟ ବିରୋଧୀ ଦଳ ବିଜେପି ଗ୍ରହଣୀୟ ନ ହେବା କଂଗ୍ରେସ ପାଇଁ ସୁଯୋଗ ଆଣିଦେଇଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

ଅବିଭକ୍ତ କୋରାପୁଟ, ଗଞ୍ଜାମ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ କଂଗ୍ରେସ ନିଜର ପାରମ୍ପରିକ ଭୋଟ ରଖିପାରିଥିବା ପ୍ରଥମ ଦିନ ଫଳାଫଳରୁ ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ଗଜପତି ଜିଲ୍ଲାର ଗୁମ୍ମା ଓ ନୂଆଗଡ଼଼, କନ୍ଧମାଳ ଜିଲ୍ଲାର କୋଟଗଡ଼଼ ଓ ରାଇକିଆ, କୋରାପୁଟ ଜିଲ୍ଲାର ଦଶମନ୍ତପୁର,ଲମତାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା,ସିମିଳିଗୁଡ଼ା, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ରାୟଗଡ଼଼ାର ଗୁଣୁପୁର ଓ ରମନାଗୁଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଦ୍ୱିତୀୟ ଦିନର ଗଣତି ତଥା ରବିବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବାଲେଶ୍ୱର ଜିଲ୍ଲାର ଗୋଟିଏ, ବଲାଙ୍ଗୀର ଜିଲ୍ଲାର ୨, ନବରଙ୍ଗପୁର,କଳାହାଣ୍ଡି ଏବଂ କନ୍ଧମାଳରେ ଗୋଟିଏ ଲେଖାଏଁ, କୋରାପୁଟ ଜିଲ୍ଲାର ୬ଟି, ରାୟଗଡ଼଼ାର ୪ଟି ଜିଲ୍ଲା ପରିଷଦ ଜୋନ୍‍ରେ କଂଗ୍ରେସ ଆଗୁଆ ରହିଥିଲା।

ରାଜ୍ୟ ରାଜନୀତିକୁ ବହୁଳ ଭାବେ ପ୍ରଭାବିତ କରୁଥିବା ଉପକୂଳରେ କଂଗ୍ରେସ କିନ୍ତୁ ସମ୍ମାନଜନକ ପ୍ରଦର୍ଶନ କରିପାରିନାହିଁ। ଅବିଭକ୍ତ ପୁରୀ, କଟକ, ଢେଙ୍କାନାଳ ଆଦିରେ ଜିଲ୍ଲାରେ ଏଯାବତ୍‍ ଗୋଟିଏ ହେଲେ ଜିଲ୍ଲା ପରିଷଦ ଜୋନ୍‍ ଜିତିପାରିନାହିଁ। ଉପକୂଳରେ ବିଜେଡି ଉଭୟ କଂଗ୍ରେସ ଏବଂ ବିଜେପିକୁ ବହୁତ ପଛକୁ ଠେଲି ଦେଇଛି। ଯାହା ସାରା ରାଜ୍ୟରେ ଦଳ ସପକ୍ଷ ବାତାବରଣ ସୃଷ୍ଟିରେ ସହାୟକ ହୋଇପାରୁନାହିଁ। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳର ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକାଂଶରେ ସକ୍ରିୟ। ପୂର୍ବରୁ ଜିଲ୍ଲାରେ ପାରମ୍ପରିକ ଭୋଟ ଏବଂ ପୂର୍ବ ନିର୍ବାଚନରେ ମିଳିଥିବା ସଫଳତାକୁ ବଜାୟ ରଖିବାରେ ଦଳ ସକ୍ଷମ ହୋଇପାରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲ୍ଲାରେ ନିଲମ୍ବିତ କେତେକ ନେତାଙ୍କୁ ଦଳକୁ ଫେରାଇ ଆଣିବା ସହ ସଂଖ୍ୟାଲଘୁ ଭୋଟର ବିଶ୍ୱାସ କଂଗ୍ରେସ ହାସଲ କରିପାରିଛି। ବୀରମହାରାଜପୁର ଅଞ୍ଚଳରେ ସ୍ଥାନୀୟ କଂଗ୍ରେସ ନେତା ସାଙ୍ଗଠନିକ ଦକ୍ଷତା ସଫଳତା ଆଣିଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave A Reply

Your email address will not be published.