ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଢ଼ାରେ ଲାଗୁ ନ ଥିଲା ମନ, ଦ୍ବାଦଶ-ଗ୍ରାଜୁଏସନରେ ହୋଇଥିଲେ ଫେଲ୍‌, ଆଉ ଏବେ ଆଇଏଏସ ଅଫିସର

ନୂଆଦିଲ୍ଲୀ : ଆମ ଦେଶରେ ଏକ ଧାରଣା ଅଛି। ଭଲ ପାଠ ପଢ଼ୁନଥିଲେ କିମ୍ବା ମନ ଲାଗୁନଥିଲେ କିମ୍ବା ପଢ଼ିବାକୁ ଇଚ୍ଛାନଥିବା ପିଲାଙ୍କୁ ଦୁର୍ବଳ ଛାତ୍ର କୁହାଯାଇଥାଏ। ସମାଜରୁ ନେଇ ମାତାପିତାଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବନ୍ତି ଏହି ପିଲା ଜୀବନରେ କିଛି କରିପାରିବ ନାହିଁ। ତେଣୁ ପାଠ ନ ପଢ଼ିବା ପିଲାଙ୍କୁ ଅନ୍ୟ କାମରେ ଲଗାଇ ଦିଅନ୍ତି। ଭଲ ପାଠ ପଢ଼ୁଥିବା ପିଲା ଭବିଷ୍ୟତରେ ୟୁପିଏସସିରେ ସଫଳତା ପାଇ ଆଇଏଏସ କିମ୍ବା ପିସିଏସ ଅଧିକାରୀ ହେବ ବୋଲି ଲୋକେ ଭାବନ୍ତି। ଏହି ଦୁଇ ଧାରଣାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ ଅଧିକାରୀ କୁମାର ଅନୁରାଗ। ଅନୁରାଗଙ୍କ ସଫଳତାର କାହାଣୀ ଶୁଣିଲେ ଯେ କେହି ବି ଅନୁପ୍ରାଣୀତ ହେବ ଏବଂ ସଫଳତା ପାଇବା ପାଇଁ କଠୋର ପରିଶ୍ରମ କରିବ। ଅନୁରାଗ ଦିନେ ଦ୍ବାଦଶ ଏବଂ ଗ୍ରାଜୁଏସନରେ ଫେଲ୍‌ ହୋଇଥିଲେ। ଏହି ବିଫଳତା ତାଙ୍କୁ ସଫଳ ହେବା ପାଇଁ ମାର୍ଗ ଦେଖାଇଥିଲା। ସେ ଆଇଏଏସ ହେବାକୁ ନିଶ୍ଚୟ କରିଥିଲେ। ଏହି ନିଷ୍ପତ୍ତି ତାଙ୍କ ଜୀବନ ବଦଳେଇ ଦେଇଥିଲା। ଅନୁରାଗ ନିଜ ବିଶ୍ବାସ ଏବଂ ପରିଶ୍ରମ ବଳରେ ଦୁଇ ଥର ପ୍ରୟାସରେ ୟୁପିଏସସି ପରୀକ୍ଷା ପାସ କରିଥିଲେ। ସେ ୨୦୧୮ରେ ୪୮ ରାଙ୍କ ହାସଲ କରି ଆଇଏଏସ ହୋଇଥିଲେ।

