ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷରୁ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ନାମଲେଖା, ୫ ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର : ନୂଆ ଶିକ୍ଷା ବର୍ଷରୁ ଆଇକନିକ ଆଦର୍ଶ ବିଦ୍ୟାଳୟରେ ନାମଲେଖା ଆରମ୍ଭ ହେବ। ଆନ୍ଧାରୁଆ ଠାରେ ନିର୍ମାଣାଧୀନ ଥିବା ଆଇକନିକ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚଳିତ ଶିକ୍ଷା ବର୍ଷ ପାଇଁ କୌସ୍ତୁଭ ଇଞ୍ଜିନିୟରିଂ କଲେଜରେ ଚଳିତ ବର୍ଷ ଆଇକନିକ ଆଦର୍ଶ ବିଦ୍ୟାଳୟ ଚଲାଇବା ପାଇଁ ବିଭାଗ ସ୍ଥିର କରିଛି। ସେହିପରି ଆସନ୍ତା ଶିକ୍ଷା ବର୍ଷରୁ ୬୪ଟି ନୂଆ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ନାମଲେଖା ହେବାକୁ ଥିବାବେଳେ ଏଥି ପାଇଁ ପ୍ରବେଶିକା ପରୀକ୍ଷା ସରିଛି।

ଅନ୍ଧାରୁଆ ଠାରେ ପ୍ରସ୍ତାବିତ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ୫ଶହ ସଂଖ୍ୟକ ସିଟ୍‍ ବିଶିଷ୍ଟ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼଼ା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍‍ରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବେ। ୨୫ ଏକର ଜାଗାରେ ବିଦ୍ୟାଳୟ ନିର୍ମାଣ ହେବାକୁ ଥିବାବେଳେ ଆଦର୍ଶ ବିଦ୍ୟାଳୟର ହବ୍‍ ଭାବେ ଏହା ବିବେଚିତ ହେବ। ତେବେ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅନ୍ଧାରୁଆରେ ଏବେ ଜାରି ରହିଛି। ବିଲ୍ଡିଂ କାମ ଶେଷ ହୋଇ ନ ଥିବାରୁ ପିଲାଙ୍କ ନାମଲେଖା ପରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଭଡ଼ା ଆକାରରେ ଶିକ୍ଷାନୁଷ୍ଠାନ ଚାଲିବ।

ଏଥିଲାଗି ସଂଗଠନ କୌସ୍ତୁଭ ଇଞ୍ଜିନିୟରିଂ କଲେଜକୁ ଚୟନ କରାଯାଇଛି। ଚଳିତ ବର୍ଷରୁ ମଧ୍ୟ ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବ। ସମସ୍ତ ବ୍ଲକର ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼଼ିବା ପାଇଁ ସୁଯୋଗ ମିଳିବ। ରାଜ୍ୟରେ ଏବେ ୨୫୦ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ୬୪ଟି ସ୍କୁଲର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। କାମ ସମ୍ପୂର୍ଣ୍ଣ ହୋଇ ନଥିଲେ ଉକ୍ତ ସ୍କୁଲର ସ୍ଥାୟୀ ବିଲ୍ଡିଂ ନିର୍ମାଣ ହେବା ଯାଏଁ ସ୍କୁଲ ଭଡ଼ା ଘରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ୨୦୨୨-୨୩ ଶିକ୍ଷା ବର୍ଷରୁ ରାଜ୍ୟରେ ୩୧୪ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ବିଭାଗ ପକ୍ଷରୁ ଏଥିଲାଗି ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ଏଥି ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏପ୍ରିଲ୍‍ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଲକ୍ଷ୍ୟ ରଖିଛି। ୬୪ଟି ପ୍ରସ୍ତାବିତ ନୂଆ ସ୍କୁଲ ମଧ୍ୟରେ କୋଟାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ‘କୋଟିଆ’ ମଧ୍ୟ ସାମିଲ୍‍ ହୋଇଛି। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର କୋଟିଆରେ ମଧ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷରୁ ଏଠାରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ପିଲାଙ୍କ ପ୍ରବେଶିକା ପରୀକ୍ଷା ସରିଥିବା ବେଳେ ଏବେ ନାମଲେଖା ପ୍ରକ୍ରୟା ଜାରି ରହିଛି।

Leave A Reply

Your email address will not be published.