ଗଜରାଜ ସୁରକ୍ଷା: ଖର୍ଚ୍ଚ ବଢୁଛି ତଥାପି କମୁନି ହାତୀ ମୃତ୍ୟୁ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି କ୍ରମବର୍ଦ୍ଦିଷ୍ଣୁ ହାତୀ ମୃତ୍ୟୁ ସଂଖ୍ୟା। ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ କନ୍ଧନୂଆପଲ୍ଲୀ ଜଙ୍ଗଲରେ ବୁଧବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି ବୋଲି ବନବିଭାଗ କହିଛି। ଗତ ୪ ମାସ ମଧ୍ୟରେ ଆଜିକୁ ମିଶାଇ ବିଦ୍ୟୁତ୍‌ ଆଘାତରେ ୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମାତ୍ର ୧୫ ଦିନର ବ୍ୟବଧାନରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଛି।

୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମୋଟ ୨୪୫ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝରରେ ୨୧, ଅନୁଗୁଳ ଓ ସାତକୋଶିଆରେ ୧୨ଟି, ଆଠଗଡ଼, ଦେବଗଡ଼, ଶିମିଳିପାଳ ଦକ୍ଷିଣରେ ୧୧, ବାଲେଶ୍ୱର ବନ୍ୟପ୍ରାଣୀ, କଳାହାଣ୍ଡି ଦକ୍ଷିଣରେ ୧୦ଟି, ଖୋର୍ଦ୍ଧା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ଗତ ୧୨ ବର୍ଷରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୪ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେହିପରି ୧୪୪ ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ବେଳେ ୩୬ଟି ଟ୍ରେନ୍‍ ଆଘାତରେ ୧୩୫ଟି ହାତୀଙ୍କର ଶିକାର ଦ୍ୱାରା ଓ ୬ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ହାତୀ ପଲଙ୍କୁ ଗାଁ ଅଭିମୁଖୀ ହେବାରୁ ପ୍ରତିହତ କରିବା ପାଇଁ ଓ ଜନ ଜୀବନର ସୁରକ୍ଷା ପାଇଁ ଗତ ତିନି ବର୍ଷରେ ୪୨ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ କରାଯାଇଛି। ବଜେଟରୁ ଖର୍ଚ୍ଚ କରାଯାଇଥିବା ଏହି ଅର୍ଥରୁ ୩୧ କୋଟି ୫୭ ଲକ୍ଷ ଟଙ୍କା କେବଳ କାମ୍ପା ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ହାତୀ ଘଉଡାଇବା ଓ ପ୍ରବେଶକୁ ରୋକିବା ପାଇଁ ସୌରଶକ୍ତି ଆଲୋକ ବ୍ୟବସ୍ଥା କରିବା, ଗଜସାଥୀ, ଗଜ ବନ୍ଧୁ ମୁତୟନ ବାବଦରେ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାସହ ହାତୀ ସ୍କ୍ୱାର୍ଡ ଓ ହାତୀ ଟ୍ରାକରଙ୍କୁ ନିଯୁକ୍ତି କରାଯାଇଛି। ହାତୀ ସ୍କ୍ୱାର୍ଡ ପାଇଁ ଗତ ତିନି ବର୍ଷରେ ବଜେଟ ଅନୁଦାନରୁ ୩୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ସୌରଶକ୍ତି ଚାଳିତ ବ୍ୟବସ୍ଥା ପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି କାମ୍ପା ପାଣ୍ଠି ଅର୍ଥରେ ହାତୀ ଟ୍ରାକର ମୁତୟନ ସହିତ ସୌରଶକ୍ତି ତାରବାଡ ଏବଂ ଟ୍ରେଞ୍ଚ ଖୋଳା ହେଉଛି। ସୌରଶକ୍ତି ଚାଳିତ ତାରବାଡ ବୁଲାଇବା ପାଇଁ ଗତ ତିନି ବର୍ଷରେ କାମ୍ପା ପାଣ୍ଠିରୁ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ହାତୀ ଟ୍ରାକର ମୁତୟନ ପାଇଁ ୮ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି। କେବଳ ହାତୀ ଘଉଡାଇବାକୁ ସରକାର ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଥିବା ବେଳେ ଏହାର ଫଳ ଶୂନ୍‍ ଭଳି ଜଣାପଡୁଛି।

ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ମୁଖ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପ୍ରତି ୧୦ ଟି ହାତୀ ମୃତ୍ୟୁରେ ଜଣେ ମଣିଷର ହାତ ରହିଛି। ସରକାର ବି ଏକଥାକୁ ସ୍ୱୀକାର କରି କହିଛନ୍ତି ଯେ ରାଜ୍ୟରେ ମରିଥିବା ହାତୀ ଭିତରୁ ୭୦ଟି ମୃତ୍ୟୁ ମଣିଷ ଯୋଗୁଁ ହୋଇଛି। ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ। ବର୍ତ୍ତମାନ ସେଥିମଧ୍ୟରୁ ୫ ବର୍ଷରେ ୨୩୩ଟି ହାତୀଙ୍କର ଜୀବନ ଯାଇଛି। ଯାହା ମଧ୍ୟରେ ୧୪ଟି ହାତୀ ଶିକାରୀମାନଙ୍କ ଦ୍ୱାରା , ୬୩ ହାତୀ ବିଦ୍ୟୁତ ଆଘାତ ଦ୍ୱାରା, ୨୦ଟି ହାତୀ ରେଳ ଦୁର୍ଘଟଣାରେ, ୪ଟି ସଡକ ଦୁର୍ଘଟଣାରେ ଓ ୮୫ ଟି ହାତୀ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କହିଛନ୍ତି।

ଅପରପକ୍ଷେ ହାତୀ ମଣିଷ ଲଢ଼େଇରେ ୨୦୨୧-୨୨ ବର୍ଷରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧୮ ଜଣ ଆହତ ହୋଇଛନ୍ତି। ୨୦୨୦-୨୧ ମସିହା ଠାରୁ ଏହା ଯଥେଷ୍ଟ ବେଶୀ। ୨୦୨୦ ମସିହାରେ ରାଜ୍ୟରେ ହାତୀ- ମଣିଷ ଲଢ଼େଇରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୯ ଜଣ ଆହତ ହୋଇଥିଲେ। ସେହିପରି ୨୦୧୯-୨୦ରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୨ ଜଣ ଆହତ ହୋଇଥିଲେ। ସରକାର ହାତୀ ଘଉଡାଇବା ପାଇଁ ଯାବତୀୟ ପଦକ୍ଷେପ ନେବା ସତ୍ତ୍ବେ ହାତୀ ମୃତ୍ୟୁ ଓ ମଣିଷ-ହାତୀ ଲଢ଼େଇ ଭଳି ସମସ୍ୟାକୁ ପ୍ରତିହତ କରିବାରେ ସଫଳ ହୋଇ ପାରୁନାହାଁନ୍ତି।

Leave a comment