ବିହାର କଟିହାର ଜିଲ୍ଲାର ବାସିନ୍ଦା ଅନୁରାଗ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ମିଡିୟମରେ ପାଠ ପଢ଼ିଥିଲେ। ଏହା ପରେ ଇଂରାଜୀ ମିଡିୟମରେ ତାଙ୍କର ନାମ ଲେଖା ଯାଇଥିଲେ। ଏହି ସମୟରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନୁରାଗ ମଧ୍ୟମ ଧରଣର ଛାତ୍ର ଥିଲେ। କିନ୍ତୁ ମନୁଷ୍ୟ ଥରେ ଲକ୍ଷ୍ୟ ସ୍ଥିର କରିନେଲେ ତାହା ହାସଲ କରିବା ପରେ ଯାଇ ଦୀର୍ଘନିଶ୍ବାସ ନେଇଥାଏ। ସେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ କଠୋର ପରିଶ୍ରମ କରିଥିଲେ ଏବଂ ୯୦ ପ୍ରତିଶତ ମାର୍କ ପାଇଥିଲେ। ତେବେ ସେ ଦ୍ବାଦଶ ଶ୍ରେଣୀରେ ମ୍ୟାଥ ପ୍ରି ବୋର୍ଡ ପରୀକ୍ଷାରେ ଫେଲ୍‌ ହୋଇଥିଲେ। ପୁଣିଥରେ ନୂଆ ଉତ୍ସାହର ସହ ପ୍ରସ୍ତୁତି ଆରମ୍ଭ କରି ୯୦ ପ୍ରତିଶତ ମାର୍କ ହାସଲ କରିଥିଲେ। ପରେ ସେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରେ ନାମ ଲେଖାଇଥିଲେ। ସେଠାରେ ତାଙ୍କ ମନ ପଢ଼ାରେ ଲାଗୁ ନଥିଲା। ସେ ଅୟସଆରାମ କରିବାକୁ ଲାଗିଲେ। ଏଥିଯୋଗୁଁ ଗ୍ରାଜୁଏସନରେ ଅନେକ ବିଷୟରେ ଫେଲ୍‌ ହୋଇଥିଲେ। ଏଥିପାଇଁ ତାଙ୍କୁ ଘରଲୋକଙ୍କ ଗାଳି ଶୁଣିବାକୁ ପଡିଥିଲା।

ପରେ ସେ କୌଣସି ପ୍ରକାରରେ ଗ୍ରାଜୁଏସନ ପାସ୍‌ କଲେ  ଏବଂ ପୋଷ୍ଟ ଗ୍ରାଜୁଏସନରେ ନାମ ଲେଖାଇଥିଲେ। ଏହା ଅନୁରାଗଙ୍କୁ ବହୁତ ବଡ଼ ଶିକ୍ଷା ଦେଇଥିଲା। ଏହା ଅନୁଭବ କରିବା ପରେ ସେ ସୁଧୁରି ଯାଇଥିଲେ ଏବଂ ପୁଣି ପାଠପଢ଼ାରେ ମନୋନିବେଶ କରିଥିଲେ। ପିଜି ସମୟରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଯିଏ ନିଜ ଦୁର୍ବଳତାକୁ ସ୍ବୀକାର କରି ସୁଧୁରିବାକୁ ପ୍ରୟାସ କରିଥାଏ ସେ ସଫଳ ହୋଇଥାଏ। ଅନୁରାଗ ମଧ୍ୟ ତାହା କରିଥିଲେ। କଠୋର ପରିଶ୍ରମ କରି ସେ ୨୦୧୭ରେ ପ୍ରଥମ ପ୍ରୟାସରେ ୟୁପିଏସସିରେ ଚୟନ ହୋଇଥିଲେ। ତାଙ୍କୁ ୬୭୭ ରାଙ୍କ ମିଳିଥିଲା। କିନ୍ତୁ ସେ ଆଇଏଏସ ହେବାକୁ ଚାହୁଁଥିଲେ। ସେ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରି ୨୦୧୮ ୟୁପିଏସସି ସିଏସଇ ପରୀକ୍ଷାରେ ୪୮ ତମ ରାଙ୍କ ହାସଲ କରିଥିଲେ। ଏହି ଭଳି ଭାବରେ କୁମାର ଅନୁରାଗଙ୍କ ଆଇଏଏସ ହେବାର ସ୍ବପ୍ନ ପୂରଣ ହୋଇଥିଲା। ଅନୁରାଗଙ୍କୁ ବିହାର କ୍ୟାଡର ମିଳିଛି। ସେ ବର୍ତ୍ତମାନ ବେତିଆ ଜିଲ୍ଲାର ସହାୟକ ଜିଲ୍ଲା ଅଧିକାରୀ ଅଛନ୍ତି।

Leave A Reply

Your email address will not be published.