ବନ୍ୟାପାଣିରେ ବାଇକ୍‌ ସହ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର, ଉଦ୍ଧାର ହେଲା ମୃତଦେହ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ କେରକୋ-ପ୍ରତାପପୁର ରାସ୍ତା ର ହରିପୁର ନିକଟ ମାଧବୀନାଳରେ ଜଣେ ଇଞ୍ଜିନିୟରିଂ ଛାତ୍ର ସାଙ୍ଗ ବାଇକ ସହିତ ଭାସି ମୃତ୍ୟୁ ଘଟିଥିବା ବେଳେ ସାଙ୍ଗ ଜଣଙ୍କ ଉଦ୍ଧାର ହୋଇଥିବା ଖବର ମିଳିଛି । ଉଭୟଙ୍କ ଘର ବଡ଼ସାହି ନିକଟ ସିଂହଟିଆ ଗ୍ରାମରେ । ମୃତ ବୁବୁନ ଓରଫ ବିକାଶ ଦଣ୍ଡପାଟ ବାରିପଦା ମୟୂରଭଞ୍ଜ ଇଂଞ୍ଜିନିୟରିଂ କଲେଜର ଛାତ୍ର ।

ଚାକିରୀ ପାଇଁ କ୍ୟାମ୍ପସ ସିଲେକସନ ହୋଇଥିବା ବେଳେ ରବିବାର ସାଙ୍ଗ ଆକାଶ ନାୟକଙ୍କ ସହିତ କଲେଜକୁ ଯାଇ ବାଇକରେ ଫେରିବା ବେଳେ ମାଧବୀ ନାଳ ଘୋଷରା ବା କଲର୍ଭଟ ପୋଲ ଉପରେ ପ୍ରବାହିତ ବନ୍ୟାପାଣି ସ୍ରୋତରେ ବାଇକ ସହିତ ରାତି ୯ଟା ୩୦ମିନିଟରେ ଭାସିଯାଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ତଳମୁଣ୍ଡରେ ଖୋଜା ଖୋଜି କରିବା ପରେ ଜଣେ ସାଙ୍ଗଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ବୁବୁନଙ୍କ କୌଣସି ପତ୍ତା ମିଳିନଥିଲା। ତେବେ ଅନ୍ଧାର ରାତି ପାଇଁ ଠାବ କରିବା କଷ୍ଟକର ହୋଇଥିଲେ ମଧ୍ୟ ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଥିଲେ। ରବିବାର ରାତି ୨ଟା୩୦ରେ ନିଖୋଜ ବୁବୁନ ଓରଫ ବିକାଶ ଦଣ୍ଡପାଟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବଡ଼ସାହି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଛେଦ ପାଇଁ ପଠାଇଛି ।

Leave a comment