ଜନତାଙ୍କୁ ତ୍ୱରିତ୍‌ ସେବା ଯୋଗାଇଛି କମିସନରେଟ ପୁଲିସର ଇଆର୍‍ଏସ୍‍ଏସ୍‍- ‘୧୧୨’, ଡିସେମ୍ବରରେ ଆସିଛି ୪୦୨୮ ଫୋନ କଲ୍‍

ଭୁବନେଶ୍ୱର : ରାଜଧାନୀର ସମସ୍ତ ଜନତାଙ୍କୁ ତ୍ୱରିତ୍‌ ସେବା ଯୋଗାଇଛି କମିସନରେଟ ପୁଲିସ। ଗତ ୨୦୨୧ ଡିସେମ୍ବର ମାସରେ ଭିକ୍ଟର କଣ୍ଟ୍ରୋଲ ରୁମ୍‍ ଇଆର୍‍ଏସ୍‍ଏସ୍‍- ‘୧୧୨’ ସେବା ମାଧ୍ୟମରେ ମୋଟ୍‍ ୪୦୨୮ ଫୋନ କଲ୍‍ ଆସିଛି। ସହାୟତା ଲାଗି ବ୍ୟାକୁଳ ହେଉଥିବା ବ୍ୟକ୍ତିଙ୍କ ନିକଟରେ ତୁରନ୍ତ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବେଶ୍‍ ସଫଳତା ପାଇଛି। ରାଜଧାନୀରେ ୩୫ଟି ପିସିଆର୍‍ ୨୪ ଘଣ୍ଟିଆ ସେବା ଯୋଗାଇଛି। ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ଅବିଳମ୍ୱେ ପହଞ୍ଚିବା ଫଳରେ ଘଟିବାକୁ ଥିବା ଅନେକ ଗଣ୍ଡଗୋଳର ପ୍ରାକ୍‍ ସମାଧାନ କରିବା ସହ ଅପରାଧୀଙ୍କୁ କାବୁ କରିବାରେ ସଫଳତା ପାଇଛି। ଏମିତିକି ବିଭିନ୍ନ ଧାରଣା, ପ୍ରତିବାଦ ସଭା ସମୟରେ ଟ୍ରାଫିକ୍‍ ନିୟନ୍ତ୍ରଣ, ଆନ୍ଦୋଳନକାରୀଙ୍କୁ ସ୍ଥାନାନ୍ତର କରିବା ସହ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ନେବା ତଥା ପୀଡ଼ିତ ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ କରିବାରେ ପିସିଆର ଭ୍ୟାନରେ କାର୍ଯ୍ୟରତ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।

ସଫଳତା ସାଉଣ୍ଟିଥିବା କିଛି ଘଟଣାବଳୀ

୨୦୨୧ ଡିସେମ୍ବର-୫: ସକାଳ ପ୍ରାୟ ୯.୩୬ ମିନିଟ୍‍ରେ ୭୫ ବର୍ଷ ବୟସର ଜଣେ ବୃଦ୍ଧ ମହିଳା ଲକ୍ଷ୍ମୀସାଗର ଯାତ୍ରୀ ନିବାସ ପାଖରେ ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ପିସିଆର ୯ଟିମ୍‍ ତାଙ୍କୁ ଉଦ୍ଧାରକରି ରଙ୍ଗବଜାରସ୍ଥିତ ଏକାମ୍ର ନିଳୟ ଆଶ୍ରମକୁ ସ୍ଥାନାନ୍ତରିତ କରିଥିଲେ।

ଡିସେମ୍ବର-୭: ଇଆର୍‍ଏସ୍‍ଏସ୍‍-୧୧୨ କଣ୍ଟ୍ରୋଲ ରୁମର ସୂଚନା ଆଧାରରେ ପିସିଆର-୩୨ ଟିମ୍‍ ଯାଁଳା ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ଅବସ୍ଥାରେ ଥିବା ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପରେ ‘ଆଶା କିରଣ’ ଅନୁଷ୍ଠାନରେ ଥଇଥାନ ନିମନ୍ତେ ସ୍ଥାନାନ୍ତରିତ କରିଥିଲେ।

ଡିସେମ୍ବର-୧୯: ରାତିରେ ପିସିଆର୍‍-୩୫ ଟିମ୍‍ ଭରତପୁର ମାଛ ବଜାରରେ ମାରଣାସ୍ତ୍ର ଦେଖାଇ ଭୟ ସୃଷ୍ଟି କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ଭରତପୁର ଥାନାକୁ ଆଣିଥିଲେ।

ଡିସେମ୍ବର-୨୦: ପିସିଆର୍‍-୭ ଟିମ୍‍ ପଳାଶୁଣୀ ହାଟରୁ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‍ ଲୁଟ କରିବାକୁ ଉଦ୍ୟମ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ଲୁଟେରାକୁ ଧରି ଥାନାରେ ହାଜର କରାଯାଇଥିଲେ।

ଡିସେମ୍ବର-୨୭: ପିସିଆର୍‍-୨ ଟିମ୍‍ ୟୁନିଟ-୨ ବାଳିକା ବିଦ୍ୟାଳୟ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଡଷ୍ଟବିନ୍‍ରେ ପଡ଼ିଥିବା ଏକ ୫ ରୁ ୬ ଦିନର ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ।

Leave a comment