ଗିରଫ କରିବାରେ ମାହିର ; ଚାର୍ଜସିଟ୍‍ ଦାଖଲରେ କୁନ୍ଥକୁନ୍ଥ

ଭୁବନେଶ୍ୱର : ଏକାଧିକ ଅପରାଧିକ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି। କିନ୍ତୁ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୁଲିସ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜସିଟ୍‍ ଦେଇ ପାରୁନି। ଯେଉଁଥି ପାଇଁ ଅଭିଯୁକ୍ତମାନେ କୋର୍ଟରୁ ବେଲ୍‍ ପାଇ ଖସି ଯାଉଛନ୍ତି। ଗତ କିଛି ବର୍ଷ ହେବ ଭୁବନେଶ୍ୱର କୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳୁଛି। କୋର୍ଟ ପକ୍ଷରୁ ମଧ୍ୟ ପୁଲିସକୁ ବାରମ୍ଭାର ତାଗିଦ କରାଯିବାସହ ନୋଟିସ୍‍ କଲେ ମଧ୍ୟ ପୁଲିସ ସୁଧୁରୁନି। ତଦନ୍ତ ଆଳରେ ପୁଲିସ କେବଳ ଦିନ ଗଡ଼଼ାଇ ଚାଲୁଛି। ସେପଟେ ଅଭିଯୁକ୍ତ କୋର୍ଟରୁ ବେଲ୍‍ ପାଇ ବାହାରେ ବୁଲୁଛି। ଯାହାର ଉଦାହରଣ ଗତ ଦୁଇ ଦିନ ତଳେ ଦେଖିବାକୁ ମିଳିଥିଲା। ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଉପପ୍ରବନ୍ଧକ(ଓପିଏଚ୍‍ଡବ୍ଲ୍ୟୁସି) ପ୍ରତାପ କୁମାର ସାମଲଙ୍କ କ୍ଷେତ୍ରରେ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ୧୫ କୋଟିରୁ ଊର୍ଦ୍ଧ୍ବ ଆୟବହିର୍ଭୂତ୍ତ ସମ୍ପତ୍ତି ଠାବ କରାଗଲା। ଏହାସହ ତାଙ୍କ ଘରୁ ନଗଦ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଗଲା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ସମ୍ପତ୍ତି ଠାବ ହେବ ବଡ଼ କଥା। କିନ୍ତୁ ୬୦ ଦିନ ଭିତରେ ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ଚାର୍ଜସିଟ୍‍ ଦେଇପାରିଲା ନାହିଁ। ପ୍ରତାପଙ୍କୁ ଲିଙ୍କ୍‍ ବହୁତ ଭିତରକୁ ଥିବାରୁ ତଦନ୍ତ କରିବାରେ ସମୟ ଲାଗୁଛି ବୋଲି କହି ଦିନ ଗଡ଼଼ାଇଥିଲା। କୋର୍ଟ ବାରମ୍ଭାର ଭିଜିଲାନ୍ସକୁ ନୋଟିସ୍‍ କରିଥିଲେ ମଧ୍ୟ ଭିଜିଲାନ୍ସ ଶୁଣିନଥିଲା। ଶେଷରେ ବିଚାରପତି ପ୍ରତାପଙ୍କୁ ଜାମିନ୍‍ ଦେଇଥିଲେ। କଳାଧନର କୁବେର ପ୍ରତାପଙ୍କୁ ଜାମିନ୍‍ ମିଳିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏତେ ବଡ଼ ମାମଲାରେ ଭିଜିଲାନ୍ସ ଯଦି ଚାର୍ଜସିଟ୍‍ ଦାଖଲ କରିପାରୁନି ତେବେ ବଡ଼ ବଡ଼ ମାମଲାରେ କଣ କରୁଥିବ ନେଇ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ କମିଶନରେଟ୍‍ ପୁଲିସରେ ମଧ୍ୟ ଏଭଳି ମାଳ ମାଳ ମାମଲା ଦେଖିବାକୁ ମିଳୁଛି। ୨୦୨୦ ମସିହା ଅକ୍ଟୋବର ୨୬ ତାରିଖରେ ତମାଣ୍ଡୋ ଥାନା ପୁଲିସ ୬ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଥିଲା। ସେମାନେ ଲକ୍ଷ୍ମୀଫୁଡ୍‍ ପ୍ରଡକ୍ଟ ସଂସ୍ଥକୁ ଦାଦାବଟି ମାଗିବା ସହ ଧମକଚମକ ଦେଇ ଟଙ୍କା ହଡ଼ପ କରିଥିଲେ। ଏପରିକି ଜବରଦସ୍ତି କ୍ୟାସ୍‍ କାଉଣ୍ଟର୍‍ରୁ ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ପୁଲିସ ଠିକ୍‍ ସମୟରେ ଚାର୍ଜସିଟ୍‍ ଦାଖଲ କରିପାରିନଥିଲା। କୋର୍ଟ ପୁଲିସକୁ ବାରମ୍ବାର ନୋଟିସ୍‍ କରିଥିଲେ ମଧ୍ୟ ପୁଲିସ ଶୁଣିନଥିଲା।

ଶେଷରେ ବିଚାରପତି ୬ ଅଭିଯୁକ୍ତଙ୍କୁ ଜାମିନ୍‍ ମଞ୍ଜୁର କରିଥିଲେ। ଏହିଭଳି ସମାନ ଘଟଣା ୨୦୨୦ ମସିହାରେ ଚନ୍ଦକା ଥାନାରେ ଦେଖିବାକୁ ମିଳିଥିଲା। ଚନ୍ଦକାରେ ଥିବା ନକଲି ପାଣି କମ୍ପାନୀରେ ପୁଲିସ ଚଢ଼ଉ କରି ଏକାଧିକ ନକଲି ସାମଗ୍ରୀ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା। ହେଲେ ୬୦ ଦିନ ଭିତରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‍ ଦାଖଲ କରିପାରିଲା ନାହିଁ। ଯେଉଁଥି ପାଇଁ ଅଭିଯୁକ୍ତ କୋର୍ଟରୁ ଜାମିନ୍‍ ପାଇଗଲେ। ଏହିଭଳି ୨୦୧୯ ନଭେମ୍ବର ୧ରେ ଏୟାରଫିଲ୍ଡ ଥାନା ପୁଲିସ ଅମରେଶ ନାୟକ ହତ୍ୟା ମାମଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କଲା। କିନ୍ତୁ ସେମାନଙ୍କ ବିରୋଧରେ ପୁଲିସ କୋର୍ଟରେ ଚାର୍ଜସିଟ୍‍ ଦାଖଲ କରିପାରିଲା ନାହିଁ। ଯେଉଁଥି ପାଇଁ ଅଭିଯୁକ୍ତ ହାଇକୋର୍ଟ ଯିବା ପରେ ୩ ଜଣ ଜାମିନ୍‍ ପାଇଗଲେ।

Leave a comment